Sunday, 24 September 2017

*ବୃତାସୁରର ପ୍ରାର୍ଥନା*

    ବୃତାସୁର ସହ ଇନ୍ଦ୍ରଙ୍କର ଯୁଦ୍ଧ ଚାଲିଥାଏ। ଦଧିଚୀଙ୍କ ଅସ୍ଥିରେ ବଜ୍ର ତିଆରି ହେଲା। ସେହି ବଜ୍ର ଇନ୍ଦ୍ର ପ୍ରୟୋଗ କଲେ ବୃତାସୁର ଉପରକୁ। ଠିକଣା ଜାଗାରେ ବାଜିଲା ନାହିଁ । ବୃତ୍ରାସୁର ପୁଣି ଧରିନେଲା ଇନ୍ଦ୍ରଙ୍କର ସେହି ମହାଶକ୍ତିଶାଳୀ ଅସ୍ତ୍ର ବଜ୍ରକୁ । ଫେରେଇଦେଲା ସେ ଇନ୍ଦ୍ରଙ୍କୁ ଏବଂ କହିଲା, "ଲକ୍ଷ୍ୟ ଭେଦ କର।"
ବହୁ ଯୁଦ୍ଧ ପରେ ବୃତାସୁର ମୃତ୍ୟକୁ ସ୍ୱୀକାର କରିନେଲା।
ମୃତ୍ୟୁ ପୂର୍ବରୁ ସେ ଭଗବାନଙ୍କୁ ବର ମାଗିଥିଲା ଯାହା ଜଣେ ଅସୁରର ଗୁଣ ନୁହେଁ ବରଂ ଜଣେ ପରମ ବୈଷ୍ଣବର ଇଚ୍ଛା ସହ ସମାନ। ବୃତାସୁର ବର ମାଗିଲା -

"ଅଜାତ ପକ୍ଷ ଖଗ ଯେହ୍ନେ।
ମାତା ଲୋଡ଼ଇ ଅନୁକ୍ଷଣେ।।

କ୍ଷୁଧାର୍ତ୍ତ ହୋଇଣ ବାଛୁରୀ।
ମାତା ସ୍ତନକୁ ଆଶ୍ରାକରି ।।

ପ୍ରବାସୀ ପତି ପ୍ରିୟା ଯେହ୍ନେ।
ଲୋଡ଼ଇ ମୋ ମନ ତେସନେ।।"

ସେମିତି ତୁମ ପୟରେ ମୋର ମନ ରହୁ।

   ଡିମ୍ବରୁ ପକ୍ଷୀ ଶାବକ ବାହାରିଥାଏ। ପର କଅଁଳି ନ ଥାଏ। ଖାଇ ଜାଣି ନ ଥାଏ। ଭରସା କରେ ମାଆ ପକ୍ଷୀ ଉପରେ। ମାଆ ଖାଦ୍ୟ ଯୋଗଡୁଥାଏ। କିନ୍ତୁ ମନ ଥାଏ ଶାବକ ପାଖରେ। ଥଣ୍ଟରେ ଖାଦ୍ୟ ଧରେ । ନିଜେ ଖାଏନା, ଆଣେ ଶାବକ ପାଇଁ। ଏପଟେ ଶାବକ ବି ଭୋକ ବିକଳରେ ଚିଂ ଚିଂ କରୁଥାଏ। ମାଆର ବାଟକୁ ଚାହିଁଥାଏ। ମାଆକୁ ପାଖରେ ପାଇଗଲେ ଶାବକ ଅନୁଭବ କରେ ସେ ଯେମିତି ସବୁକିଛି ପାଇଯାଇଛି। ସେମିତି ମୋ ମନ ତୁମଠାରେ ଥାଉ।

ବାଛୁରୀ ଭୋକ ବିକଳରେ ଥିବ, ପଘାକୁ ଟାଣି ଓଟାରୀ ହେଉଥିବ। ମାଆ ଚରିବାକୁ ଯାଇଥିବ। ତା'ର ଆସିବା ଡେରିହେଲେ ବାଛୁରୀ ଯେପରି ବିଚ୍ଛେଦ ଅନୁଭବ କରୁଥିବ, ସେମିତି ତୁମକୁ ମୁଁ ନିରନ୍ତର ଅନେଇ ଥିବି। ପକ୍ଷୀ ଶାବକ ତ ଖାଦ୍ୟ ଖାଇ ପାରେନା। ତା'ର ମାଆ ତା ଥଣ୍ଟରେ ଖାଦ୍ୟ ଦିଏ। ସେ ଖାଏ। ମାତ୍ର ବାଛୁରୀକୁ ଖାଦ୍ୟ ଖୁଆଇବାକୁ ପଡ଼େନା। ସେ ଆପେ ଆପେ ସ୍ତନ୍ୟପାନ କରେ। ଅନ୍ୟ ଖାଦ୍ୟ ତା' ପାଇଁ ଥିଲେ ମଧ୍ୟ ବାଛୁରୀଟିଏ ଅନେଇଥାଏ ମାଆର ବାଟକୁ। ଗାଈ ମଧ୍ୟ ମଝିରେ ମଝିରେ ଛୁଆକୁ ମନେ ପକାଉ ଥାଏ। ହମ୍ବାରଡ଼ି  ଦେଉଥାଏ। ହେ ପ୍ରଭୁ ! ସଂସାରରେ ଅନ୍ୟ ସବୁ ସୁଖ ସୁବିଧା ଥିଲେ ମଧ୍ୟ ସେ ସବୁକୁ ପଛରେ ପକାଇ ବାଛୁରୀ ପରି ତୁମକୁ ଭାଳି ହେଉଥିବି। ବାଛୁରୀ ଆସିଗଲେ ମାଆ ଚାଟି ପକାଏ। ବାଛୁରୀ ମନଭରି ସ୍ତନ୍ୟପାନ କରେ। ହେ ଦୟାମୟ ! ସେମିତି ତୁମରିପାଇଁ ମୋର ନିରନ୍ତର ପ୍ରତୀକ୍ଷା ରହୁ।
 
ପୁଣି ବୃତାସୁରର ଅଳି -
ଠାକୁରେ ! ବିଦେଶରେ ଥିବ ପୁରୁଷ, ଘରେ ଥିବ ତାର ପ୍ରିୟା।ଉଭୟେ ଉଭୟଙ୍କୁ ଝୁରୁଥିବେ। ଦେଖା-ଚାହାଁ ହୋଇପାରୁ ନ ଥିବେ ସିନା ବାରମ୍ବାର ମନେ ପକାଉଥିବେ। ଏଠି ଖୁଆଇବା ଆଶା ନ ଥିବ। ଖାଇବା ଆଶା ନ ଥିବ। ଥିବ କେବଳ ଭଲ ପାଇବା, ଝୁରିହେବା, ଅହରହ ମନେପକାଇବା। ପରସ୍ପର ପାଇଁ ଲୁହ ଝରେଇବା। ପୁରୁଷ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବ। ମନେପକାଉଥିବ ପ୍ରିୟାକୁ। ନାରୀଟିଏ ବି ସବୁକାମ କରୁଥିବ । ମନ ଥିବ ନିଜ ପୁରୁଷଠାରେ। କୋଉଦିନ ଫେରିବେ ସେ ବାଟକୁ ଅନେଇ ବସେ। ପତିର ମଙ୍ଗଳ ପାଇଁ କାଉକୁ ଆଧାର ଦିଏ। ଦିଅଙ୍କୁ କେତେ କଣ ମନାସେ। ବିଚ୍ଛେଦରେ କାନ୍ଦ। ମିଳନରେ କାନ୍ଦ। ହେ ପରମେଶ୍ୱର ! ମୋର ଝୁରିବା ତମ ପାଇଁ ଠିକ ସେମିତି ହେଉ। ଅହରହ ତୁମ ନାମ ରୂପ ମୋ ସ୍ମରଣରେ ଆସୁ।

୨୪.୯.୧୭

No comments: