ଜରୁରୀକାଳୀନ ପରିସ୍ଥିତିର ଅନୁଭବ ପୁଷ୍ଟ କରିଛି ଯେ, ପ୍ରଭାବୀ ବୁଦ୍ଧିଜୀବୀ ବିଶେଷ କରି ଯିଏ ସରକାରୀ କ୍ଷମତା ସୁଯୋଗ ହାସଲ କରିଥିଲେ ସେମାନ ତୋଷାମଦୀ, ଡରକୁଳା ଓ ସ୍ୱାର୍ଥପର ଜୀବନ ଜୀଉଁ ଥିଲେ। ବାମପନ୍ଥୀ ବୁଦ୍ଧିଜୀବୀମାନଙ୍କ ଭିତରେ ଏକ ବିଶେଷ ବିଶେଷତା ଥିଲା ଯେ ଭିନ୍ନ ମତବାଲାଙ୍କୁ କୌଣସି ବି ପ୍ରକାରେ ଦମନ କରିବାକୁ ସେମାନେ ନିଜର କର୍ତ୍ତବ୍ୟ ବୋଲି ବୁଝୁଥିଲେ। ଅନ୍ୟ ଲୋକମାନଙ୍କ ଭିତରୁ ଯେଉଁମାନେ ଲୋକତନ୍ତ୍ର ଓ ନ୍ୟାୟବ୍ୟବସ୍ଥା ଅତୁଟ ରହୁ ବୋଲି ଭାଷଣ ଦେଉଥିଲେ ସେମାନେ ମଧ୍ୟ ଏହା ବିରୋଧରେ ସାମାନ୍ୟ କଷ୍ଟ ସହିବା ପାଇଁ ପଛଘୁଞ୍ଚା ଦେଲେ।
ସାଧାରଣ ଜନତା ଧୀରେ ଧୀରେ ଦେଶର କୋଣ ଅନୁକୋଣରୁ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲା ଏବଂ ଏହି ଶାସନକୁ ଉପାଡ଼ି ଫୋପାଡ଼ି ଦେବାକୁ ସମର୍ଥ ହୋଇଥିଲା। ସେତେବେଳର ବଡ଼ ବଡ଼ ଦୈନିକ/ସାମୟିକ ଖବର କାଗଜ/ପତ୍ରିକାର ସମ୍ପାଦକ, ମେକେଲ ପୁତ୍ର କଳା ଇଂରେଜ ବୁଦ୍ଧିଜୀବୀ, ମାର୍କ୍ସ ମାର୍କା ପ୍ରଫେସରଙ୍କ ଭୂମିକା ସବୁ ନିରପେକ୍ଷ ନ ଥିଲା। ସେମାନଙ୍କର ସେହି ଧାରା ଏବେ ବି ବଦଳି ନାହିଁ।
ସଞ୍ଜୟ ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଲାଗିବା ପୂର୍ବରୁ ବହୁତ କୁଖ୍ୟାତ ହୋଇସାରିଥିଲେ। ଯେତେବେଳେ ସେ ବୁଦ୍ଧିଜୀବୀମାନଙ୍କୁ ଚେତାବନୀ ଦେଲେ ଯେ ବୈଚାରିକ ବିବାଦ କର ନାହିଁ, ସତେ ଯେପରି ଏଇ କଥାକୁ ଅପେକ୍ଷା କରି ରହିଥିଲେ ଏଇ ବୌଦ୍ଧକ ଦାସତାରେ ଦଂସିତ ବୁଦ୍ଧିଜୀବୀଗଣ। ଫଳତଃ ସେମାନେ ମୌନବ୍ରତ କଲେ। ଯେଉଁଦିନ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେଲା ତା' ପରଦିନ ଦିଲ୍ଲୀରୁ ବାହାରୁଥିବା ଅସଂଖ୍ୟ ଖବରକାଗଜ ଭିତରୁ ମାତ୍ର ଦୁଇଟି ଖବରକାଗଜ ଏହି ଖବରକୁ ଛପାଇଥିଲା। ଅର୍ଥାତ୍ ଅନ୍ୟ ଖବରକାଗଜ ସମ୍ପାଦକ ମାନଙ୍କର ସାହସ ଟିକକ ବି ମରି ସାରିଥିଲା। ସେତେବେଳେ ଅନେକ କୁଳପତି, ଉଦ୍ୟୋଗପତି ଓ ଅନେକ ବୁଦ୍ଧିଜୀବୀ ସଞ୍ଜୟ ଗାନ୍ଧୀଙ୍କ ରଙ୍ଗରେ ନିଜକୁ ରଙ୍ଗେଇ ଦେଇଥିଲେ। ଯେତେବେଳେ ଅନେକ ଅଧ୍ୟାପକ( ପାଠକ ବନ୍ଧୁ, ଆମ ଓଡ଼ିଶାର ତତ୍କାଳୀନ ଜଣେ ଅଧ୍ୟାପକ ଉମେଶ ପତ୍ରୀ, ତାଙ୍କ ଜୀବନୀ ପୁସ୍ତକରୁ "ମୋ ଅଧ୍ୟାପକ ଜୀବନର ପ୍ରଥମ ଆଘାତ ପଢ଼ନ୍ତୁ), ଲେଖକ, ସାମ୍ବାଦିକ ଓ ପ୍ରାୟତଃ ସବୁ ପ୍ରମୁଖ ବିପକ୍ଷ ରାଜନୈତିକ ଦଳର ସମସ୍ତ ନେତାଗଣ, ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସମସ୍ତ କର୍ମକର୍ତ୍ତା, ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସମସ୍ତ କର୍ମକର୍ତ୍ତାଙ୍କୁ ଜେଲରେ ଭର୍ତ୍ତି କରାଗଲା। ସେତେବେଳେ ସବୁଠାରୁ ପ୍ରସିଦ୍ଧ ସମ୍ପାଦକ ଇଂରାଜୀ ଲେଖକ ଖୁସବନ୍ତ ସିଂହ କହିଥିଲେ ଦେଶ ପ୍ରଗତି ପଥରେ ଚାଲିଛି।
ଏପରି କହିବାରେ ସେ ଏକା ନ ଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମାର୍କ୍ସବାଦୀ ପ୍ରଫେସରମାନେ ଖୁସୀ ବାଣ୍ଟୁ ଥିଲେ। କାରଣ ସେଠି ସଂସ୍କୃତ ବିଭାଗ ବନ୍ଦ ହେବା ଉପରେ ଥିଲା। ସେହିମାନେ ଏମିନେଣ୍ଟ ହିଷ୍ଟୋରିଆନ୍ସ ରୂପେ ଗଣା ହୁଅନ୍ତି। ୧୯୯୮ରୁ ୨୦୦୪ ଓ ପୁଣି ୨୦୧୪ରେ କଥା କଥାରେ ଫାସୀଜିମ-ଫାସୀଜିମ କହିଥାନ୍ତି। ସେମାନେ ସବୁବେଳେ କୁହନ୍ତି ଗୋଟେ କରନ୍ତି ଆଉ ଗୋଟେ। ୧୯୭୫-୭୬ରେ ସେମାନଙ୍କର ସ୍ୱର ଅଲଗା ଥିଲା। ସେମାନେ କହୁଥିଲେ ଏଠାରେ ସୋଭିଏତ କିସମର କମ୍ୟୁନିଷ୍ଟ ଏକଛତ୍ରବାଦ ଶାସନ ଚାଲୁ। ସେତେବେଳେ ତାଙ୍କ ଭିତରୁ ଜଣେ ପ୍ରଖର ବୁଦ୍ଧିଜୀବୀ ଥିଲେ ମୋହିତ ସେନ, ସେ କହିଥିଲେ, ଏବେ ଆମେ ଇତିହାସ କେବଳ ପଢ଼ାଉ ନାହୁଁ, ବରଂ ଆମେ ଏବେ ଇତିହାସର କର୍ତ୍ତା ହୋଇଯାଇଛୁ। ଏବେ ଆମେ ଇତିହାସ ରଚିବୁ।
ଏଥିରୁ ବୁଝିବାକୁ ହେବ ଯେ, ଲୋକମାନଙ୍କ ଉପରେ ଜବରଦସ୍ତି ମିଥ୍ୟାଚାର ଆରୋପିବା ସେମାନଙ୍କର ଚାରିତ୍ରିକ ବିଶେଷତ୍ୱ, ଯାହା କେବେ ବି ବଦଳେ ନାହିଁ। ସେମାନଙ୍କର ସୁନ୍ଦର ସୁନ୍ଦର ଶବ୍ଦ ସଂଯୋଜନା ଜାଲରେ ପଡ଼ନ୍ତୁ ନାହିଁ, ସେମାନଙ୍କର କାର୍ଯ୍ୟକଳାପକୁ ଲକ୍ଷ୍ୟ କରନ୍ତୁ, ଆଜି ବି ଉପରୋକ୍ତ ପ୍ରମାଣ ନିତ୍ୟ ମିଳିଯିବ।
୩୦. ୧୨. ୧୭

No comments:
Post a Comment