ବ୍ୟବସାୟ କରୁଥିବା ବ୍ୟକ୍ତି ସାହସିକ ହୋଇଥାନ୍ତି। ଆଜିକାଲିର ପ୍ରତିଯୋଗିତା କାରଣରୁ ନୂଆ ନୂଆ କୌଶଳ ବିକଶିତ ହେଉଛି। ଇଣ୍ଟରନେଟ ଆଧାରରେ ବ୍ୟବସାୟର ନୂଆ ଦିଗ ସବୁ ଖୋଲି ଗଲାଣି। ପ୍ରତି ଦୁଇ ମାସରେ ମୋବାଇଲ ଫୋନର ନୂଆ ପ୍ରକାର ବଜାରକୁ ଆସୁଛି। ତେଣୁ ବ୍ୟବସାୟକୁ ବଢ଼ାଇବା ପାଇଁ ମଧ୍ୟ ଜ୍ଞାନ-ସାଧନା ଓ କୌଶଳ-ସାଧନା ଉଭୟ ଆବଶ୍ୟକ। ଗୀତା ଉଭୟକୁ ପବିତ୍ରତା ସହ ଯୋଡ଼ିଥାଏ।
'ନ ହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ'
ଏବଂ
'ଯୋଗଃ କର୍ମସୁ କୌଶଳମ୍'
ଏଇ ଦୁଇଟି ସିଦ୍ଧାନ୍ତ 'ଗୀତା' ରେ ରହିଛି।
ଆଧୁନିକ ବିଶ୍ୱ ମଧ୍ୟ ପଶୁ ଶକ୍ତି, ଅସ୍ତ୍ର ଶକ୍ତି, ଅର୍ଥ ଶକ୍ତି ଆଦି ଦେଇ ଏବେ ଆସି ଜ୍ଞାନ ଶକ୍ତି ପାଖରେ ପହଞ୍ଚିଛି। ମନୁଷ୍ୟର କାମ ରୋବଟ କରିଦେଉଛି। କୃତ୍ରିମ ବୁଦ୍ଧିମତ୍ତା ସଂଶୋଧିତ ହେଉଛି। ଏପରି ପରିସ୍ଥିତିରେ ନିଜ ବ୍ୟବସାୟକୁ ବଢ଼ାଇବା ପାଇଁ ନୂଆ ନୂଆ ଜ୍ଞାନ କୌଶଳକୁ ଜାଣିବା ଅତି ଆବଶ୍ୟକ ହୋଇଯାଇଛି।
ଗୀତାରେ କୌଶଳ ବଢ଼ାଇବାକୁ ଯୋଗ କୁହାଯାଇଛି।
ଯୋଗ ମାନେ ଯୋଡ଼ିବା। ବ୍ୟକ୍ତିକୁ ପରମ ଚୈତନ୍ୟ ସହ ଯୋଡ଼ିବାକୁ ଯୋଗ କୁହଯାଏ। ଗୀତା କହୁଛି ନିଜର ଛୋଟ ମୋଟ କାମକୁ ମଧ୍ୟ ଠିକ୍ ଭାବେ କରନ୍ତୁ। ସେହି ସବୁ କାମକୁ ଆହୁରୀ ଭଲ ଭାବେ କରନ୍ତୁ। ନିଜର ସ୍ୱଭାବକୁ ଭଲ କରିବା ଦିଗରେ ନିଅନ୍ତୁ। ନିଜର ପିନ୍ଧିବାର ବସ୍ତ୍ର ସଫା ସୁତୁରା ରଖନ୍ତୁ। ନିଜ ଜିନିଷପତ୍ର ବ୍ୟବସ୍ଥିତ ରଖନ୍ତୁ। ନିଜ କାମର ତାଲିକା ପ୍ରସ୍ତୁତ କରନ୍ତୁ। ସମାୟାନୁବର୍ତ୍ତୀ ହୁଅନ୍ତୁ। ଏହା ହିଁ ଯୋଗ ଅଟେ। ନିଜ କାର୍ଯ୍ୟକୁ ସୁଚାରୁ ରୂପେ କରିବାର ମାନସିକତା ଓ ଅଭ୍ୟାସ ହିଁ ଯୋଗ ଅଟେ। ସମୟର, ସାମଗ୍ରୀର ଏବଂ ଅର୍ଥର ଅନାବଶ୍ୟକ ବ୍ୟୟକୁ ନିୟନ୍ତ୍ରଣ କରିବା ମଧ୍ୟ ଯୋଗ ଅଟେ। ଏଥିପାଇଁ ଗୀତାଜ୍ଞାନ ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଉପଯୁକ୍ତ ଅଟେ।
୭. ୧୧. ୧୭

No comments:
Post a Comment