Wednesday, 31 January 2018

*ରାମ ଓ ସୀତା ଭାରତର ଆଦର୍ଶ.*


ସୀତା ବାସ୍ତବରେ ଜନ୍ମ ହୋଇଥିଲେ କି ନାଇଁ, ରାମାୟଣର କଥା କୌଣସି ଐତିହାସିକ ତଥ୍ୟ ଉପରେ ଆଧାରିତ କି ନାଇଁ, କି ଏହା କପୋଳକଳ୍ପିତ - ଏ ସବୁ ପ୍ରଶ୍ନ ଉପରେ ଆମର ବିଚାର କରିବା ଆବଶ୍ୟକ ନାହିଁ। କିନ୍ତୁ ଅତି କମରେ ଏତିକି ତ ସତ୍ୟ ଯେ ହଜାର ହଜାର ବର୍ଷ ଧରି ସୀତାଙ୍କ ଚରିତ୍ର ଭାରତୀୟ ରାଷ୍ଟ୍ର ଜୀବନର ଆଦର୍ଶ ରହି ଆସିଛି।

ଏପରି ଅନ୍ୟ କୌଣସି ପୌରାଣିକ କଥା ନାହିଁ, ଯାହା ସୀତାଙ୍କ ଚରିତ୍ର ପରି ସମଗ୍ର ଭାରତୀୟ ରାଷ୍ଟ୍ରକୁ ପ୍ରଭାବିତ କରିଛି, ଯାହା ଭାରତୀୟ ରାଷ୍ଟ୍ର ଜୀବନରେ ଅତ୍ୟନ୍ତ ଗଭୀର ଭାବରେ ପ୍ରବେଶ କରିଛି, ଯାହା ଭାରତର ଶିରା ପ୍ରଶିରାରେ ଓ ତାର ରକ୍ତର ପ୍ରତି କଣିକାରେ ଏତେ ମାତ୍ରାରେ ପ୍ରବାହିତ ହୋଇଛି, ଯାହାର କଳ୍ପନା  କରାଯାଇପାରେନା।

ଭାରତବର୍ଷରେ ଯାହା କିଛି ପବିତ୍ର, ଯାହା କିଛି ବିଶୁଦ୍ଧ, ଯାହା କିଛି ପାବନ ସେ ସବୁର ଦର୍ଶନ 'ସୀତା' ଶବ୍ଦରେ ବିଦ୍ୟମାନ। ନାରୀଙ୍କ ଭିତରେ ଯେଉଁ ନାରୀସୁଲଭ ଗୁଣ ଥାଏ, ସେ ସବୁର ପରିଚାୟକ ହେଲେ ସୀତା। ଏଥିପାଇଁ ଯେତେବେଳେ କୌଣସି ବ୍ରାହ୍ମଣ କୌଣସି କୁଳବଧୂକୁ ଆଶୀର୍ବାଦ ଦିଅନ୍ତି, ସେ କହନ୍ତି "ସୀତାଙ୍କ ଭଳି ହୁଅ।" ଯଦି କୌଣସି ବାଳିକାକୁ ଆଶୀର୍ବାଦ ଦିଅନ୍ତି, ସେ କହନ୍ତି, "ସୀତାଙ୍କ ଭଳି ହୁଅ।" ସେମାନେ ସମସ୍ତେ ସୀତାଙ୍କ ସନ୍ତାନ - ଜୀବନରେ ସେମାନଙ୍କ ଏକମେବ ଲକ୍ଷ୍ୟ ଥାଏ ସେମାନେ କିପରି ସୀତାଙ୍କ ପରି ହେବେ - ସୀତାଙ୍କ ପରି ଶୁଦ୍ଧ, ଧୀର ଓ ସର୍ବଂସହା, ସୀତାଙ୍କ ପରି ପତିପରାୟଣା ଓ ପତିବ୍ରତା କିପରି ହେବେ।

ଜୀବନରେ ସୀତା ଏତେ କଷ୍ଟ ସହିଲେ, ଏତେ ବେଦନା ସହିଲେ, କିନ୍ତୁ ରାମଙ୍କ ବିରୋଧରେ ତାଙ୍କ ମୁହଁରୁ ପଦେ ବି କଠୋର ଶବ୍ଦ ବାହାରି ନ ଥିଲା,  ହୃଦୟରୁ ଟିକେ ବି ଆହା ଶବ୍ଦ ବାହାରି ନ ଥିଲା। ସେ ସେସବୁକୁ ନିଜ କର୍ତ୍ତବ୍ୟ ଭାବି ସହିଯାଉଥିଲେ - ନିଜ ଜୀବନର କରୁଣ ନାଟକରେ ଧର୍ଯ୍ୟପୂର୍ବକ ଅଭିନୟ କରିଚାଲିଥିଲେ।

ସୀତାଙ୍କ ଅରଣ୍ୟ ନିର୍ବାସନ ! ଟିକେ ଭାବନ୍ତୁ ତ, କେତେ ଘୋର ଅନ୍ୟାୟପୂର୍ଣ୍ଣ, ଅବିଚାରପୂର୍ଣ୍ଣ କାର୍ଯ୍ୟ ଥିଲା ! କିନ୍ତୁ ସୀତା ଏ ସବୁ ସହିଗଲେ। ତାଙ୍କ ହୃଦୟରେ ସାମାନ୍ୟତମ କଟୁତା ଉତ୍ପନ୍ନ ହୋଇ ନ ଥିଲା। ଏହି ତିତିକ୍ଷା ହିଁ ଭାରତୀୟ ଆଦର୍ଶ ଅଟେ।

ଭଗବାନ ବୁଦ୍ଧ କହିଛନ୍ତି, "ଯଦି ତୁମକୁ କେହି ଆହତ କରେ ଏବଂ ତୁମେ ପ୍ରତିକାର ପାଇଁ ତାଙ୍କ ଉପରେ ଆଘାତ କରିବା ପାଇଁ ହାତ ଉଠାଇଲ, ତେବେ ତୁମକୁ ଶାନ୍ତି ମିଳିବ ନାହିଁ। ହଁ, ସଂସାରରେ ଗୋଟିଏ ପାପ ବଢ଼ି ଯିବ।" ସୀତା ଏହି ଭାରତୀୟ ଆଦର୍ଶର ପ୍ରକୃତ ପ୍ରତିନିଧି। ଅସଂଖ୍ୟ ଅତ୍ୟାଚାରର ପ୍ରତିଶୋଧ ନେବାର ବିଚାର ତାଙ୍କ ହୃଦୟରେ କେବେ ବି ଆସି ନ ଥିଲା।

କିଏ ଜାଣେ, ଏ ଦୁଇ ଆଦର୍ଶ ଭିତରୁ କିଏ ସତ୍ୟ ଓ ଉଚ୍ଚ -

ପାଶ୍ଚାତ୍ୟର ସେହି ଅପ୍ରତ୍ୟାଶିତ ଶକ୍ତି ଓ ଚମକ-ଦମକ

ନା

ପ୍ରାଚ୍ୟର କଷ୍ଟ-ସହିଷ୍ଣୁତା, କ୍ଷମା ଓ ତିତିକ୍ଷା ?

କ୍ରମଶଃ...

୩୧. ୧. ୧୮

No comments: