Monday, 19 February 2018

*ସବୁ ଚେଷ୍ଟା ବିଫଳ*

ବାର ବର୍ଷର ଅବଧି ବିତିଯିବା ପରେ ସେମାନେ ଏକ ବର୍ଷ ଅଜ୍ଞାତବାସ ପାଇଁ ଭିନ୍ନ ଭିନ୍ନ ବେଷ ଧାରଣ କରି ବିରାଟଙ୍କ ରାଜ୍ୟକୁ ଗଲେ ଓ ସେଠାରେ ତାଙ୍କ ରାଜ ମହଲରେ ସାମାନ୍ୟ ଚାକର ଭଳି କାମ କରିବାକୁ ଲାଗିଲେ। ଯୁଧିଷ୍ଠିର ଦ୍ୟୁତକ୍ରୀଡ଼ାରେ ଚତୁର ଥିବାରୁ ସେ ଦରବାରରେ ବ୍ରାହ୍ମଣ ସଭାରେ ଯୋଗଦେଲେ। ଭୀମ ରୋଷେୟା ହୋଇଗଲେ। ଅର୍ଜୁନ ନପୁଂସକ ବେଷ ଧାରଣ କରି ରାଜକନ୍ୟା ଉତ୍ତରାକୁ ସଙ୍ଗୀତ ଓ ନୃତ୍ୟ ବିଦ୍ୟା ଶିଖାଇଲେ ଓ ଅନ୍ତପୁରରେ ରହିଲେ। ନକୁଳ ରାଜାଙ୍କ ଅଶ୍ୱଶାଳାର ପ୍ରବନ୍ଧକ ନିଯୁକ୍ତ ହେଲେ। ସହଦେଵ ଗାଈ ଚରାଇଲେ। ଦ୍ରୌପଦୀ ମଧ୍ୟ ସୌରନ୍ଧ୍ରୀ ବେଷ ଧାରଣ କରି ରାଜାର ଅନ୍ତପୁରରେ ରହିଲେ। ଏହିପରି ଛଦ୍ମବେଷରେ ପାଞ୍ଚପାଣ୍ଡବ ବାର ବର୍ଷ ନିର୍ବିଘ୍ନରେ ବ୍ୟତୀତ କରିଦେଲେ ଓ ତାଙ୍କୁ ଅନୁସନ୍ଧାନ କରିବାପାଇଁ ଦୁର୍ଯ୍ୟୋଧନଙ୍କ ସମସ୍ତ ଚେଷ୍ଟା ବିଫଳ ହେଲା।
ଅଜ୍ଞାତବାସ ଶେଷ ବେଳକୁ ତାଙ୍କ ଖବର ମିଳିଲା।

ନିଜ ବେଷରେ ଆସିବା ପରେ ଯୁଧିଷ୍ଠିର ଧୃତରାଷ୍ଟ୍ରଙ୍କ ନିକଟକୁ ଜଣେ ରାଜଦୂତଙ୍କୁ ପଠାଇଲେ ଓ ତାଙ୍କୁ ପ୍ରାର୍ଥନା କଲେ ଯେ ତାଙ୍କ ଭାଗରେ ପଡ଼ିଥିବା ଅଧା ରାଜ୍ୟ ତାଙ୍କୁ ଫେରେଇ ଦିଆଯାଉ। କିନ୍ତୁ ଦୁର୍ଯ୍ୟୋଧନ ପାଣ୍ଡବଙ୍କୁ ଦ୍ୱେଷ କରୁଥିଲା। ତେଣୁ ସେ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଦେଲା।

ଶେଷରେ ପାଣ୍ଡବମାନେ ଏକ ପ୍ରଦେଶ ନୁହେଁ ମାତ୍ର ପାଞ୍ଚ ଖଣ୍ଡ ଗାଁ ନେବା ପାଇଁ ରାଜି ଥିଲେ। କିନ୍ତୁ ନିଜ ଜିଦ ଓ ଉଦ୍ଧତ କାରଣରୁ ଦୁର୍ଯ୍ୟୋଧନ ଉତ୍ତର ଦେଲା, "ବିନା ଯୁଦ୍ଧେ ଦେବି ନାହିଁ ସୂଚ୍ୟଗ୍ର ମେଦିନୀ।"

ବୃଦ୍ଧ ଧୃତରାଷ୍ଟ୍ର ଗୃହ କଳହ ଦୂର କରିବାପାଇଁ ବହୁତ ଚେଷ୍ଟା କଲେ। କିନ୍ତୁ ସବୁ ଚେଷ୍ଟା ବିଫଳ ହେଲା।

ଶ୍ରୀକୃଷ୍ଣ ମଧ୍ୟ ଦୁର୍ଯ୍ୟୋଧନ ପାଖକୁ ଯାଇ ଏଭଳି ଆସନ୍ନ ଯୁଦ୍ଧ ଓ ଏଥିରେ ଜ୍ଞାତି କୁଟୁମ୍ବ କିପରି ହତ ହେବେ ଏ ସବୁ ବୁଝାଇ ଯୁଦ୍ଧ ନ କରିବାକୁ ବହୁତ ବୁଝାଇଲେ।

ଭୀଷ୍ମ, ଦ୍ରୋଣ ଆଦି ବୃଦ୍ଧ ଗୁରୁଜନଗଣ ମଧ୍ୟ ଶାନ୍ତିପୂର୍ବକ ରାଜ୍ୟର ବିଭାଜନ ହେଇଯିବା ପାଇଁ ଚେଷ୍ଟା କଲେ, କିନ୍ତୁ କିଛି ଲାଭ ହେଲା ନାହିଁ।

ଉଭୟ ପକ୍ଷ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ। ବିଶ୍ୱର ଲଢୁଆ ରାଷ୍ଟ୍ରଗଣ ନିଜ ନିଜ ପକ୍ଷଙ୍କୁ ସହାୟତା କଲେ ଓ ଯୁଦ୍ଧର ରଣଭେରୀ ବାଜି ଉଠିଲା।

କ୍ରମଶଃ...

୧୯. ୨. ୧୮

No comments: