Wednesday, 8 November 2017

*ସମାଜସେବୀ(ସମ୍ବେଦନା ଓ ଆରାଧନା)

ଗୀତା 'ଆତ୍ମୋପନ୍ୟ' ଭାବରେ ସମସ୍ତଙ୍କୁ ଦେଖିବାକୁ ଶିଖାଇଥାଏ। 'ଆତ୍ମୋପନ୍ୟ' ର ଅର୍ଥ ହେଲା ନିଜକୁ ଅନ୍ୟ ସ୍ଥାନରେ ରଖି ବିଚାର କରିବା। ମୁଁ ଯଦି ତାଙ୍କ ସ୍ଥାନରେ ଥାଆନ୍ତି ତେବେ ମୁଁ କଣ କରିଥାନ୍ତି ? ଏଇ ବିଚାର କରିବା ଦ୍ୱାରା ସମ୍ବେଦନା ଜାଗୃତ ହୋଇଥାଏ।
ସମ୍ବେଦନଶୀଳ ହେବା ସମାଜସେବୀର ପ୍ରଥମ କର୍ତ୍ତବ୍ୟ ଅଟେ। ଅନ୍ୟର ଦୁଃଖ ଦେଖିବା ପରେ ସେ ନିଜେ ଦୁଃଖ ଅନୁଭବ କରେ ଓ ଦୁଃଖୀ ବ୍ୟକ୍ତିର ଦୁଃଖ ଦୂର କରିବାକୁ ଦୌଡ଼ିଯାଏ।

କାଶୀରୁ କାବଡ଼ ଯାତ୍ରା କରି ରାମେଶ୍ବରମରେ ଅଭିଷେକ କରିବା ପାଇଁ ଆଣିଥିବା ଗଙ୍ଗାଜଳକୁ ସନ୍ଥ ଏକନାଥ ଶୋଷରେ ଛଟପଟ ହେଉଥିବା ଏକ ଗଧ ମୁହଁରେ ଢାଳିଦେଲେ । ଏହାକୁ ଆତ୍ମୋପନ୍ୟ ଭାବ କୁହନ୍ତି।

ମୂଳ ପ୍ରଶ୍ନ ହେଲା ଯେ, କୌଣସି ବ୍ୟକ୍ତି ଅନ୍ୟର ସେବା କାହିଁକି କରେ ? ଗୀତାରେ ଭଗବାନ ଶ୍ରୀକୃଷ୍ଣ ଏହାର ଠିକ୍ ଉତ୍ତର ଦେଇଛନ୍ତି। ଈଶ୍ୱର ଭକ୍ତି ତ ଯେ କୌଣସି ବ୍ୟକ୍ତି ସହଜରୂପେ କରିଥାଆନ୍ତି; କିନ୍ତୁ ଗୀତାରେ କୁହାଯାଇଛି ଯେ, ଏ ସମାଜ ହିଁ ତୁମର ଈଶ୍ୱର ଅଟନ୍ତି। ଏ ସମାଜର ହାତ, ପାଦ, ଆଖି, କାନ, ମୁହଁ ଇତ୍ୟାଦି ସବୁ ଅଛି। ବ୍ୟକ୍ତିର ଶରୀର ଭଳି ସମାଜର ମଧ୍ୟ ଶରୀର ଅଛି। ସେହି ଶରୀର ହିଁ ମୋର ଶରୀର। ଅର୍ଥାତ ମୁଁ ସମାଜରୂପେ ଅଭିବ୍ୟକ୍ତ ହୋଇଛି। ମୋତେ ଜାଣିବାକୁ ଚାହୁଁଛ ତ ସମାଜ ସେବା କର। ମୋର ସେବା କରିବାକୁ ଚାହୁଁଛ ତ ସମାଜ ସେବା କର।

ଏହାକୁ ବ୍ୟାବହାରିକ ଅର୍ଥରେ 'ନର ସେବା-ନାରାୟଣ ସେବା' କୁହାଯାଇଛି। ଈଶ୍ୱରଭକ୍ତି ଭାବ ନେଇ ସମାଜ ସେବା କରୁଥିବା ମନୁଷ୍ୟ ଅହଂକାର ଦୋଷରୁ ମୁକ୍ତ ହୋଇ ସମାଜ ସେବା କରିଥାଏ। ଦୀର୍ଘକାଳ ପର୍ଯ୍ୟନ୍ତ ନିରପେକ୍ଷ ଭାବରେ ସେବା କରିବାପାଇଁ ଆଧ୍ୟାତ୍ମିକ ଆଧାର ନିହାତି ଆବଶ୍ୟକ।

ଏହି ଆଧାର ଦେଇଥାଏ ଗୀତା। ତେଣୁ ପ୍ରତ୍ୟେକ ସମାଜସେବୀ ଗୀତା ପଠନ କରିବା ଉଚିତ।

୮. ୧୧. ୧୭

No comments: