ପ୍ରଭୁ ନିଜକୁ ଅଭିବ୍ୟକ୍ତ କରି ଆମ ପାଇଁ ବଡ଼ କୃପା କରିଛନ୍ତି। ଏତେ ସୁନ୍ଦର ହସ ଖେଳର ସଂସାର ଗଢ଼ିଛନ୍ତି ଓ ସେଥିରେ ଆମକୁ ଜନ୍ମ ଦେଇଛନ୍ତି। ଆମକୁ ଶରୀର ଦେଇଛନ୍ତି, ଭାବ ଦେଇଛନ୍ତି, ବାଣୀ ଦେଇଛନ୍ତି। ଏପରି ଅଙ୍ଗ ପ୍ରତ୍ୟଙ୍ଗ ସବୁ ଦେଇଛନ୍ତି ଯାହାର ସାମାନ୍ୟ ଇଙ୍ଗିତରେ ବା ଠାରରେ ମନର କଥା ବିନା କୁହାରେ ବି ସବୁ କହି ହୋଇଯାଏ। ସେହି ପରମ ପିତା ଆମକୁ ତାଙ୍କ ପରି ଅଭିବ୍ୟକ୍ତ ହେବାର ସୁବିଧା ଓ ଆନନ୍ଦରେ ପୂର୍ଣ୍ଣ କରି ଆମକୁ ଏଇ ଭୁମିରେ ଜନ୍ମ ଦେଇଛନ୍ତି। ଯଦ୍ୱାରା ଆମେ ଆମ ମନରେ ଆସୁଥିବା ଭାବକୁ ସହଜରେ ପ୍ରକାଶ କରିପାରିବା।
ମନୁଷ୍ୟ ଜାତିର ସମ୍ପୂର୍ଣ୍ଣ ସଞ୍ଚିତ ଜ୍ଞାନ ସାହିତ୍ୟରେ ସମାହିତ ହୋଇରହିଛି। ସାହିତ୍ୟ ତ ଅଭିବ୍ୟକ୍ତିର ପ୍ରତିଫଳନ ମାତ୍ର।
ମନୁଷ୍ୟକୁ ନୈସର୍ଗିକ ରୂପରେ ଅଭିବ୍ୟକ୍ତିର ସ୍ୱାଧୀନତା ଜନ୍ମରୁ ମିଳିଥାଏ। କିନ୍ତୁ ଯେତେବେଳେ ଦେଶ ପରାଧୀନ ହୋଇଯାଏ କିମ୍ବା ରାଜନୀତି ବଦଳି ଯାଏ ସେତେବେଳେ ଅଭିବ୍ୟକ୍ତିର ସ୍ୱାଧୀନତା କ୍ଷୀଣ ହୋଇଯାଏ। ପରିଣାମ ସ୍ୱରୂପ ସତ୍ୟ ଘଟଣା ଲୁକ୍କାୟିତ ହୋଇଯାଏ।
୧୮୫୭ ରେ ହୋଇଥିବା ସତ୍ୟ ଘଟଣାକୁ ୧୯୦୯ରେ ଲେଖିଲେ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ବିନାୟକ ଦାମୋଦର ସାବରକର। ସେ ବହିର ନାଁ ହେଉଛି '୧୮୫୭ କା ଭାରତୀୟ ସ୍ୱତନ୍ତ୍ର ସମର।'
ସେହି ବହି ପ୍ରକାଶିତ ହେବା ପୂର୍ବରୁ ସରକାର ତାକୁ
ନିଜ ଅଧୀନକୁ ନେଇଗଲେ। ଆଉ ସେ ବହି ସେତେବେଳେ ପ୍ରକାଶିତ ହୋଇ ପାରିଲା ନାହିଁ।
ଏହା ଯେପରି ନିନ୍ଦନୀୟ, ଅତି ସ୍ୱାଧୀନତା ବା ସ୍ବେଚ୍ଛାଚାରିତା ବି ସେହିପରି ନିନ୍ଦନୀୟ। କ୍ଷଣିକ ଯଶ ପ୍ରାପ୍ତି ପାଇଁ ଅସତ୍ୟର ଅଭିବ୍ୟକ୍ତି ଏବେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ମୋଟେ ଦେଖି ନ ଥିବା ବହିକୁ ପଣ୍ଡିତ ଭଳି ଗଣ ମାଧ୍ୟମରେ ବଖାଣି ସତରେ ବଡ଼ ପଣ୍ଡିତ ବା ଆତ୍ମ ଘୋଷିତ ପଣ୍ଡିତ ବୋଲାଉ ଥିବା ବ୍ୟକ୍ତି ସହଜରେ ମିଳିଯାଉଛନ୍ତି। ସେମାନଙ୍କ ଜ୍ଞାନ ଦେଖିଲେ ଯେତିକି ହସ ଲାଗୁଛି ସେତିକି ଦୁଃଖ ଲାଗୁଛି କାରଣ କିଛି ପ୍ରକାଶକ ବା ଗଣ ମାଧ୍ୟମ ତାଙ୍କ ବ୍ୟବସାୟ ଚଳାଇବା ପାଇଁ ଏଭଳି ତଥାକଥିତ ନାମୀ ଦାମୀ ବ୍ୟକ୍ତି ମାନଙ୍କର ଲେଖାକୁ ଜାଣି ବୁଝି ପ୍ରଶୟ ଦେଇଥାନ୍ତି ଯଦ୍ୱାରା ସାଧାରଣ ଲୋକ ଏଇ ପଣ୍ଡିତ ମାନଙ୍କ ଉଦ୍ଦେଶ୍ୟ ପ୍ରଣୋଦିତ ଭୁଲକୁ ସତ୍ୟ ବୋଲି ଭାବି ନିଅନ୍ତି। ସରଳ ମନରେ ଏହି ମିଥ୍ୟା ପ୍ରଲେପ ସମାଜରେ ଅଶେଷ କ୍ଷତି କରିଥାଏ।
ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରତ୍ୟେକ ମନୁଷ୍ୟର ଜନ୍ମସିଦ୍ଧ ଅଧିକାର ଅଟେ। କିନ୍ତୁ ଏହି ଅଧିକାର ସାବ୍ୟସ୍ତ କରିବା ସମୟରେ ଯେଉଁ କର୍ତ୍ତବ୍ୟ ନିର୍ବହନ କରିବା କଥା, ଆଜିର ଭୌତିକ ସୁଖ ସୁବିଧା ଅଭିଳାଷୀ ମନୁଷ୍ୟ ତାହାକୁ ଉପେକ୍ଷା କରେ। ନିଜର ମତି ଭ୍ରମ ଯୋଗୁ ସେ ଏହାକୁ ବୁଝିପାରେ ନାହିଁ।
ଭାରତର ମୁନି ଋଷିଗଣ ଅତି ପ୍ରାଚୀନ କାଳରୁ ଅଭିବ୍ୟକ୍ତିର ସ୍ୱାଧୀନତାକୁ ସମର୍ଥନ କରି ଆସିଛନ୍ତି। କିନ୍ତୁ ବାଣୀ ଉପରେ ବା କଥା କହିବାବେଳେ ବିବେକର ନିୟନ୍ତ୍ରଣର ଉପାଦେୟତା ବିଷୟରେ ମଧ୍ୟ ସ୍ମରଣ କରେଇଦେଇଛନ୍ତି। ସମାଜ କଲ୍ୟାଣକୁ ସବୁବେଳେ ଶ୍ରେୟ ଦେବା କଥା ଆମର ମୁନି ୠଷିଗଣ କହି ଆସିଛନ୍ତି।
'ସମ୍ୟଞ୍ଚଃ ସବ୍ରତା ଭୂତ୍ୱା ବାଚଂ ବଦତ ଭଦ୍ରୟା।'
ଏହି ବୈଦିକ ମନ୍ତ୍ର (ଅଥର୍ବ ବେଦ ୩.୩୦.୩)ରେ ମନ୍ତ୍ରଦ୍ରଷ୍ଟା ୠଷିଗଣ କହିଛନ୍ତି-
ହେ ମନୁଷ୍ୟ, ନ୍ୟାୟପୂର୍ବକ ସମାନ ଗତି, ସମାନ ଅନୁଶାସନର ପାଳନ କରି ପରସ୍ପର ପ୍ରତି କଲ୍ୟାଣମୟୀ କଥା କହ। ଶ୍ରୀମଦ ଭଗବତ ଗୀତାରେ ଅଭିବ୍ୟକ୍ତିର ସ୍ୱାଧୀନତାକୁ ସମର୍ଥନ କରି ତାକୁ ଆହୁରୀ ସାର୍ଥକ କରିବା କଥା କୁହାଯାଇଛି। ବାସ୍ତବରେ କହିବାର ଶକ୍ତିକୁ ସାର୍ଥକ କରିବା ପାଇଁ ତାକୁ ନିଜର ବିବେକ ଦ୍ଵାରା ଆହୁରୀ ପ୍ରଭାବଶାଳୀ ତଥା ମାର୍ମିକ କରି କରିହେବ। ବାଣୀର ସାର୍ଥକ ଅଭିବ୍ୟକ୍ତିକୁ ବାଂଗମୟତପ କୁହାଯାଏ। ଏହି ସାର୍ଥକ ଅଭିବ୍ୟକ୍ତି ବହୁତ ଗଭୀର ଅଧ୍ୟୟନ ଓ ଅଭ୍ୟାସ ଦ୍ୱାରା ହିଁ ପ୍ରାପ୍ତ କରି ହୁଏ। ଶ୍ରୀମଦ୍ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି -
"ଅନୁଦ୍ ବେଗ କରଂ ବାକ୍ୟଂ ସତ୍ୟଂ ପ୍ରିୟ ହିତଂ ଚ ୟତ୍।
ସ୍ୱାଧ୍ୟାୟାଭ୍ୟାସନଂ ଚୈବ ବାଂଗମୟଂ ତପ ଉଚ୍ୟତେ।।"
ମନୁଷ୍ୟ ଏପରି ଭାବେ ବିଚାର ବ୍ୟକ୍ତ କରିବା ଆବଶ୍ୟକ ଯାହା ଅନ୍ୟ କାହା ପାଇଁ ଉଦ୍ ବେଗଜନକ ହୋଇନଥିବ। ବିଚାର ସତ୍ୟ ଉପରେ ଆଧାରିତ ହୋଇଥିବ। ତାହା ସମାଜ ପାଇଁ ହିତକାରୀ ତଥା ପ୍ରିୟ ହୋଇଥିବ। ସ୍ୱାଧ୍ୟାୟ ଓ ଅଭ୍ୟାସ ଦ୍ୱାରା ସିଦ୍ଧ ହୋଇଥିବା ବାଣୀ ବାସ୍ତବରେ ଉଚ୍ଚ ଶ୍ରେଣୀର ଅଭିବ୍ୟକ୍ତି ଅଟେ।
ଆମେ ନିଜକୁ ପଚାରିବା ଠିକ୍ ହେବ-
ଅଭିବ୍ୟକ୍ତିର ସ୍ୱାଧୀନତା ନାଁ ରେ ଆମେ ଯାହା କହୁଛୁ, ଯାହା ଲେଖୁଛୁ ତାହା ଆମ ସମାଜ ହିତରେ ତ ?
୨୪. ୧୨. ୧୭

No comments:
Post a Comment