Friday, 22 September 2017

*ସ୍ୱାବଲମ୍ବୀ ହେବା ଉଚିତ*

   ଭାରତବର୍ଷର ମହାନ ସମାଜ ସୁଧାରକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ସରଳତା, ସ୍ୱାବଲମ୍ବନ, ସଂସ୍କାର ଓ ପରିଶ୍ରମର ଜୀବନ୍ତ ପ୍ରତୀକ ଥିଲେ। ଥରେ ତାଙ୍କୁ ଇଂଲଣ୍ଡର ଗୋଟିଏ ସଭାରେ ଅଧ୍ୟକ୍ଷତା କରିବାର ଥିଲା। ତାଙ୍କ ବିଷୟରେ ସମସ୍ତଙ୍କୁ ଜଣା ଥିଲା ଯେ ସେ ଘଡ଼ି କଣ୍ଟା ସହ ଚାଲୁଥିବା ଜଣେ ଲୋକ । ସେ ବି ଅନ୍ୟମାନଙ୍କ ଠାରୁ ଅପେକ୍ଷା ରଖନ୍ତି ଯେ ସମସ୍ତେ ନିଜ ନିଜର କାର୍ଯ୍ୟ ଠିକ ସମୟରେ କରନ୍ତୁ।

ବିଦ୍ୟାସଗାର ଯେତେବେଳେ ସଭାଘରେ ନିଶ୍ଚିତ ସମୟରେ ପହଞ୍ଚିଲେ, ଦେଖିଲେ କିଛି ଲୋକ ସଭାଘର ବାହାରେ ବୁଲୁଛନ୍ତି। ସେମାନଙ୍କୁ ସେ ବୁଲିବାର କାରଣ ପଚାରି ବୁଝିଗଲେ ଯେ ଝାଡ଼ୁକରିବାବାଲା ଆସି ନ ଥିବାରୁ ସଭାଘର ସଫା ହୋଇ ନାହିଁ । ଘର ସଫା ହେବା ପରେ ସେମାନେ ଭିତରକୁ ଆସିବେ ବୋଲି କହିଲେ। ଏହା ଶୁଣିବାମାତ୍ରେ ବିଦ୍ୟାସାଗର ଆଉ କ୍ଷଣେମାତ୍ର ସମୟ ନଷ୍ଟ ନ କରି ନିଜ ହାତରେ ଝାଡ଼ୁ ଧରିଲେ ଓ ସଭାଘର ସଫା କରିବାରେ ଲାଗିଗଲେ। ତାଙ୍କୁ ଏପରି କରିବା ଦେଖି ସବୁଲୋକ ଆଶ୍ଚର୍ଯ୍ୟ ହେଲେ ଏବଂ ସମସ୍ତେ ସଫା କରାଇବା ଆରମ୍ଭ କରିଦେଲେ। ଚାହୁଁ ଚାହୁଁ ସଭାଘର ପୂରା ପରିଷ୍କାର ହୋଇଗଲା ଓ ସବୁ ଆସବାବପତ୍ର ସଫାକରି ଯଥା ସ୍ଥାନରେ ରଖି ଦିଆଗଲା।

ସଭା ଆରମ୍ଭ ହେବା ପରେ ବିଦ୍ୟାସାଗର ନିଜ ସମ୍ବୋଧନରେ କହିଲେ ଯେ ବ୍ୟକ୍ତି ହେଉ ବା ରାଷ୍ଟ୍ର - ସ୍ୱାବଲମ୍ବୀ ହେବା ଉଚିତ ଏବଂ ଆବଶ୍ୟକ ପଡ଼ିଲେ କୌଣସି କାର୍ଯ୍ୟକୁ କରିବାପାଇଁ ସଙ୍କୋଚ ନ କରିବା ଉଚିତ ।

୨୨.୯.୧୭

No comments: