ସାଧାରଣ ଵିଦ୍ୟାର୍ଥୀ ଗୀତାକୁ ଏକ ଧର୍ମ ପୁସ୍ତକ ରୂପେ ବିଚାର କରିଥାଏ। ସେ ଭାବେ ଏହି ଆଧ୍ୟାତ୍ମିକ ପୁସ୍ତକକୁ ପଢ଼ାପଢ଼ି ସରିବା ପରେ ଯଦି କେବେ ଫୁରସତ ମିଳିବ ତେବେ ପଢ଼ିବି। କିନ୍ତୁ ବିଦ୍ୟାର୍ଥୀ ଯଦି ଯୁବକ ଅବସ୍ଥାରେ ଗୀତା ପଢ଼ିବା ଆରମ୍ଭ କରିଦିଏ ତେବେ ଜୀବନ ସୂର୍ଯ୍ୟର ଉଦୟ ସମୟରେ ସେଥିରେ (ଗୀତାରେ) ଥିବା ସିଦ୍ଧାନ୍ତ ଗୁଡ଼ିକୁ ସେ ନିଜ ଜୀବନରେ ଠିକ୍ ଭାବେ ପ୍ରୟୋଗ କରିପାରିବ।
ବିଦ୍ୟାର୍ଥୀକୁ ଗୀତା ବିନମ୍ରତା ଶିଖାଇ ଥାଏ। ଗୀତା ଶିଖାଇ ଥାଏ ଯେ ପ୍ରଣିପାତ, ପରିପ୍ରଶ୍ନ ଓ ଗୁରୁଜନଙ୍କୁ ସେବା କଲେ ସେହି ଜ୍ଞାନୀ ଆମକୁ ଜ୍ଞାନ ଦେବେ। ବିଦ୍ୟା ଗ୍ରହଣ କରୁଥିବା ବିଦ୍ୟାର୍ଥୀ ଯଦି କୃତଜ୍ଞତା ଭାବରେ ପରିପୂର୍ଣ୍ଣ ଥାଏ ତେବେ ବିଦ୍ୟା ଅର୍ଜନ ପରିଣାମକାରକ ହୋଇଥାଏ। ଉଗ୍ର, ଉଦ୍ଦଣ୍ଡ ଓ ଅଭିମାନୀ ବ୍ୟକ୍ତି ଗ୍ରହଣଶୀଳ ହୋଇ ପାରନ୍ତି ନାହିଁ।
ବିଦ୍ୟାର୍ଥୀ ଅବସ୍ଥା ଶରୀର ସାଧନାର ମଧ୍ୟ ପ୍ରକୃଷ୍ଟ ସମୟ ଅଟେ। ଶରୀରକୁ କ୍ଷେତର ଉପମା ଦେଇ ଭଗବାନ ଶ୍ରୀକୃଷ୍ଣ ବୁଝାଇଛନ୍ତି ଯେ କ୍ଷେତରେ ଯେପରି ଉତ୍କୃଷ୍ଟ ବିହନ ବୁଣିଲେ ଓ ଅନାବଶ୍ୟକ ଗଛ ଉପାଡ଼ି ଫୋପାଡ଼ି ଦେଲେ ଭଲ ଫସଲ ମିଳିଥାଏ ସେହିପରି ଯୁବକ ଅବସ୍ଥାରେ ଶରୀର ସ୍ୱାସ୍ଥ୍ୟର ପୁଞ୍ଜିକୁ ଠିକ୍ କରିଦେଲେ ଜୀବନ ସାରା ସୁଖ ପାଇ ପାରିବ।
ସାତ୍ତ୍ଵିକ ସୁଖର ବ୍ୟାଖ୍ୟା କରି ଗୀତା କହିଥାଏ ଯେ ଯିଏ ପ୍ରଥମରୁ ବିଷ ଭଳି କଡ଼ା କିନ୍ତୁ ଯିଏ ପରିଣାମତଃ
ଅମୃତ ପରି ହୋଇଥାଏ, ତାହା ହିଁ ସାତ୍ତ୍ଵିକ ସୁଖ ଅଟେ। ଆଜିର ବିଦ୍ୟାର୍ଥୀକୁ ପ୍ରତ୍ୟୁଷରୁ ବିଛଣା ଛାଡ଼ିବା, ବ୍ୟାୟାମ କରିବା, ଏକ ସମୟରେ ଦୁଇ ତିନି ଘଣ୍ଟା ସ୍ଥିର ଚିତ୍ତରେ ଗୋଟିଏ ଜାଗାରେ ବସି ଅଧ୍ୟୟନ କରିବା ବଡ଼ ଅସମ୍ଭବ ଲାଗୁଛି। କିନ୍ତୁ ଏହାର ଫଳସ୍ୱରୂପ ତାର ଉଜ୍ଜ୍ୱଳ ଭବିଷ୍ୟତ ସମ୍ଭବ ହୋଇଥାଏ। ଏଇ ଗୀତା ପଢ଼ିବା ଦ୍ୱାରା ତାର ଧ୍ୟାନକୁ ଆସିଥାଏ ଯେ ଯାହା ମୋର ରୁଚିକର ତାକୁ କରିବା ଛାଡ଼ି ଯାହା ମୋ ପାଇଁ ଯୋଗ୍ୟ ତାହା ମୋତେ କରିବା ଆବଶ୍ୟକ।
ଗୀତା ପଢ଼ିବା ଦ୍ୱାରା ବିଦ୍ୟାର୍ଥୀର ମାନସ ଏଇଭଳି ଦୃଢ଼ ହୋଇଥାଏ।
୪. ୧୧. ୧୭

No comments:
Post a Comment