ଯମରାଜ କହିଲେ, "ପୁତ୍ରୀ, ତୋର ସମସ୍ତ କଥା ଅତ୍ୟନ୍ତ ମନୋହର ଓ ଧର୍ମ-ସଙ୍ଗତ। ମୁଁ ତୋର କଥାରେ ଅତ୍ୟନ୍ତ ପ୍ରସନ୍ନ ହୋଇଛି। ତୁ ମୋଠାରୁ ଆଉ ଗୋଟେ ବର ମାଗିନେ, କିନ୍ତୁ, ଧ୍ୟାନ ରଖିବୁ, ମୃତକକୁ କେବେ ବି ଜୀଵଦାନ ଦିଆଯାଏ ନାହିଁ।"
ଏହା ଶୁଣି ସାବିତ୍ରୀ କହିଲେ, "ଯଦି ପ୍ରଭୁଙ୍କ ଅନୁମତି ଅଛି, ତେବେ ମୋତେ ଏପରି ବର ଦିଅନ୍ତୁ, ଯଦ୍ୱାରା ମୋର ଶ୍ୱଶୁରଙ୍କ ବଂଶ ନଷ୍ଟ ହେବ ନାହିଁ ଓ ଏହି ରାଜ୍ୟର ଉତ୍ତରାଧିକାର ସତ୍ୟବାନର ପୁତ୍ରମାନଙ୍କୁ ପ୍ରାପ୍ତ ହେବ।"
ଯମରାଜ ସ୍ମିତହାସ୍ୟ କରି କହିଲେ, "ପୁତ୍ରୀ, ତୋର ଅଭିଳାଷା ଅବଶ୍ୟ ପୂର୍ଣ୍ଣ ହେବ। ଏଇ ନେ ସତ୍ୟବାନର ଆତ୍ମା - ମୁଁ ତାଙ୍କୁ ପୁନର୍ଜୀବନ ପ୍ରଦାନ କରୁଛି। ସତ୍ୟବାନ ଓ ତୋର ପୁତ୍ର ହିଁ ରାଜ୍ୟ ଶାସନ କରିବେ। ଏବେ ଘରକୁ ଫେରିଯା। ଆଜି ତୋର ପ୍ରେମ ମୃତ୍ୟୁ ବିଜୟୀ ହୋଇଛି। ହେ ନାରୀରତ୍ନ ! ତୋର ପ୍ରେମ ଅଦ୍ଵିତୀୟ। ତୁ ମର୍ତ୍ତ୍ୟ ମଣ୍ଡଳରେ ଏହା ସିଦ୍ଧ କରିଦେଲୁ ଯେ ମୃତ୍ୟୁ ଦେବତା ମଧ୍ୟ ଶୁଦ୍ଧ ଅପରିବର୍ତ୍ତନଶୀଳ ପ୍ରେମ ଶକ୍ତି ପାଖରେ ଦୁର୍ବଳ।"
ଏହା ହିଁ ସାବିତ୍ରୀଙ୍କ କାହାଣୀ। ଭାରତର ପ୍ରତ୍ୟେକ କନ୍ୟା ଚାହେଁ, ସେ କିପରି ସାବିତ୍ରୀ ହେବ, ଯାହାର ପ୍ରେମ ମୃତ୍ୟୁ ବିଜୟୀ ହୋଇଥିଲା, ଯିଏ ସର୍ଵବିଜୟୀ ପ୍ରେମ ଦ୍ୱାରା ମୃତ୍ୟୁ ଦେବତା ଯମଙ୍କ ପାଖରେ ପହଞ୍ଚି ନିଜର ହୃଦୟ ଈଶଙ୍କ ଆତ୍ମାକୁ ମୁକ୍ତ କରି ଆଣିଥିଲା।
ମହାଭାରତ ଏପରି ଶହ ଶହ ସୁନ୍ଦର କାହାଣୀର ଗନ୍ତାଘର। ମୁଁ ପ୍ରଥମେ କହିଥିଲି ମହାଭାରତ ବିଶ୍ୱର ଶ୍ରେଷ୍ଠତମ ଗ୍ରନ୍ଥ ଅଟେ। ସେଥିରେ ଅଠର ପର୍ବ ତଥା ପ୍ରାୟଃ ଏକ ଲକ୍ଷ ଶ୍ଳୋକ ଅଛି।
ମହାଭାରତର ମୂଳ କଥାରେ ଆମେ ପାଣ୍ଡବଙ୍କ ବନବାସ ପର୍ଯ୍ୟନ୍ତ ଶୁଣିଥିଲେ। ବନବାସ ସମୟରେ ମଧ୍ୟ ଦୁର୍ଯ୍ୟୋଧନ ପାଣ୍ଡବଙ୍କ ପିଛା ଛାଡ଼ି ନ ଥିଲା। କିନ୍ତୁ ତା'ର ଗୋଟେ ବି କୁଚକ୍ର ସଫଳ ହେଲା ନାହିଁ।
ଏବେ ମୁଁ ପାଣ୍ଡଵମାନଙ୍କ ବନବାସ ଜୀବନର ଗୋଟିଏ କଥା ଶୁଣାଇବି।
କ୍ରମଶଃ...
୧୬. ୨. ୧୮

No comments:
Post a Comment