ଗୃହିଣୀ ଘରର ବିଭିନ୍ନ କାର୍ଯ୍ୟ କରିବା ସମୟରେ ଜ୍ଞାନ, କର୍ମ ଓ ଭକ୍ତିର ସମନ୍ୱୟ କିପରି କରିବାକୁ ହେବ ତାହା ମଧ୍ୟ ଗୀତା ଶିଖାଇଥାଏ। ଉଦାହରଣସ୍ୱରୂପ ରୋଷେଇ ସମୟରେ ଚାଉଳ ଧୋଇବା, ପରିବା କାଟିବା, ଅଟା ଚକୁଡ଼ିବା ଆଦି କାମ ସେ କୁଶଳତାର ସହିତ କରିଥାଏ। ପ୍ରେସର କୁକରକୁ ଚୁଲି ଉପରେ ରଖିଦେଇ ତାପରେ ପରିବା କାଟେ ଯଦ୍ୱାରା ଖାଦ୍ୟ ସିଝୁ ସିଝୁ ଅନ୍ୟକାମପୂରା କରିଦିଏ।
ଏମିତି ରାନ୍ଧୁ ରାନ୍ଧୁ ଯଦି ଲୁଣ ଲଙ୍କା କେତେ ପଡ଼ିବ, ଛୁଙ୍କ କେମିତି କରିବ ଇତ୍ୟାଦି ଜ୍ଞାନ ହୋଇଯାଏ ତେବେ ସେ ଅଧିକ ସୁସ୍ୱାଦୁ ଖାଦ୍ୟ ଅଳ୍ପ ସମୟରେ ପ୍ରସ୍ତୁତ କରିଦିଏ।
ଏଥିରେ ମଧ୍ୟ ନିଜ ପରିବାରର ଲୋକଙ୍କୁ ଓ ପ୍ରିୟଜନମାନଙ୍କୁ ଠିକ୍ ସମୟରେ ଭୋଜନ କରାଇବାର ଭାବ ତା'ର ମନରେ ଥିବାରୁ ସେ ଭୋଜନରେ ଭକ୍ତିରସ ଅଧିକ ହୋଇଯାଏ। ଭଗବାନଙ୍କୁ ସେ ପ୍ରଥମେ ଖାଦ୍ୟ ସମର୍ପଣ କରେ ଓ ତା'ପରେ ପରିବେଷଣ କରିବା ଦ୍ୱାରା ସେହି ଭୋଜନ ପ୍ରସାଦରେ ପରିଣତ ହୋଇଯାଏ।
ସ୍ତ୍ରୀ ସ୍ଵଭାବତଃ ଚଞ୍ଚଳା। ଛୋଟ ଛୋଟ କଥା ତାକୁ ଅସ୍ତବ୍ୟସ୍ତ କରିଦେଇଥାଏ। ଏହି ସମୟରେ ଗୀତା
କହିଥାଏ ଯେ ଧୀରେ ଧୀରେ ଅଭ୍ୟାସ ଦ୍ୱାରା ଓ ଶ୍ରଦ୍ଧା ଦ୍ୱାରା ଈଶ୍ବରଙ୍କ ଉପରେ ସମସ୍ତ ଚିନ୍ତା ଅର୍ପଣ କରି ମନକୁ ଶାନ୍ତ କରାଯାଇ ପାରେ। ଯେଉଁ ଭଗବାନ ଦ୍ରୌପଦୀଙ୍କ ଲଜ୍ଜ୍ୟା ନିବାରଣ କରିଥିଲେ, ସେହି ଭଗବାନ ଯଦି ମୋର ରକ୍ଷକ, ତେବେ ଚିନ୍ତା କଣ ପାଇଁ ? ଏମିତି ଭାବ ତାର ମନକୁ ଆସିଥାଏ। ସିଏ ତ ନିଜେ ଗୀତରେ କହିଛନ୍ତି, ଯିଏ ଅନନ୍ୟ ଭାବରେ ମୋର ଭକ୍ତି କରିବ, ତା'ର ଯୋଗକ୍ଷମର ଚିନ୍ତା ମୁଁ କରିବି। ଏଭଳି ଆଶ୍ୱାସନା ଭଗବାନ ଶ୍ରୀକୃଷ୍ଣ ଗୀତାରେ ଦେଇଛନ୍ତି।
ଘରେ ଈଶ୍ୱର ଭକ୍ତିର ଦୀପ ଘରର ଗୃହଲକ୍ଷ୍ମୀ ହାତରେ ଥାଏ। ଗୃହିଣୀ ଗୀତାପାଠ କଲେ ଘରର ବାତାବରଣ ଭକ୍ତିମୟ ହୋଇଯିବ।
୬. ୧୧. ୧୭

No comments:
Post a Comment