Saturday, 9 September 2017

*ରମଣଙ୍କ ସତ୍ୟନିଷ୍ଠା*

    ସେତେବେଳେ ବିଶ୍ବପ୍ରସିଦ୍ଧ ବୈଜ୍ଞାନିକ ସି ଭି ରମଣ ରେଂଗୁନରେ ଇଂରେଜ ସରକାର ଅଧୀନରେ ଚାକିରୀ କରିଥାଆନ୍ତି । ଲେଖପାଳ ପଦରେ ଥିବା ରମଣ ଜଣେ ବହୁତ ସ୍ୱାଭିମାନୀ ବ୍ୟକ୍ତି। ତାଙ୍କ ଭିତରେ ଦେଶଭକ୍ତିର ଭାବନା ପ୍ରବଳ ଥିଲା ।

ଇଂରେଜ ଅଧିକାରୀ ତାଙ୍କୁ କୌଣସି ଆଦେଶ ଦେଲେ, ତାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସେ ତାକୁ ପରୀକ୍ଷା କରୁଥିଲେ। ଯଦି ଆଦେଶ ଅନୁଚିତ ଥାଏ ତାହାକୁ ପାଳନ କରିବେ ନାହିଁ ବୋଲି ନିଃସଙ୍କୋଚରେ ସ୍ପଷ୍ଟ ଭାବେ ମନା କରିଦେଉଥିଲେ। ଏହାଦ୍ୱାରା  ସେ ଅଫିସରଙ୍କ ଆକ୍ରୋଶର ଶିକାର ହୋଇ ପାରନ୍ତି ବୋଲି ତାଙ୍କର ଚିନ୍ତା ବି ନ ଥିଲା। ସେ ନିଶ୍ଚିତ କରିଥିଲେ ଯେ ଚାକିରୀ କଲେ ବୋଲି ମୁଣ୍ଡ ବିକି ଦେଇ ନାହାନ୍ତି ତେଣୁ କିଛି ବି ଅସତ୍ୟ ବା ଅନ୍ୟାୟ କାର୍ଯ୍ୟ କାହା ଚାପରେ  କରି ପାରିବେ ନାହିଁ ।

ଥରେ ଜଣେ ଇଂରେଜ ଅଧିକାରୀ ତାଙ୍କୁ ନିଜ କକ୍ଷକୁ ଡାକି କହିଲେ,
"ଜଣେ ବୌଦ୍ଧ ନାଗରିକର ଜମିକୁ ଜଣେ ଇଂରେଜ ନାମରେ କରିଦିଅ । ଏଥିପାଇଁ ଯାହା କାଗଜପତ୍ର ତିଆରି କରିବାକୁ ହେବ ଶୀଘ୍ର ପ୍ରସ୍ତୁତ କରି ମୋତେ ଦିଅ।"

ଏହା ଶୁଣି ରମଣ ନିର୍ଭୀକତାର ସହ କହିଲେ, "ଶ୍ରୀମାନ, ମୁଁ ଭଗବାନ ଶ୍ରୀକୃଷ୍ଣଙ୍କ ଭଗବତ ଗୀତାର ଉପାସକ । କାହାରି ରକ୍ତ ଓ ଝାଳରେ ଅର୍ଜିତ ସମ୍ପତ୍ତି ଅଥବା ତାର କଷ୍ଟଲବ୍ଧ ଜମିକୁ ଚଂଚକତା କରି ମୁଁ ଅନ୍ୟ କାହା ନାମରେ କରି ପାରିବି ନାହିଁ । ଏଭଳି ପାପ କାମ ଆପଣ ବି ନ କଲେ ଭଲ ହୁଅନ୍ତା। ଏହା ଅଧର୍ମ ଅଟେ ।"

ଏହା ଶୁଣି ଇଂରେଜ ଅଧିକାରୀଙ୍କ ରାଗ ଚରମକୁ ଉଠିଗଲା । ସେ କହିଲେ,
"ଚାକିରୀ ଜୀବନରେ ଉପରିସ୍ଥ ଅଧିକାରୀଙ୍କ ନିର୍ଦେଶ ମାନିବା ବି ତୁମର ଧର୍ମ ।"

ରମଣ କହିଲେ,"ଶ୍ରୀମାନ, ଯଦି ଅଧିକାରୀ କୋଣସି ପାପ କାର୍ଯ୍ୟ କରିବାକୁ କୁହନ୍ତି, ତେବେ ତାକୁ ବିରୋଧ କରିବା ବି ଧର୍ମ ଅଟେ । ତେଣୁ ମୁଁ ମୋର ଧର୍ମ ପାଳନ କରୁଛି ।"

ରମଣଙ୍କ କଥା ଶୁଣି ଅଧିକାରୀ କହିଲେ,
"ଯଦି ତୁମର ଏହି ଚାକିରୀ କରିବାର ଅଛି, ତେବେ ମୁଁ ଯାହା କହୁଛି, ସେଇଆ କର ।"

ରମଣ ପୂରା ଆତ୍ମବିଶ୍ୱାସର ସହ କହିଲେ,
"ମୁଁ ଆପଣଙ୍କ କଥାରେ ନୁହେଁ ମୋର ଅନ୍ତରାତ୍ମାର ନିର୍ଦେଶରେ ହିଁ କାମ କରେ । ମୋର ଅନ୍ତରାତ୍ମା କହୁଛି ଏଭଳି ପାପ କାର୍ଯ୍ୟ ନ କରିବାକୁ ।"

ଏହା ପରେ ତତ୍କାଳ ସେ ନିଜର ତ୍ୟାଗପତ୍ର ସେଇ ଇଂରେଜ ଅଧିକାରୀଙ୍କୁ ଧରାଇଦେଲେ । ଇଂରେଜ ଅଧିକାରୀ ଏକ ସଚ୍ଚା ଭାରତୀୟର ଆତ୍ମବିଶ୍ବାସ ଓ ସତ୍ୟନିଷ୍ଠାକୁ ଦେଖି ସ୍ତବ୍ଧ ହେଇଗଲେ ।

୧୦.୯.୧୭

No comments: