Thursday, 1 February 2018

*ପ୍ରାଚ୍ୟ ଓ ପାଶ୍ଚାତ୍ୟ*

ଉପସଂହାରରେ ସ୍ୱାମୀଜୀ କହିଥିଲେ -

ପାଶ୍ଚାତ୍ୟ କହେ, "ଆମେ ଦୁଃଖର ପ୍ରତିକାର କରି, ନିଜ ଶକ୍ତିରେ ତାକୁ ଜୟ କରି ତାର ବିନାଶ କରିଥାଉ।"

ଭାରତ କହେ, "ଆମେ ମଧ୍ୟ ଦୁଃଖର ବିନାଶ କରୁ, କିନ୍ତୁ ତାଙ୍କ ଭଳି ନୁହଁ, ତାକୁ ସହିବାର ଶକ୍ତି ଉତ୍ପନ୍ନ କରି । ଏହାଦ୍ୱାରା ଧୀରେ ଧୀରେ ଦୁଃଖ ଓ କଷ୍ଟ ଆମ ପାଇଁ ଆନନ୍ଦର ବସ୍ତୁ ହୋଇଯାଏ।"

ଏଥିରୁ ହୃଦବୋଧ ହୁଏ ଯେ, ଦୁଇଟିଯାକ ଆଦର୍ଶ ମହାନ; କିନ୍ତୁ କିଏ ଜାଣିଥାଏ ପରିଶେଷରେ ଆଦର୍ଶର ଜୟ  ହୁଏ ବୋଲି ? କିଏ ଜାଣେ କେଉଁ ଆଦର୍ଶରେ ମାନବଜାତିର ଅଧିକତର ଯଥାର୍ଥ କଲ୍ୟାଣ ସମ୍ପାଦିତ ହୋଇପାରିବ ? କାହାକୁ ଜଣା ଅଛି ଯେ କେଉଁ ଆଦର୍ଶ ମନୁଷ୍ୟର ପାଶବିକତାକୁ ନିର୍ବୀର୍ଯ୍ୟ କରି ତା ଉପରେ ବିଜୟ ଲାଭ କରିବ - ସହିଷ୍ଣୁତା, କ୍ଷମା ଓ ତିତିକ୍ଷା, ଅଥବା କ୍ରିୟାଶୀଳତା, ଶକ୍ତି ଏବଂ ପ୍ରତିକାର ?
 
ଏଥିପାଇଁ ଆମେ ପରସ୍ପରର ଆଦର୍ଶକୁ ନଷ୍ଟ କରିବାର ଏଇ ଘୃଣିତ ପ୍ରୟାସ ଛାଡ଼ି ଦେବା ଉଚିତ। ଆମ ଉଭୟଙ୍କ ଲକ୍ଷ୍ୟ ଏକ - ମାନବର ଦୁଃଖ ନିବାରଣ, ଦୁଃଖର ଅବସାନ ବା ବିନାଶ।

ଆପଣମାନେ ଆପଣଙ୍କ ପ୍ରଣାଳୀ ଅନୁସାରେ କାର୍ଯ୍ୟ କରନ୍ତୁ, ଆମକୁ ଆମ ଅନୁସାରେ କରିବାକୁ ଦିଅନ୍ତୁ। କୌଣସି ଆଦର୍ଶ ପ୍ରଣାଳୀକୁ ବା ମତକୁ ଅବହେଳନା କରିଦେଲେ କାମ ଚଳିବ ନାହିଁ। ମୁଁ ପାଶ୍ଚାତ୍ୟବାସୀଙ୍କୁ କହୁ ନାହିଁ ଯେ ଆପଣମାନେ ସମସ୍ତେ ଆମରି ମାର୍ଗରେ ଚାଲନ୍ତୁ। କେବେ ବି ମୁଁ ଏପରି କହି ପାରିବି ନାହିଁ। ଲକ୍ଷ୍ୟ ତ ଏକ, କିନ୍ତୁ ଲକ୍ଷ୍ୟକୁ ପାଇବାର ମାର୍ଗ ସବୁବେଳେ ଭିନ୍ନ ଭିନ୍ନ ହୋଇଥାଏ।

ଏଥିପାଇଁ ଭାରତୀୟ ଆଦର୍ଶ ତଥା ସଂସ୍କୃତିର ଜ୍ଞାନ ପ୍ରାପ୍ତ କରିବା ପରେ ମୋର ଆଶା, ଆପଣମାନେ ନିଶ୍ଚିତ ଭରତୀୟମାନଙ୍କୁ ସମ୍ବୋଧିତ କରି କହିବେ, "ଆମେ ଜାଣୁ - ଆମ ଦୁହିଁଙ୍କ ଲକ୍ଷ୍ୟ ଏକ ଏବଂ ଏହି ଲକ୍ଷ୍ୟକୁ ପାଇବା ପାଇଁ ଆମର ମାର୍ଗ ମଧ୍ୟ ସମାନ ଭାବେ ଉପଯୋଗୀ।

ଏଥିପାଇଁ ବନ୍ଧୁଗଣ, ଆପଣମାନେ ଆପଣଙ୍କ ଆଦର୍ଶର ଅନୁସରଣ କରନ୍ତୁ, ନିଜ ଲକ୍ଷ୍ୟ ପଥରେ ଚାଲନ୍ତୁ। ଆପଣ ଆପଣଙ୍କ ସାଧନା ପଥରେ ପ୍ରସ୍ଥାନ କରନ୍ତୁ - ଈଶ୍ୱର ଆପଣଙ୍କ କଲ୍ୟାଣ କରନ୍ତୁ।"

ଏଇ ଜୀବନରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟଙ୍କୁ ମୋର ଏହା ସନ୍ଦେଶ ଯେ ବିଭିନ୍ନ ଆଦର୍ଶ ସମ୍ପର୍କରେ ବୃଥା ବିବାଦ ନ କରନ୍ତୁ। ଆପଣଙ୍କ ଆଦର୍ଶ  କେବଳ ଭିନ୍ନ ପ୍ରତୀୟମାନ ହୋଇଥାଏ ମାତ୍ର। ବାସ୍ତବରେ ଏହା ଏକ। ଏଥିପାଇଁ ଜୀବନରେ ଏହି ଉତ୍ଥାନ ପତନ , ଅଙ୍କା ବଙ୍କା ମାର୍ଗରେ ଜୀବନର ଏଇ ଅନ୍ଧଗଳି ତଥା  ଭୁଲ ଭୁଲେୟା ମାର୍ଗ ଅତିକ୍ରମ କରି, ପରସ୍ପର ମଙ୍ଗଳ କାମନା କରି, ପରସ୍ପର ଅଭିବାଦନ କରି କହିବା, "ଈଶ୍ୱର ତୁମର ଲକ୍ଷ୍ୟ-ସିଦ୍ଧିରେ ସହାୟକ ହୁଅନ୍ତୁ।"

୧. ୨. ୧୮

No comments: