Wednesday, 1 November 2017

*ଭାରତୀୟ ଚିନ୍ତନ*

ଏହାକୁ ହିନ୍ଦୁ ଚିନ୍ତନ ମଧ୍ୟ କୁହାଯାଇ ପାରିବ।
ହିନ୍ଦୁ ଚିନ୍ତନ ବା ବୈଦିକ ଚିନ୍ତନ ପୌର୍ବାତ୍ୟ ଚିନ୍ତନର ଜନକ ଅଟେ। ହିନ୍ଦୁ ଚିନ୍ତନ - ସାହିତ୍ୟ ବେଦ, ପୁରାଣ, ଉପନିଷଦ, ସ୍ମୃତି, ସଂହିତା, ନିର୍ଣ୍ଣୟ ଗ୍ରନ୍ଥ, ରାମାୟଣ-ମହାଭାରତ, ଗୀତା, ତିରୁକୁରଲ ଆଦି ଗ୍ରନ୍ଥଦ୍ୱାରା ଅତ୍ୟନ୍ତ ସମୃଦ୍ଧ ହୋଇଛି। ଏହି ଗ୍ରନ୍ଥମାନଙ୍କରେ ପ୍ରଜାଠୁ ନେଇ ରାଜା ପର୍ଯ୍ୟନ୍ତ, ବ୍ୟକ୍ତିଠୁ ନେଇ ସମାଜ ପର୍ଯ୍ୟନ୍ତ, ଯୁଦ୍ଧ ନୀତିଠୁ ନେଇ ବିଦେଶ ନୀତି ଓ ବ୍ୟାପାର ନୀତି ପର୍ଯ୍ୟନ୍ତ କର୍ତ୍ତବ୍ୟ ଓ ଦାୟିତ୍ୱବୋଧର ଏତେ ବିସ୍ତୃତ ବର୍ଣ୍ଣନା କରାଯାଇଛି ଯେ ଅନ୍ୟ କୌଣସି ପ୍ରାଚୀନ ଚିନ୍ତନରେ ଏତେ ଗଭୀର ବିଚାର ମିଳିବା କଠିନ।

ହିନ୍ଦୁତ୍ୱର କିଛି ପ୍ରମୁଖ ମୂଳ ତତ୍ତ୍ୱ ହେଲା - (୧) ସତ୍ୟ ସନାତନ । (୨) ବ୍ରହ୍ମ ସତ୍ୟ। (୩) ବେଦ ଅନ୍ତିମ ବାଣୀ।(୪) ସମସ୍ତଙ୍କୁ ଧର୍ମ ପାଳନ କରିବାକୁ ପଡ଼ିବ। (୫) ଆତ୍ମା ଅମର। (୬) ଅନ୍ତିମ ଲକ୍ଷ୍ୟ ମୋକ୍ଷ।

ଡା. ଗଙ୍ଗାଧର ଚୌଧୁରୀ ସନାତନ ଧର୍ମ ମୂଳ ତତ୍ତ୍ୱର ନିମ୍ନ ପ୍ରକାର ପରିଭାଷିତ କରିଛନ୍ତି - (୧) ଈଶ୍ବରଙ୍କ ଅସ୍ତିତ୍ୱ ଅଛି। ଓଁ ଏହାର ସ୍ୱରୂପ।(୨) ତ୍ରୀଦେବ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏବଂ ଅନ୍ୟ ଦେବତାମାନେ ଅଛନ୍ତି।(୩) ସମସ୍ତେ ଈଶ୍ବରଙ୍କ ଅଂଶ। (୪) ପ୍ରେମ ଦ୍ୱାରା ଏକାତ୍ମତା ଆସିଥାଏ। (୫) ସର୍ବ ପନ୍ଥ ସମାଦର।(୬) ତିନିଟି 'ଗ' ର ଜ୍ଞାନ - ଗଙ୍ଗା, ଗୀତା, ଗାୟତ୍ରୀ।
ଦଶଟି ପ୍ରମୁଖ ସୂତ୍ର - (୧) ସତ୍ୟ, (୨) ଅହିଂସା, (୩) ବ୍ରହ୍ମଚର୍ଯ୍ୟ, (୪) ଅସ୍ତେୟ, (୫) ଅପରିଗ୍ରହ, (୬) ଶୌଚ, (୭) ସନ୍ତୋଷ, (୮) ସ୍ୱାଧ୍ୟାୟ, (୯) ତପ, (୧୦) ଈଶ୍ୱର ଭକ୍ତି।

ଏହିପରି ବ୍ୟକ୍ତିଠୁ ନେଇ ରାଷ୍ଟ୍ର ଓ ସେଠାରୁ 'ବସୁଧା ଗୋଟିଏ କୁଟୁମ୍ବ' ପର୍ଯ୍ୟନ୍ତ ବୈଦିକ କଳ୍ପନା ଅଟେ। ଭାରତୀୟ ବିଦ୍ୱାନ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଏହାକୁ ଏକାତ୍ମ ମାନବ ଦର୍ଶନ ବୋଲି କହିଛନ୍ତି। ସେ ସେଥିରେ ବ୍ୟକ୍ତିକୁ ବ୍ୟଷ୍ଟି, ସମାଜକୁ ସମଷ୍ଟି, ପ୍ରକୃତିକୁ ସୃଷ୍ଟି ଓ ପରମାତ୍ମାଙ୍କୁ ପରମେଷ୍ଠି ବୋଲି କହିଛନ୍ତି। ମନୁଷ୍ୟର ଅନ୍ତିମ ଲକ୍ଷ୍ୟ ସମାଜ ଓ ପ୍ରକୃତି ସହ ତାଦାତ୍ମ୍ୟ ସ୍ଥାପିତ କରି ପରମେଷ୍ଠି ପର୍ଯ୍ୟନ୍ତ ପହଞ୍ଚିବା। ଶାସନ ବ୍ୟବସ୍ଥା ଏହା ଉପରେ ଛିଡ଼ା ହେବା ଉଚିତ।

ଧର୍ମ, ଅର୍ଥ, କାମ ଓ ମୋକ୍ଷ ଏହା ହିନ୍ଦୁତ୍ୱର ସିଡ଼ି ବୋଲି କୁହାଯାଏ। ବ୍ୟକ୍ତି ଓ ସମାଜର ବ୍ୟବହାର ଏହା ଅନୁସାରେ ହୋଇଥାଏ। ଅର୍ଥ ଅନ୍ତର୍ଗତ ରାଜନୀତି ସମବିଷ୍ଟ ହୋଇଥିଲା। ବୈଦିକ ସମୟରୁ ରଜନୀତିକୁ ଅର୍ଥଶାସ୍ତ୍ରର ଏକ ଅଙ୍ଗବୋଲି କୁହIଯାଇଛି। ଧର୍ମ ଅନୁଶାସନର ଏକ ଅଂଶ ଥିଲା ଓ ସେହି ଅନୁସାରେ ଦଣ୍ଡ ନୀତି ତିଆରି ହେଉଥିଲା। କାମ ଓ କର୍ତ୍ତବ୍ୟକୁ ଇଙ୍ଗିତ କରୁଥିଲା। ମୋକ୍ଷ ଶେଷରେ ପରମାତ୍ମାଙ୍କ ସହ ମିଶିବା ଅଟେ।

ଋଗବେଦର ଦଶମ ମଣ୍ଡଳରେ ୧୯୧ଟି ରୁଚା ଅଛି।
ଏଥିରେ ୧ ରୁ ୪ ପର୍ଯ୍ୟନ୍ତ ସୂକ୍ତରେ ଗଣତନ୍ତ୍ର କଥା କୁହାଯାଇଛି। ଲୋକତନ୍ତ୍ରର ଏହା ସବୁଠୁ ପ୍ରାଚୀନ ଉଲ୍ଲେଖ ଅଟେ।

'ସଭା' ଶବ୍ଦ ବେଦରେ ଉଲ୍ଲେଖ ହୋଇ ଥିବାରୁ ଆମର ଏଠି ବିଧାନ ସଭା, ଲୋକ ସଭା, ରାଜ୍ୟ ସଭା ଆଦି ଶବ୍ଦ ପ୍ରଚଳିତ।

ବେଦରେ ନିର୍ବାଚିତ ରାଜା ବା ନେତାଙ୍କୁ ହଟାଇବା ଜନତାର ପୂର୍ଣ୍ଣ ଅଧିକାର ବୋଲି କୁହାଯାଇଛି। ଅଥର୍ବ ବେଦରେ ଦ୍ୱାଦଶ ମଣ୍ଡଳର 'ପୃଥ୍ଵୀବି ସୂକ୍ତରେ ରାଷ୍ଟ୍ରର ସଂକଳ୍ପନା ସ୍ପଷ୍ଟ କରାଯାଇଛି। ଚାଣକ୍ୟ ନିଜ 'ଅର୍ଥଶାସ୍ତ୍ର' ରେ ରାଜକର୍ଯ୍ୟ ଓ ଦଣ୍ଡ ନୀତିକୁ ବିସ୍ତୃତ ଭାବାରେ ବର୍ଣ୍ଣନା କରାଯାଇଛି।

'ରାମରାଜ୍ୟ' ଶବ୍ଦ ହିନ୍ଦୁ ଚିନ୍ତନରେ ବାରମ୍ବାର ଉଲ୍ଲେଖ ହୋଇଥାଏ। ରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି କୁହାଯାଏ। ଯେତେବେଳେ ରାଜ ସିଂହାସନ ମିଳୁଥିଲା ସେତେବେଳେ ସେ ଧର୍ମର ଅଧୀନରେ ରହି ବନବାସ ବ୍ରତ ଗ୍ରହଣ କଲେ। ସେ ଅଧିକାର ଅପେକ୍ଷା କର୍ତ୍ତବ୍ୟକୁ ଅର୍ଥାତ ଧର୍ମକୁ ଶ୍ରେଷ୍ଠ ବୋଲି ଭାବିଲେ।

ସେହିପରି ମହାଭାରତ ଯୁଦ୍ଧରେ ବିଜୟଲାଭ କରିବା ପରେ ଯୁଧିଷ୍ଠିରଙ୍କୁ ପିତାମହ ଭୀଷ୍ମ ରାଜଧର୍ମ ବିଷୟରେ ଶିକ୍ଷା ଦେଇଥିଲେ।

ଯୁଦ୍ଧକ୍ଷେତ୍ର କୁରୁକ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଜ୍ଞାନ ଶ୍ରୀମଦ୍ଭଗବତଗୀତା ନାମରେ ପ୍ରସିଦ୍ଧ। ତାହା କର୍ମ, ଧର୍ମ, ଯୁଦ୍ଧ, ନୀତି ଓ ରାଜନୀତି ଉପରେ ବିଶ୍ୱର ସବୁଠୁ ଶ୍ରେଷ୍ଠ ଗ୍ରନ୍ଥ ଅଟେ। କୌଣସି ଧର୍ମ ଚିନ୍ତନରେ ଏପରି ଗଭୀରତା ଦେଖିବାକୁ ମିଳେ ନାହିଁ।

ସତ୍ୟର ଯେତେ ବିସ୍ତାର ବୈଦିକ ତତ୍ତ୍ୱଜ୍ଞାନରେ ଅଛି, ସେତେ ଅନ୍ୟତ୍ର ମିଳିବା ଦୁର୍ଲଭ।
ଅନ୍ୟ ଚିନ୍ତନରେ ଧର୍ମ-ବିସ୍ତାର ଓ ଏଥିପାଇଁ କ୍ଷମତା ବିସ୍ତାର ଅର୍ଥାତ ତାତ୍କାଳିକତା ଅନ୍ୟ ଶବ୍ଦରେ କହିବା ତ ମୋହ-ମାୟା-ସ୍ୱାର୍ଥ ଆଦି କାରକଗୁଡ଼ିକ ଅଧିକ ପ୍ରଭାବୀ ହୋଇଥାନ୍ତି।

ବିଶ୍ୱର ବିଭିନ୍ନ ଧାର୍ମିକ ଚିନ୍ତନ ଓ ତାଙ୍କର ରାଜନୀତି ଉପରେ ପ୍ରଭାବ ବିଷୟରେ ଏହା ହିଁ ମୋଟାମୋଟି କଥା। ଏହାର ଗହନ ବିଶ୍ଳେଷଣ ଦ୍ୱାରା ଆମକୁ ସଠିକ ଜ୍ଞାନ ମିଳିବ ଓ କିଛି ଅବଧାରଣା ଅଧିକ ସ୍ପଷ୍ଟ ହୋଇଯିବ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ସବୁ ଧାର୍ମିକ ଚିନ୍ତନ ଏସିଆରୁ ହିଁ ବିକଶିତ ହୋଇଛି।
ଇହୁଦୀ, ଇଶାଇ, ଇସଲାମ, ଜୋରାଷ୍ଟ୍ରୀୟ ପଶ୍ଚିମ ଏସିଆର ଦାନ ହୋଇଥିବା ବେଳେ  ବୈଦିକ, ସନାତନ, ଜୈନ, ବୌଦ୍ଧ ଆଦି ଚିନ୍ତନ ଭାରତ ଅର୍ଥାତ ପୂର୍ବ ଏସିଆର ଦାନ ଅଟେ।

ଅର୍ଥାତ ଏସିଆ ହିଁ ସାରା ବିଶ୍ୱକୁ ଧାର୍ମିକ ଚିନ୍ତନ ଓ ସେହି ଅନୁସାରେ ଜୀବନଶୈଳୀ ଦେଇଛି।
ଏଥିରେ ଆଉ ଏକ ଦୃଷ୍ଟି ଆମକୁ ମିଳେ ଯେ ସର୍ବାଧିକ ବିକଶିତ ସଭ୍ୟତା ଜମ୍ବୁ ଦ୍ବୀପ ବା ଆର୍ଯ୍ୟାବର୍ତ୍ତରେ, ହିନ୍ଦୁସ୍ଥାନରେ ବା ଭାରତରେ ଥିଲା।

ସିନ୍ଧୁ ଘାଟିର ସଭ୍ୟତା ଆଜିଠୁ ୫୦୦୦ ବର୍ଷ ପୂର୍ବ ବୋଲି କୁହାଯାଉଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଧର୍ମ-ସୂତ୍ର ସର୍ବ ପ୍ରଥମେ ଏଇ କ୍ଷେତ୍ରରେ ବିକଶିତ ହୋଇଛି ଏବଂ ଏଠାରୁ ଅନ୍ୟ ଆଡ଼େ ବିସ୍ତାରିତ ହୋଇଛି, ନୂତନ ସ୍ୱରୂପ ପ୍ରାପ୍ତ କରିଛି, ନୂଆ ସମ୍ପ୍ରଦାୟ ସୃଷ୍ଟି ହୋଇଛି। ଫଳସ୍ୱରୂପ, ରାଜତନ୍ତ୍ର ମଧ୍ୟ ଏଠାରେ ସର୍ବ ପ୍ରଥମେ ବିକଶିତ ହୋଇଛି ଯାହାର ଭିନ୍ନ ଭିନ୍ନ ରୂପ ଆଜି ସାରା ବିଶ୍ବରେ ଦେଖିବାକୁ ମିଳେ।

୨.୧୧.୧୭

No comments: