Friday, 3 November 2017

*ଭଗବତ ଗୀତା ସମସ୍ତଙ୍କ ପାଇଁ*

କୁରୁକ୍ଷେତ୍ରର ଯୁଦ୍ଧ ପ୍ରାଙ୍ଗଣରେ ଭୟଭୀତ ଏବଂ ହତାଶ ହୋଇଥିବା ଅର୍ଜୁନଙ୍କୁ ଭଗବାନ ଶ୍ରୀକୃଷ୍ଣ ଗୀତା ଶୁଣାଇ ଥିଲେ। ମହର୍ଷି ବେଦବ୍ୟାସଙ୍କ ରଚିତ ମହାଭାରତର ଗୀତା ଏକ ଅଧ୍ୟାୟ । ଏଥିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯୁଦ୍ଧ କରିବା ପାଇଁ ପ୍ରବୃତ୍ତ କାରାଉଛନ୍ତି। ଯୁଦ୍ଧ ନ କରିବା ପାଇଁ ଅର୍ଜୁନ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଛନ୍ତି ତାକୁ ବାହାନା କରି ଭଗବାନ ଶ୍ରୀକୃଷ୍ଣ ସଂସାରର ଗହନ ସତ୍ୟକୁ ଉପସ୍ଥାପନ କରିଛନ୍ତି।

ଇଂରେଜ ଶାସନ ସମୟରେ ଚାଫେକର ବନ୍ଧୁଙ୍କ ଠାରୁ ଆରମ୍ଭକରି ମଦନଲାଲ ଧିଙ୍ଗ୍ରାଙ୍କ ପର୍ଯ୍ୟନ୍ତ ସମସ୍ତ କ୍ରାନ୍ତିକାରୀଙ୍କ ପ୍ରେରଣା ସ୍ରୋତ ଥିଲା ଏଇ ଭଗବତ ଗୀତା। ମହାତ୍ମା ଗାନ୍ଧୀ ମଧ୍ୟ ଗୀତାକୁ ନିଜର ପ୍ରେରଣାଦାୟୀ ଗ୍ରନ୍ଥ ବୋଲି କହିଛନ୍ତି। ଜୀବନର ଜଟିଳ ପ୍ରଶ୍ନର ଉତ୍ତର ସେ ଗୀତାରୁ ଖୋଜୁଥିଲେ। ଭାରତୀୟ ନ୍ୟାୟାଳୟର ସାକ୍ଷୀ ହିନ୍ଦୁ ହୋଇ ଥିଲେ ତାକୁ ଗୀତା ଛୁଇଁ ସତ କହିବାକୁ ଶପଥ କରାଯାଏ। ଭାରତର ପ୍ରଧାନମନ୍ତ୍ରୀ ବିଦେଶୀ ରାଜନୀତିଜ୍ଞମାନଙ୍କୁ ଗୀତା ଭେଟସ୍ୱରୂପ ଦିଅନ୍ତି। ତେଣୁ ଭଗବତ ଗୀତାକୁ ଭାରତର ତତ୍ତ୍ୱଜ୍ଞାନ, ଭାରତର ବ୍ୟକ୍ତିତ୍ବ ଓ ଭାରତୀୟତାର ହସ୍ତାକ୍ଷର ବୋଲି କୁହାଯାଇ ପାରିବ।

ମୂଳ ଗୀତା ସଂସ୍କୃତରେ ଅଛି, କିନ୍ତୁ ତାର ଅନୁବାଦ ପ୍ରତ୍ୟେକ ଭାରତୀୟ ଭାଷାରେ ଅନୁବାଦ ହୋଇଛି। ଅନେକ ବିଦ୍ୱାନ ତତ୍ତ୍ଵଚିନ୍ତକ ଗୀତାର ଭାଷ୍ୟ ଲେଖିଛନ୍ତି। ତେଣୁ ଗୀତା ଆଧାରିତ ସାହିତ୍ୟ ସବୁ ଭାଷାରେ ଉପଲବ୍ଧ।

ସମସ୍ତଙ୍କ ପାଇଁ

ଭଗବାନ ଶ୍ରୀକୃଷ୍ଣ ଗୀତା ଶୁଣାଇଥିଲେ ଅର୍ଜୁନଙ୍କୁ ଯୁଦ୍ଧରେ ପ୍ରବୃତ୍ତ କରାଇବା ପାଇଁ। ମୋତେ ତ ଯୁଦ୍ଧ କରିବାର ନାହିଁ, ମୁଁ ତ ସୈନିକ ନୁହେଁ, ମୁଁ ମଧ୍ୟ ଯୋଗୀ ନୁହଁ, ତେବେ ମୋର ଗୀତା କେଉଁ କାର୍ଯ୍ୟରେ ଲାଗିବ ? ଏପରି ଅନେକ ପ୍ରଶ୍ନ ବ୍ୟକ୍ତି ମନରେ ଆସିବା ସ୍ଵାଭାବିକ।

ସାଧାରଣ ବ୍ୟକ୍ତି ବିଚାର କରେ ଗୀତା ପଢ଼ିବା ତ ବିଦ୍ୱାନ ମାନଙ୍କ କାର୍ଯ୍ୟ। ମୁଁ ତ ଜଣେ ସାଧାରଣ ମଣିଷ। ମୋ ମନରେ ଗୀତା ପ୍ରତି ଅତ୍ୟନ୍ତ ଶ୍ରଦ୍ଧା ଅଛି କାରଣ ଏହା ସାକ୍ଷାତ ପୂର୍ଣ୍ଣାବତାର ଭଗବାନ ଶ୍ରୀକୃଷ୍ଣଙ୍କ ଶ୍ରୀମୁଖରୁ ପ୍ରସ୍ଫୁଟିତ ହୋଇଛି। ତେଣୁ ମୁଁ ଏହାକୁ ଫୁଲ ଚନ୍ଦନ ଦେଇ ପୂଜା କରୁଛି । ଭକ୍ତିପୂର୍ବକ ପ୍ରଣାମ କରୁଛି। ଏହାଠୁ ଅଧିକ ମୁଁ ଆଉ କଣ କରିପାରିବି ? ବେଶୀରୁ ବେଶୀ ଦରକାର ପଡ଼ିଲେ ଦୁଇ ଚାରିଟି ଶ୍ଳୋକ ମୋର ମୁଖସ୍ତ ଅଛି ତାକୁ ଗାଇ  ଦେଲେ କିଛି ପୁଣ୍ୟ ମିଳିଯିବ।

କିନ୍ତୁ ପ୍ରକୃତରେ ଅର୍ଜୁନ ଏକ ବାହାନା, ଏକ ନିମିତ୍ତ। ତାଙ୍କ ମାଧ୍ୟମରେ ଭଗବାନ ଗୀତାକୁ ମାନବ ଧର୍ମର ସାର ହିସାବରେ ବୁଝାଇଦେଇ ଯାଇଛନ୍ତି। ଗୀତାରେ କେଉଁଠି ହିନ୍ଦୁ ଶବ୍ଦର ଉଲ୍ଲେଖ ହୋଇ ନାହିଁ। କୃଷ୍ଣ କେବଳ ହିନ୍ଦୁମାନଙ୍କ ନାମ ନୁହେଁ ସେ ତ ସ୍ୱୟଂ ଜଗନ୍ନାଥ। ଏଥିପାଇଁ ଗୀତା ସମସ୍ତ ମାନବ ସମାଜ ପାଇଁ ମାର୍ଗଦର୍ଶକ ଗ୍ରନ୍ଥ ଅଟେ। ଗୀତା ଅର୍ଥ ବ୍ୟବହାର-ଜ୍ଞାନ। ଗୀତା ମଧ୍ୟ ମାନସଶାସ୍ତ୍ର ଓ ସମାଜ ଶାସ୍ତ୍ର। ଗୀତା ବୈଜ୍ଞାନିକ ଦୃଷ୍ଟିକୋଣ ଦିଏ ଓ ଆସ୍ତିକତାର ଭିତ୍ତିଭୂମି ମଧ୍ୟ ତିଆରି କରେ।

ବ୍ୟକ୍ତି - ବିଦ୍ୟାର୍ଥୀ ହେଉ ବା ଗୃହସ୍ଥ, ବ୍ୟବସାୟୀ ହେଉ ବା ଉଦ୍ୟୋଗପତି, ସମାଜସେବୀ ହେଉ ବା ରାଜନେତା, ଗୃହିଣୀ ହେଉ ବା ପ୍ରଶାସନିକ ଅଧିକାରୀ, ସମସ୍ତଙ୍କୁ ନିଜ ଜୀବନର ପ୍ରତ୍ୟେକ ପଦକ୍ଷେପରେ ନିର୍ଣ୍ଣୟ ନେବାକୁ ପଡ଼େ। ଅନେକ ଥର କେଉଁ କାମ କରିବା ବା ନ କରିବା, କାହିଁକି କରିବା, କେତେ କରିବା..... ଏହିପରି ଦ୍ଵିବିଧା ସ୍ଥିତି ଆସେ। ଗୀତା ଏହି ସମୟରେ ଏକ ବ୍ୟାବହାରିକ ହେଣ୍ଡ ବୁକ ବା ପ୍ରସ୍ତୁତ ଥିବା ମାର୍ଗଦର୍ଶକ ଭଳି କାମ କରେ।

କାଲିଠାରୁ ସମାଜର ବିଭିନ୍ନ ଶ୍ରେଣୀପାଇଁ ଗୀତାର ଉପଦେଶ କ'ଣ ସବୁ ରହିଛି, ତାହା ଆଲୋଚନା କରିବା।

୩. ୧୧. ୧୭

No comments: