Saturday, 16 December 2017

*ଏକରସତା*

  ଏକରସତାର ମୁଖ୍ୟ ସିଦ୍ଧାନ୍ତ ହେଲା ନିଜର ସମସ୍ତ ନିଷ୍ଠାକୁ ନିଜ ଦେଶ ଅର୍ଥାତ୍ ଭାରତବର୍ଷ ଭିତରେ କେନ୍ଦ୍ରୀତ କରିବା। ଏହି ଏକରସତାର ସୂତ୍ରକୁ ଜଳାଞ୍ଜଳି ଦେଇ ଭାରତ-ବାହ୍ୟନିଷ୍ଠାକୁ ଗଳାରେ ଲଗାଇବାର ଅନେକ ଚେଷ୍ଟା କରାଗଲା। ପରିଣାମ ହେଲା ଭାରତ ବିଭାଜନ।

ଥରେ ମୁସଲିମ ଲିଗର କରାଚୀ ଅଧିବେଶନରେ ଆମ ନେତାମାନେ ସେମାନଙ୍କୁ ଖୁସି କରିବାପାଇଁ ଆରବର ଦୃଶ୍ୟ ତିଆରି କରି ଦେଖାଇଥିଲେ। ସେଥିପାଇଁ ସେମାନେ ଖଜୁରୀ ଗଛ ଓ ବାଲି ସଂଗ୍ରହ କରି ସେହି ଅଧିବେଶନକୁ ଆରବ ଭଳି ସଜାଇ ଥିଲେ। ଏହା ହିଁ ଭାରତ ବାହ୍ୟ ନିଷ୍ଠାର ପରିଚାୟକ।

ଯଦି ଭାରତରେ ରହି ନିଜ ପ୍ରେରଣା କେନ୍ଦ୍ରକୁ ଭାରତ ବାହାରେ ରଖିବେ ତେବେ ତ ପ୍ରତ୍ୟେକ କଥାରେ ତାହା ପ୍ରକଟିତ ହେବ। ହୃଦୟ ମଧ୍ୟରେ ଭାରତବର୍ଷ ପ୍ରତି କୌଣସି ଶ୍ରଦ୍ଧା ଅଙ୍କିତ ହେବ ନାହିଁ। ଭାରତର ନଦୀ, ଭାରତର ଝରଣା, ଭାରତର ପାହାଡ଼, ଭାରତର ଭୂମି - ଏ ସବୁ ତାଙ୍କୁ ହେୟ ଲାଗିବ।
ସେତିକିରେ ଏ ଅଲଗା ଭାବ ସୀମିତ ନ ରହି ଅଲଗା ଅସ୍ତିତ୍ୱର ଆବଶ୍ୟକତା ପଡ଼ିବ। ମାତୃଭୂମିରୁ ମାଆ ଶବ୍ଦ ଦୂର ହୋଇଗଲା ପରେ ଏହା ଭୂମି ମାତ୍ର ହୋଇ ରହିଯିବ। ସମ୍ପତ୍ତି ମାତ୍ର ହୋଇ ରହିଯିବ ।
ସମ୍ପତ୍ତି ଭାବନା ଥରେ ମୁଣ୍ଡରେ ପଶିଲେ ତାକୁ ସମ୍ପୂର୍ଣ୍ଣ ପ୍ରାପ୍ତ କରିବାକୁ ଇଚ୍ଛା ବଳବତ୍ତର ହେବ। ଅଳ୍ପ ଭୂମି ନେଇ ସେ ସନ୍ତୁଷ୍ଟ ହୋଇ ରହିପାରିବ ନାହିଁ।

ତେଣୁ ପ୍ରଥମେ ବିଚାର କରନ୍ତୁ ଏହା ମାତୃଭୂମି ନା
ଭୂମି ମାତ୍ର ?

ଯଦି ମାତୃଭୂମି ସତ୍ୟ, ଯଦି ମାତୃଭୂମି ବିଷୟରେ ଭାରତୀୟ ସାହିତ୍ୟରେ ଥିବା ବର୍ଣ୍ଣନ ସତ୍ୟ ତେବେ ମାତୃଭୂମିର ଅଖଣ୍ଡତା ମଧ୍ୟ ସତ୍ୟ।

ଯେଉଁ ବ୍ୟକ୍ତି ଅଖଣ୍ଡତାକୁ ଅସ୍ବୀକାର କରୁଛନ୍ତି ସେମାନେ ଭାରତର ଵର୍ଣ୍ଣନ ଭାରତୀୟ ସାହିତ୍ୟରୁ ପଢ଼ନ୍ତୁ।

କୁମାରସମ୍ଭବର ପ୍ରଥମ ଶ୍ଳୋକ ପଢ଼ନ୍ତୁ।

ମୋଗଲ ଶାସନ ସମୟରେ ଆମ ଦେଶ ଅନେକ ଖଣ୍ଡରେ ବିଭକ୍ତ ହୋଇଥିଲା ଅନେକ ସୁବେଦାର ଥିଲେ। କିନ୍ତୁ ସେ ସମୟରେ ଥିବା ଭାରତୀୟ ନେତୃତ୍ୱ ଏହି ପରାଜୟକୁ ସ୍ୱୀକାର କରି ନ ଥିଲା। ପ୍ରଖର ମାତୃଭୂମି ଭକ୍ତି କାରଣରୁ ପୁଣି ସେ ସବୁ ରାଜ୍ୟକୁ ଜୟ କରୁଥିଲା। ଏ ସମସ୍ତଙ୍କ ମନରେ ଥିଲା ଏକ ମାତୃଭୂମି ଭକ୍ତି।

ଏକ ରାଷ୍ଟ୍ରକୁ ମାନୁଥିବା ଲୋକ ବା ଏକ ମାତୃଭୂମିକୁ ମାନୁଥିବା ଲୋକ ଅଳ୍ପସଂଖ୍ୟକ ହେବେ କିପରି ?

ଏକ ରାଷ୍ଟ୍ର ଅର୍ଥାତ୍ ଏକ ଶରୀର। ସେହି ଶରୀରର ସମସ୍ତେ ଅଙ୍ଗପ୍ରତ୍ୟଙ୍ଗ। ରାଷ୍ଟ୍ର ଏକ ଜୀବନ୍ତ ଶରୀର।

ଗୋଟିଏ ଶରୀରରେ ଗୋଟିଏ ନାକ ଥାଏ, ଦୁଇଟି ଆଖି ଥାଏ; ଏଥିପାଇଁ ଆମେ କେବେ କୁହନ୍ତି କି ନାକ ଅଳ୍ପସଂଖ୍ୟକ ଓ ଆଖି ବହୁସଂଖ୍ୟକ, ଏପରି କେବେ ଆମେ କହି ନ ଥାନ୍ତି। ଆଖି ଓ ନାକ ଏ ଉଭୟ ଗୋଟିଏ ଶରୀରର ଅଵୟବ।

ତା'ଛଡ଼ା ଗୋଟିଏ ଶରୀରରେ ଗୋଟିଏ ସଂସ୍କୃତି ଥାଏ। ଗୋଟିଏ ଶରୀର ଭିତରେ ସମାନ ରକ୍ତ ପ୍ରବାହିତ ହେଉଥାଏ। ଶରୀର ଭିତରେ ପ୍ରତ୍ୟେକ ଅଙ୍ଗର କାର୍ଯ୍ୟ ଅଲଗା; କିନ୍ତୁ କେହି ଶରୀର ସହ ବା ପରସ୍ପର ସହ ଲଢନ୍ତି ନାହିଁ, ବରଂ ସମସ୍ତେ ଏକ ଶରୀର ପାଇଁ ନିଃସ୍ୱାର୍ଥ ଭାବେ କାମ କରିଥାନ୍ତି।

ସେହିପରି ସଂସ୍କୃତିର ସମ୍ବନ୍ଧ ନିଜର କାର୍ଯ୍ୟ ପ୍ରଣାଳୀ ବା ନିଜର ଉପାସନା ପଦ୍ଧତି ସହ ନ ଥାଏ। ଅଙ୍ଗର ସମ୍ବନ୍ଧ ଶରୀର ସହ ଥିବା ଭଳି ସଂସ୍କୃତିର ସମ୍ବନ୍ଧ ଦେଶ ସହିତ ଥାଏ।

ତେଣୁ ଭାରତବର୍ଷ ଏକ ରାଷ୍ଟ୍ର। ଏଠାରେ ବର୍ଷ ଶବ୍ଦ ରାଷ୍ଟ୍ରପାଇଁ ବ୍ୟବହୃତ ହୋଇଛି।

ଏକ ମାତୃଭୂମି, ଏକ ରାଷ୍ଟ୍ର, ଏକ ସଂସ୍କୃତି - ଏଇ ଭାବ ହିଁ ଏକରସତା ଭାବ।

ଏହା ହିଁ ସତ୍ୟ।

ତେଣୁ ଭାରତରେ ରହି ଭାରତ ବାହାରେ ନିଷ୍ଠା ରଖିବା ନା ବ୍ୟାବହାରିକ ନା ଏହାକୁ ଆମେ ଏକରସତା କହିପାରିବା ? ଏକରସତା ଭାବ ବା ସମରସତା ଭାବ ରାଷ୍ଟ୍ରକୁ ସବଳ କରିଥାଏ। ପ୍ରତ୍ୟେକ ଭାରତବାସୀ ନିଜ ଭିତରେ ଏହି ଭାବ ଜଗାଇବା କଣ  ଅସମ୍ଭବ କି ?
୧୬. ୧୨. ୧୭

No comments: