ସୁପ୍ରସିଦ୍ଧ ଇଂରାଜୀ ମାସିକ ପତ୍ରିକା 'ସେମିନାର'ର ପ୍ରତିଷ୍ଠାତା ରମେଶ ଥାପର । ତାଙ୍କର ପତ୍ନୀ ରାଜ ଥାପର ନିଜ ଦୈନନ୍ଦିନୀରେ ସଂକଳିତ କରିଥିବା ଏକ ସଂସ୍ମରଣାତ୍ମକ ପୁସ୍ତକ ହେଉଛି "ଅଲ ଦିଜ ଇଅର୍ସ" ଯାହା ତାଙ୍କ ଦେହାନ୍ତ ପରେ ପ୍ରକାଶିତ ହୋଇଥିଲା। ଏହି ପୁସ୍ତକରେ ୧୯୪୩ରୁ ଆରମ୍ଭକରି ୧୯୮୪ ପର୍ଯ୍ୟନ୍ତ ଚାରିଟି ଦଶନ୍ଧିରେ ବୌଦ୍ଧିକ କ୍ଷେତ୍ରରେ ସକ୍ରିୟଥିବା ତାଙ୍କପରି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ବିପୁଳ ଅନୁଭବ ସ୍ଥାନ ପାଇଛି। ଏଥିରେ ଭାରତୀୟ ନେତା, ବୁଦ୍ଧିଜୀବୀ ଓ ସରକାରଙ୍କ ଅନ୍ତରଙ୍ଗ ପ୍ରତିଛବି ରହିଛି। ରାଜ ଓ ତାଙ୍କ ସ୍ୱାମୀ ରମେଶ ଥାପର ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ କାଳର ପ୍ରାରମ୍ଭିକ ୮ ବର୍ଷ ଅର୍ଥାତ୍ ଜରୁରୀ ପରିସ୍ଥିତି ଦେଶରେ ଲାଗିବା ପର୍ଯ୍ୟନ୍ତ ତାଙ୍କର ନିକଟ ମିତ୍ର ତଥା ପରାମର୍ଶଦାତା ଭାବେ ରହିଥିଲେ। ବସ୍ତୁତଃ ଏହି ଦୁଇ ଜଣ ହିଁ ଇନ୍ଦିରା ଗାନ୍ଧୀଙ୍କ ପାଖ ଲୋକ ଥିଲେ। ଏହି ନିକଟତା ତାଙ୍କୁ ପରବର୍ତ୍ତୀ ସମୟରେ ଅଲଗା ହେବାର କାରଣ ହୋଇଥିଲା। ଯଦିଓ ଇନ୍ଦିରା ଗାନ୍ଧୀ ତାଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ।
ରାଜ ଓ ରମେଶ ଉଭୟ ରାଷ୍ଟ୍ରୀୟ ଜୀବନର ଏକ ଗମ୍ଭୀର କାଳରେ ସକ୍ରିୟ ଥିବା ବ୍ୟକ୍ତିତ୍ୱ। ସୌଭାଗ୍ୟବଶତଃ ସେ ଦୁଇଜଣ କେବେ ବି ନିଜର ବୋଦ୍ଧିକତା, ଭାବନାତ୍ମକ ପ୍ରାମାଣିକତା, ମାନବିକତା, ଓ ସହଜ ବୁଦ୍ଧି-ବିବେକକୁ ପରିତ୍ୟାଗ କରି ନ ଥିଲେ।
ଏଥିପାଇଁ ସେମାନେ ପାଖରେ ଘଟୁଥିବା ଅନ୍ତର୍ବିରୋଧୀ, ମିଥ୍ୟାଚାର ଓ ଅନୈତିକ କାର୍ଯ୍ୟ ଗୁଡ଼ିକୁ ଉପେକ୍ଷା କରି ପାରିଲେ ନାହିଁ। ସେଗୁଡ଼ିକୁ ସେ ଲିପିବଦ୍ଧ କରି ପରପିଢ଼ି ପାଇଁ ଛାଡ଼ି ଯାଇଛନ୍ତି। ଅଲ ଦିଜ ଇଅର୍ସ ବହିର ତିନିଟି ଅଧ୍ୟାୟ (ପୃଷ୍ଠା ୪୦୪ ରୁ ୪୫୧) ଜରୁରୀକାଳୀନ ପରିସ୍ଥିତି ସମ୍ବନ୍ଧରେ ଲେଖାଯାଇଛି। ଏଥିରେ ଅନେକ ପ୍ରସଙ୍ଗର ରହସ୍ୟ ଖୋଲା ଯାଇଛି। ଅନେକ ବୁଦ୍ଧିଜୀବୀଙ୍କ ପ୍ରସଙ୍ଗ ରହିଛି ଯାହାକୁ ପାଠକଲେ ସେ ସମୟର ବୋଦ୍ଧିକ ସ୍ଥିତି ବୁଝିବାକୁ ସହଜ ହୁଏ। ଇନ୍ଦିରା ଗାନ୍ଧୀଙ୍କ ଦୋମୁହାଁ ନୀତି, ଆତ୍ମକେନ୍ଦ୍ରିତ ରାଜନୈତିକ ଶୈଳୀ, ଜରୁରୀ ପରିସ୍ଥିତିର ଏକଛତ୍ରବାଦ ବିଷୟରେ ଥାପର କଡ଼ା ସମାଲୋଚନା କରିଛନ୍ତି। ଏଥିପାଇଁ ତାଙ୍କୁ ସେହି ଜରୁରୀ ପରିସ୍ଥିତିରେ "ସେମିନାର"କୁ ବନ୍ଦ କରିବାକୁ ପଡ଼ିଥିଲା।
୨୯. ୧୨. ୧୭

No comments:
Post a Comment