Friday, 9 February 2018

*କପଟ ପଶା*

ଦୁର୍ଯ୍ୟୋଧନର ହୃଦୟ ମହାରାଜା ଯୁଧିଷ୍ଠିରଙ୍କ ଅସୀମ ଐଶ୍ୱର୍ଯ୍ୟ, ବୈଭବ, କ୍ଷମତା ଓ ଅନନ୍ତ ଧନରାଶି ଦେଖି କ୍ରୋଧ ଓ ଈର୍ଷାରେ ଜଳିବାକୁ ଲାଗିଲା। ସେ ଈର୍ଷାରେ ବଶୀଭୂତ ହୋଇ ନିଜର କୁଟିଳ କୌଶଳ ଦ୍ୱାରା ପାଞ୍ଚପାଣ୍ଡଵଙ୍କର ସର୍ବନାଶ କରିବାପାଇଁ ଲାଗି ପଡ଼ିଲା, କାରଣ ଶକ୍ତି ଓ ବାହୁବଳ ଦ୍ୱାରା ସେମାନଙ୍କୁ ଜିତିବା ତାର ସାମର୍ଥ୍ୟର ବାହାରେ ଥିଲା। ରାଜା ଯୁଧିଷ୍ଠିରଙ୍କୁ ପଶା ଖେଳ ପ୍ରିୟ ଥିଲା। କୁସମୟରେ ତାଙ୍କୁ ଦୁର୍ଯ୍ୟୋଧନଙ୍କ କୁମନ୍ତ୍ରଣାଦାତା ଏବଂ ଛଦ୍ମପୂର୍ଣ୍ଣ ଓ କୁଟିଳ ପଶା ଖେଳରେ ପାରଙ୍ଗମ ଶକୁନି ସହ ଖେଳିବା ପାଇଁ ଆହ୍ୱାନ କରାଗଲା।

ପ୍ରାଚୀନ ଭାରତରେ ଯେବେ କୌଣସି କ୍ଷତ୍ରିୟକୁ ଯୁଦ୍ଧର ଆହ୍ୱାନ ଦିଆଯାଉଥିଲା ସେବେ ସେ ନିଜର ସମ୍ମାନ ରକ୍ଷା ପାଇଁ ସବୁ କ୍ଷତି ସହିବାକୁ ପଡ଼ିଲେ ମଧ୍ୟ ସେହି ଆହ୍ୱାନକୁ ସ୍ୱୀକାର କରୁଥିଲେ। ଯେତେବେଳେ ପଶା ଖେଳର କଥା ପଡ଼ିଲା, ତାକୁ ସ୍ୱୀକାର କରିଯିବା ଗୌରବ ରକ୍ଷାର ଏକମାତ୍ର ବାଟ ଥିଲା ଓ ତାକୁ ଅସ୍ବୀକାର କରିବା ଉପହାସର ପାତ୍ର ହେବା ସହ ସମାନ ଥିଲା। 

ମହାଭାରତରେ ମହାରାଜ ଯୁଧିଷ୍ଠିରଙ୍କୁ 'ଧର୍ମରାଜ' ତଥା ସବୁ ସଦ୍ଗୁଣର ପ୍ରତିମା ବୋଲି କୁହାଯାଏ। କିନ୍ତୁ ପୂର୍ବୋକ୍ତ କାରଣରୁ ରାଜର୍ଷି ହୋଇ ମଧ୍ୟ ସେ ସେହି ଆହ୍ୱାନକୁ ସ୍ୱୀକାର କରିଥିଲେ। ଶକୁନି ଓ ତାଙ୍କ ସାଥୀମାନେ କପଟ ପଶା ତିଆରି କଲେ। ଯୁଧିଷ୍ଠିର ବାଜି ପରେ ବାଜି ହାରି ଚାଲିଲେ। ସେ କ୍ଷୁବ୍ଧ ହୋଇ ଅଧୀର ତଥା ଦୈଵପ୍ରେରିତ ହୋଇ ଖେଳି ଚାଲିଲେ। ଧୀରେ ଧୀରେ ନିଜର ସମସ୍ତ ସମ୍ପତ୍ତି ଓ ରାଜ ପାଟକୁ ବାଜି ଲଗାଇ ଦେଲେ।

ଏବେ ଖେଳ ସମାପ୍ତି ଆଡ଼କୁ ଯାଉଥିଲା, ପ୍ରତିସ୍ପର୍ଦ୍ଦିର ପୁନଃ ଆହ୍ୱାନ ଦ୍ୱାରା ଉତ୍ତେଜିତ ହୋଇ ନିଜର ସମସ୍ତ ସମ୍ପତ୍ତି ସରିଯିବା ପରେ ମଧ୍ୟ ଥରକୁ ଥର କରି ନିଜର ଚାରିଭାଇ, ପୁଣି ନିଜକୁ ଓ ଶେଷରେ ଅନିନ୍ଦିତ ଦ୍ରୌପଦୀଙ୍କୁ ମଧ୍ୟ ବାଜି ଲଗାଇ ଦେଲେ।

ଏହିପରି କୌରବଙ୍କ କୁଟିଳ ଚକ୍ରରେ ଫସି ସେମାନେ ପୂର୍ଣ୍ଣତଃ ତାଙ୍କର ବଶୀଭୂତ ହୋଇଗଲେ। ସେମାନଙ୍କୁ ଅତ୍ୟନ୍ତ ଅପମାନିତ କରାଗଲା ଓ ଦ୍ରୌପଦୀଙ୍କ ସହ ମଧ୍ୟ କୌରବମାନେ ଅମାନୁଷିକ ଦୁର୍ବ୍ୟବହାର କଲେ।

ଅନ୍ଧ ରାଜାଙ୍କ ମଧ୍ୟସ୍ଥତା କାରଣରୁ ସେମାନଙ୍କୁ ପୁଣିଥରେ ହାରିଥିବା ସମ୍ପତ୍ତି ସବୁ ମିଳିଗଲା। ସେମାନଙ୍କୁ ନିଜ ରାଜଧାନୀ ଫେରି ଶାସନ-ସୂତ୍ର ଗ୍ରହଣ କରିବାର ଅନୁମତି ମଧ୍ୟ ମିଳିଗଲା।

ଦୁର୍ଯ୍ୟୋଧନ ଦେଖିଲା, ଏ ତ ମହାବିପଦ ଆସିଗଲା।
ସେ ତା'ର ବୃଦ୍ଧ ପିତାକୁ ବାଧ୍ୟ କରି ଆଉ ଥରେ ପଶା ଖେଳ ହେଉ ବୋଲି ରାଜି କରାଇଦେଲା।

ସର୍ତ୍ତ ରହିଲା, ଏଥର ଖେଳରେ ଯିଏ ହାରିବ, ସେ ବାର ବର୍ଷ ପର୍ଯ୍ୟନ୍ତ ବନବାସ ସ୍ୱୀକାର କରିବ ଓ ଆଉ ଏକ ବର୍ଷ ସହରରେ ଅଜ୍ଞାତବାସ କରିବ, କିନ୍ତୁ ଯଦି ଏହି ଅଜ୍ଞାତବାସ ସମୟରେ ତାଙ୍କ ଘର ଠିକଣା ଜିତିବା ପକ୍ଷକୁ ମିଳିଯିବ ତେବେ ହାରିବା ପକ୍ଷକୁ ଆଉଥରେ ବାର ବର୍ଷ ବନବାସ ଓ ଏକ ବର୍ଷ ଅଜ୍ଞାତବାସ ଅଙ୍ଗୀକାର କରିବାକୁ ପଡ଼ିବ। ଏହା ପରେ ସେମାନଙ୍କୁ ତାଙ୍କ ରାଜ୍ୟ ଫେରାଇ ଦିଆଯିବ।

କ୍ରମଶଃ..

୯. ୨. ୧୮

No comments: