Monday, 20 November 2017

*ପ.କୁରାନରେ ସ୍ୱର୍ଗର ବର୍ଣ୍ଣନ*

ପବିତ୍ର କୁରାନରେ ସ୍ୱର୍ଗର ବର୍ଣ୍ଣନା ସ୍ଥାନୀୟ ବାଲୁକା ପ୍ରଦେଶର ପୃଷ୍ଠଭୂମି ଉପରେ ଆଧାରିତ। ମରୁଭୂମିରେ ଯେଉଁଠି ଚତୁର୍ଦିଗ କେବଳ ଜଳ ବିହୀନ ବାଲୁକାମୟ ସମୁଦ୍ର, ଯେଉଁଠି ଗଛ ପତ୍ରର ଗନ୍ଧ ବାସନା ନ ଥାଏ, ଏପରି ପ୍ରଦେଶରେ ରହୁଥିବା ଲୋକଙ୍କ ପାଇଁ  ଭରପୂର ପାଣି, ସୁନ୍ଦର ଉଦ୍ୟାନ ଏବଂ ଉତ୍ତମ ଖାଦ୍ୟର ଆକର୍ଷଣ ରହିବା ସ୍ୱାଭାବିକ। ପ. କୁରାନରେ ସ୍ୱର୍ଗର ବର୍ଣ୍ଣନା ତଦନୁରୂପେ ହୋଇଛି।
ପ.କୁରାନରେ ମକ୍କାକାଳୀନ ସୁରା ଅଲ ଲାକିୟା(କ୍ର.୫୬) ରେ ସ୍ୱର୍ଗ ଓ ନର୍କର ବର୍ଣ୍ଣନା ହୋଇଛି। ସେଥିରେ ମୃତାତ୍ମାକୁ ତିନି ବର୍ଗରେ ବିଭାଜିତ କରାଯାଇଛି। ସବୁଠୁ ଆଗେ ରହିଥିବା ଲୋକ ପ୍ରଥମ କ୍ରମାଙ୍କରେ ରହିବେ। ତାଙ୍କ ଉପରେ ଆଲ୍ଲାହଙ୍କ ଅସୀମ କୃପା ରହିବ। ଦ୍ଵିତୀୟ ପ୍ରକାର ଲୋକ ଆଲ୍ଲାହଙ୍କ ଡାହାଣ ପଟେ ରହିବେ, ସେମାନେ ଖାଣ୍ଟି ମୁସଲମାନ ହେବେ ଓ ସେମାନଙ୍କୁ ସ୍ୱର୍ଗ ସୁଖ ମିଳିବ। ତୃତୀୟ ପ୍ରକାର ଲୋକ ବାମ ପଟେ ରହିବେ ଓ ସେମାନଙ୍କୁ ନର୍କ ଯାତନା ମିଳିବ।
"ଏମାନଙ୍କୁ ଯେତେବେଳେ ତିନି ଶ୍ରେଣୀରେ  ବିଭାଜିତ କରାଯିବ ସେତେବେଳେ ଡାହାଣ ପଟେ ଥିବା ଲୋକେ ଭାଗ୍ୟବାନ, ବାମ ପଟେ ଥିବା ଲୋକଙ୍କ ଭାଗ୍ୟ ଖରାପ

ଯିଏ ପ୍ରଥମ କ୍ରମାଙ୍କର ଥିବେ ସେମାନେ ଆଲ୍ଲାହଙ୍କ ନିକଟବର୍ତ୍ତୀ ଲୋକ ହେବେ। ସେମାନେ ଐଶ୍ୱର୍ଯ୍ୟସମ୍ପନ୍ନ ସ୍ଵର୍ଗରେ ରହିବେ। ତାଙ୍କ ପଛରେ ଥିବା କିଛି ଲୋକ ସୂକ୍ଷ୍ମ କରୁକାର୍ଯ୍ୟଯୁକ୍ତ (ନକାଶୀଦାର) ଗାଳିଚା ଉପରେ ତକିଆ ରଖି ପରସ୍ପର ମୁହାଁମୁହିଁ କରି ବସିଥିବେ। ତାଙ୍କର ଏହି ରଙ୍ଗମଞ୍ଚରେ  ଛୁଆମାନେ ବହୁଥିବା ଝରଣା ପାଣିର ପାନୀୟରେ ଭରିଥିବା ଗ୍ଲାସ ଏବଂ ସୁରହି ଧରି ସ୍ୱାଗତ ପାଇଁ ଛିଡ଼ା ହୋଇଥିବେ। ଏହାକୁ ପାନକଲେ  ତାଙ୍କ ମୁଣ୍ଡ ମଧ୍ୟ ଘୁରାଇବ ନାହିଁ ଏବଂ ବୁଦ୍ଧି ମଧ୍ୟ ଭ୍ରଷ୍ଟ ହେବ ନାହିଁ। ତାଙ୍କ ପାତ୍ରରେ ନାନା ପ୍ରକାର ଫଳ, ନାନାପ୍ରକାର ପକ୍ଷୀଙ୍କ ମାଂସ ପରଷା ଯିବ, ଯାହାକୁ ଯାହା ପସନ୍ଦ ତାହା ଖାଇ ପାରିବେ। ତାଙ୍କ ପାଇଁ ସୁନ୍ଦର ଚକ୍ଷୁଥିବା ଅପସରା ମଧ୍ୟ ସେଠି ଛିଡ଼ା ହୋଇଥିବେ। ପୃଥିବୀରେ ଥାଇ ମଧ୍ୟ ସେମାନେ ଯେଉଁ କର୍ମ କରିଛନ୍ତି ତାର ପାଉଣା ସ୍ଵରୂପ ଏହା ତାଙ୍କୁ ମିଳିବ। ସେଠାରେ ସେମାନେ କୌଣସି ଖରାପ କଥା ବା ପାପ କଥା ଶୁଣିବାକୁ ପାଇବେ ନାହିଁ। ଯାହା ହେବ ସବୁ ଠିକ ହେବ। (୫୬.୭-୨୬)

ଡାହାଣ ପଟେ ଥିବା ଲୋକଙ୍କ ସୌଭାଗ୍ୟ ବିଷୟରେ କଣ ଆଉ କହିବା ? ବିନା କଣ୍ଟା ଥିବା ବରକୋଳି ଗଛ, କଦଳୀ କାନ୍ଦି ଭର୍ତ୍ତି ହୋଇଥିବା କଦଳୀ ଗଛ, ଦିଗନ୍ତ ବିସ୍ତାରିତ ଛାଇ,  ସଦା ପ୍ରବାହିତ ଜଳ, କେବେ ସମାପ୍ତ ହେଉନଥିବା ବାରମାସୀ ଫଳ, ଶୋଇବା ପାଇଁ ତୂଳିତଳ୍ପ ଶଯ୍ୟା ଓ ତା ସହିତ ମନ ଚାହୁଁଥିବା ସମସ୍ତ ବସ୍ତୁ ଉପଲବ୍ଧ ଥିବ ।

୨୧.୧୧.୧୭

No comments: