Friday, 1 September 2017

ସ୍ୱାବଲମ୍ବନ

  ବଙ୍ଗ ପ୍ରଦେଶର ଏକ ଛୋଟ ରେଳ ଷ୍ଟେସନରେ ଗୋଟିଏ ରେଳ ଗାଡ଼ି ଆସି ଅଟକିଗଲା । ସ୍ୱଚ୍ଛ ଧଳା ପୋଷାକ ପିନ୍ଧା ଯୁବକ ଜଣେ ଗାଡ଼ିରୁ ଓଲ୍ହାଇ 'କୁଲି ! କୁଲି !" ଡାକ ଛାଡ଼ିଲେ । ସେହି ଯୁବକଙ୍କ ପାଖରେ ବହୁତ କିଛି ଓଜନର ଜିନିଷ ନ ଥିଲା । ମାତ୍ର ଅଳ୍ପ ଓଜନର ଏକ ପେଟିଟିଏ ଥିଲା । ଏତେ ଛୋଟ ଷ୍ଟେସନରେ କୁଲି ବା କେଉଁଠୁ ମିଳିବେ ? କିନ୍ତୁ ଜଣେ ସାଦା ସିଧା ବ୍ୟକ୍ତି ଗାଉଁଲି ଭଳି ଜଣାପଡୁଥିଲେ,  ଗାଉଁଲି ବେଶ ପିନ୍ଧିଥିଲେ ସେ ହିଁ ଆସିଗଲେ ସେହି ଯୁବକ ପାଖକୁ । ଯୁବକ ଜଣକ ତାଙ୍କୁ କୁଲି ବୋଲି ଭାବି କହିଲେ - "ତୁମେ ତ ବହୁତ ସୁସ୍ଥ ସବଳ ଅଛ । ନେଇଚାଲ ଏଇ ପେଟିଟା ।"

ଗାଉଁଲି ଲୋକଟି କିଛି ଚିନ୍ତା ନ କରି ପେଟି ଉଠାଇଲା ଓ ଚୁପଚାପ ସେ ଯୁବକ ପଛରେ ଚାଲିଲା । ଘରେ ପହଞ୍ଚି ଯୁବକଟି ପେଟି ରଖିନେଲେ ଓ କୁଲିକୁ ତାର ପାରିଶ୍ରମିକ ଦେବା ପାଇଁ ବାହାରିଲେ । କିନ୍ତୁ, ଗାଉଁଲି ଲୋକଟି କହିଲା- "ଧନ୍ୟବାଦ । ମୋର ପାରିଶ୍ରମିକ ଆବଶ୍ୟକ ନାହିଁ ।

ଯୁବକ ଜଣକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ- "କଣ ପାଇଁ ?

ଏତିକିବେଳେ ଘର ଭିତରୁ ବାହାରି ଆସିଲେ ଯୁବକର ବଡ଼ ଭାଇ । ଏବଂ ଘର ଆଗରେ ଦଣ୍ଡାୟମାନ ସେହି ଗାଉଁଲି ଲୋକଙ୍କୁ ପ୍ରଣାମ କଲେ ।

ଏବେ ଯୁବକର ହୋସ ଆସିଲା ଯେ ତାଙ୍କ ଦ୍ୱାରା ଗୋଟେ ମସ୍ତବଡ଼ ଭୁଲ ହୋଇଯାଇଛି । ସେ ଯାହାକୁ କୁଲି କରିଦେଲେ, ପ୍ରକୃତରେ ସେ କୁଲି ନୁହଁନ୍ତି । ସେ ହେଉଛନ୍ତି ବଙ୍ଗ ପ୍ରଦେଶର ଜଣେ ସ୍ଵନାମଧନ୍ୟ ବ୍ୟକ୍ତି ଈଶ୍ଵର ଚନ୍ଦ୍ର ବିଦ୍ୟାସାଗର ।

ଯୁବକଟି ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଗୋଡ଼ ତଳେ ପଡ଼ିଗଲା । ବିଦ୍ୟାସାଗର କହିଲେ, "ହେ ମୋର ପ୍ରିୟ ଦେଶବାସୀ ! ବ୍ୟର୍ଥ ଅଭିମାନ ଛାଡ଼ି ଦିଅ । ବୁଝିବା ଦରକାର ନିଜ ହାତରେ ନିଜ କାମ କରିବା ହିଁ ଗୌରବର କଥା । ତୁମେ ସ୍ୱାବଲମ୍ବୀ ହୁଅ । ତାହା ହେବ ମୋର ପାରିଶ୍ରମିକ ।"

୧.୯.୧୭

No comments: