ଗତକାଲି ରାତିରେ ମୁଁ ଭାରତର ସ୍ଵୟମ୍ବର ପ୍ରଥା କଥା ଉଲ୍ଲେଖ କରିଥିଲି। ଏହି ସ୍ଵୟମ୍ବର ସମୟରେ ବିଭିନ୍ନ ଦେଶୀୟ ରାଜକୁମାରଗଣଙ୍କୁ ଆମନ୍ତ୍ରିତ କରାଯାଏ ଏବଂ ତାଙ୍କ ମଧ୍ୟରୁ ଜଣଙ୍କୁ ରାଜକନ୍ୟା ପୁଷ୍ପମାଲ୍ୟ ଅର୍ପଣ କରି ନିଜର ପତି ନିର୍ବାଚିତ କରିଥାନ୍ତି। ରାଜକୁମାରୀଙ୍କ ଆଗେ ଆଗେ ତାଙ୍କର ଭାଟ ତଥା ଚାର ଚାଲିଥାଏ, ସେ ପ୍ରତ୍ୟେକ ରାଜକୁମାରଙ୍କ ପାଖକୁ ଯାଇ ତାଙ୍କର କୁଳ-ମର୍ଯ୍ୟାଦା, ରଣ କୌଶଳ ଆଦିର ପ୍ରଶଂସା କରେ। ଏଇଭଳି ପ୍ରକ୍ରିୟା ଚାଲିଥାଏ। ଏହା ମଧ୍ୟରୁ ଯେଉଁ ରାଜକୁମାର ରାଜକନ୍ୟାର ପସନ୍ଦ ହୁଅନ୍ତି ତାଙ୍କୁ ପୁଷ୍ପହାର ଦେଇ ସେ ନିଜର ଅଭିଳାଷ ପ୍ରକଟ କରିଥାନ୍ତି। ଏହାପରେ ସେହି ସମାରୋହ ବିବାହୋତ୍ସବର ରୂପ ନେଇଥାଏ।
ମହାରାଜ ଦ୍ରୁପଦ ପାଞ୍ଚାଳ ଦେଶର ପ୍ରବଳ ପରାକ୍ରମୀ ରାଜା ଥିଲେ। ତାଙ୍କ କନ୍ୟା ଦ୍ରୌପଦୀଙ୍କ ଲାବଣ୍ୟ, ଗୁଣ ଓ ଶୀଳର ଖ୍ୟାତି ଦେଶ-ଦେଶାନ୍ତରକୁ ବ୍ୟାପିଯାଇଥିଲା। ତାହାରି ସ୍ଵୟମ୍ବରର ସମାଚାର ପାଣ୍ଡୁପୁତ୍ରଙ୍କୁ ମିଳିଲା।
ସ୍ଵୟମ୍ବରରେ ସର୍ବତ୍ର କିଛି ନା କିଛି ପଣ କରାଯାଇଥାଏ। କିଛି ବିଶେଷପ୍ରକାର ଅସ୍ତ୍ର-କୌଶଳର ବା ଶୌର୍ଯ୍ୟ-ପ୍ରଦର୍ଶନର ସର୍ତ୍ତ ରଖାଯାଇଥାଏ। ବିବାହ ଅଭିଲାଷୀ ରାଜକୁମାରକୁ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ପଡ଼ିଥାଏ।
ସେହିପରି ଏହି ସ୍ଵୟମ୍ବର ସଭାର ଏକ ଅତ୍ୟୁଚ୍ଚ ସ୍ଥାନରେ ଏକ କୃତ୍ରିମ ମାଛକୁ ଲକ୍ଷ୍ୟ ହିସାବରେ ଝୁଲାଇ ଦିଆଯାଇଥିଲା। ମାଛ ଉପରେ ଏକ ଗତିମାନ ଚକ ତିଆରି ହୋଇଥିଲା। ସେହି ଚକର କେନ୍ଦ୍ରରେ ଏକ ଛିଦ୍ର ଥିଲା। ଜଳପାତ୍ରରେ ମାଛର ପ୍ରତିବିମ୍ବକୁ ଦେଖି ଗତିମାନ ଚକ ମଧ୍ୟରେ ଥିବା ଛିଦ୍ର ମଧ୍ୟଦେଇ ଯିଏ ତୀର ଚାଳନା କରିବ ଅର୍ଥାତ୍ ସେହି ମାଛର ଚକ୍ଷ୍ୟୁକୁ ଯିଏ ତୀର ମାରି ପାରିବ ସେ ହିଁ ଦ୍ରୁପଦଙ୍କ କନ୍ୟାକୁ ବିବାହ କରିବ ବୋଲି ପାଞ୍ଚାଳରାଜ ପ୍ରତିଜ୍ଞା କରିଥିଲେ। ଏବେ ଏହି ସ୍ଵୟମ୍ବର ସଭାରେ ରାଜକୁମାରୀଙ୍କୁ ପାଇବା ଉଦ୍ଦେଶ୍ୟରେ ଆସିଥିବା ରାଜପୁତ୍ରଗଣ ପ୍ରାଣପଣେ ଲକ୍ଷ୍ୟ ଭେଦ କରିବାକୁ ଲାଗିଲେ; କିନ୍ତୁ କେହି ସଫଳ ହେଲେ ନାହିଁ।
ଭାରତବର୍ଷରେ ବର୍ଣ୍ଣ ବ୍ୟବସ୍ଥା ପ୍ରଚଳିତ । ପ୍ରଥମେ କୁଳପୁରୋହିତ ଅର୍ଥାତ୍ ବ୍ରାହ୍ମଣଙ୍କୁ ଶ୍ରେଷ୍ଠ କୁହାଯାଏ, ତା'ପରେ କ୍ଷତ୍ରୀୟ ଯେଉଁମାନେ ରାଜା କିମ୍ବା ଯୋଦ୍ଧା, ତା'ପରେ ବାଣିଜ୍ୟ ବ୍ୟବସାୟ କରୁଥିବା ଲୋକଙ୍କୁ ବୈଶ୍ୟ କୁହାଯାଏ, ତା'ପରେ ଶୁଦ୍ର ବା ସେବା କରୁଥିବା ଜାତି। ଏହା ସ୍ପଷ୍ଟ ଯେ ରାଜକୁମାରୀ ଦ୍ରୋପଦୀଙ୍କ ଜନ୍ମ ଦ୍ଵିତୀୟ ବର୍ଣ୍ଣ ଅର୍ଥାତ୍ କ୍ଷତ୍ରୀୟ କୁଳରେ ହୋଇଥିଲା।
ଯେତେବେଳେ ସବୁ ରାଜକୁମାର ଲକ୍ଷ୍ୟ ଭେଦରେ ଅସଫଳ ହୋଇଗଲେ ସେତେବେଳେ ଦ୍ରୁପଦ କ୍ଷୁବ୍ଧ ହୋଇ ସଭାମଣ୍ଡପରେ ଛିଡ଼ା ହୋଇଗଲେ ଓ ଘୋଷଣା କଲେ, "କ୍ଷତ୍ରୀୟ କୁମାର ମୋର ସର୍ତ୍ତ ପୂରଣ କରିବାରେ ଅସମର୍ଥ ହୋଇଛନ୍ତି, ତେଣୁ ଅନ୍ୟ ଜାତିର କୁମାର ମଧ୍ୟ ଏହି ସ୍ପର୍ଦ୍ଧାରେ ଭାଗ ନେଇ ପାରିବେ। ବ୍ରାହ୍ମଣ ହେଉ ବା ବୈଶ୍ୟ କିମ୍ବା ଶୁଦ୍ର ଯେ କେହି ଏଇ ଲକ୍ଷ୍ୟ ଭେଦ କରିବ ସିଏ ଦ୍ରୋପଦୀର ସ୍ୱାମୀ ହେବ।"
କ୍ରମଶଃ....
୪. ୨. ୧୮

No comments:
Post a Comment