ରତ୍ନଗର୍ଭା ବଙ୍ଗଭୂମିର ପୁତ୍ର ବସନ୍ତ କୁମାର ବିଶ୍ୱାସଙ୍କୁ କିଶୋରାବସ୍ଥାରୁ କ୍ରାନ୍ତିର ଅଗ୍ନି ସ୍ପର୍ଶ କରିସାରିଥିଲା । ୧୯୦୫ର ବଙ୍ଗଭଙ୍ଗ ବିରୋଧ ଆନ୍ଦୋଳନରେ ସେ ପୂରା ଜୋସରେ ଭାଗନେଇଥିଲା। ପ୍ରସିଦ୍ଧ କ୍ରାନ୍ତିକାରୀ ରାସବିହାରି ବୋଷ ବସନ୍ତ ଅନ୍ତରର ଅଗ୍ନି ସ୍ଫୁଲିଙ୍ଗକୁ ଆବିଷ୍କାର କରିସାରିଥିଲେ। ତେଣୁ ସେ ତାକୁ ନିଜ କର୍ମକ୍ଷେତ୍ର ଡେରାଡୁନ ନେଇଗଲେ । ବସନ୍ତ ତାଙ୍କର ସହାୟକ ଭାବେ ରହିଲା। ସଶସ୍ତ୍ର ବିପ୍ଳବ ସଂକ୍ରାନ୍ତରେ ଅଧିକ ଶିକ୍ଷା ପାଇଲା।
ସେତେବେଳେ ଭାଇସରାୟ ଲର୍ଡ଼ ହାର୍ଡ଼ିଙ୍ଗ ଭାରତର ରାଜଧାନୀ କଲିକତାରେ ଅବସ୍ଥାନ କରୁଥାନ୍ତି । ସେ ୨୩ ଡିସେମ୍ବର ୧୯୧୨ ଦିନ ଦେଶର ରାଜଧାନୀ କଲିକତାରୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି କଲେ।
ଏଣେ ରାସବିହାରୀ ବୋଷଙ୍କ ଯୋଜନା ଥିଲା ଲର୍ଡ଼ ହାର୍ଡ଼ିଙ୍ଗକୁ ଦିଲ୍ଲୀ ସିଂହାସନରେ ବସିବା ପୂର୍ବରୁ ହତ୍ୟା କରିବା । ତେଣୁ ସେ ଅନ୍ୟ କ୍ରାନ୍ତିକାରୀମାନଙ୍କ ସହ ବସନ୍ତକୁ ଧରି ଦିଲ୍ଲୀ ଆସିଲେ ଓ ସେମାନଙ୍କୁ ପୂରା ଯୋଜନା ବୁଝାଇଦେଇ ତାଙ୍କ ପାଖେ ପାଖେ ରହିଲେ ।
୨୩ ଡିସେମ୍ବର ଦିନ ଭାଇସରାୟ ହାର୍ଡ଼ିଙ୍ଗ ହାତୀ ଉପରେ ବସି ବିରାଟ ଶୋଭାଯାତ୍ରା କରି ଦିଲ୍ଲୀରେ ପ୍ରବେଶ କରୁଥାଏ । ତାକୁ ଦେଖିବା ପାଇଁ ବିରାଟ ଜନ ସମାଗମ ହୋଇଥାଏ । କୋଠାଘର ଛାତ ଉପରୁ ଲୋକମାନେ ହାର୍ଡ଼ିଙ୍ଗକୁ ଦେଖୁଥାନ୍ତି । ଚାନ୍ଦନୀଚୌକର ପଞ୍ଜାବ ନେସନାଲ ବ୍ୟାଙ୍କର ଛାତ ଉପରେ ଅନେକ ମହିଳା ବସିଥାନ୍ତି । ବୁର୍ଖା ପିନ୍ଧି ବସିଥିବା ମହିଳାଙ୍କ ମଧ୍ୟରେ ବସିଥାଏ ବସନ୍ତ। ତାର ଦୁଇ ହାତରେ ଗୋଟିଏ ବଡ଼ ଫୁଲମାଳ ଥାଏ । ସେ ସେହି ଫୁଲମାଳା ଭିତରେ ସିଗାରେଟ ଲୁହା ଡବାରେ ଲୁଚାଇ ରଖିଥାଏ ଗୋଟିଏ ବୋମା।
ଭାଇସରାୟର ହାତୀ ଝୁଲି ଝୁଲି ଯେତେବେଳେ ବେଳେ ବେଙ୍କ ସମ୍ମୁଖକୁ ଆସିଲା, ବସନ୍ତ ଡବାରୁ ଵମ ଖୋଲି ହାର୍ଡ଼ିଙ୍ଗ ଉପରକୁ ଖୁବ ଜୋରରେ ଫିଙ୍ଗିଲା । ଲକ୍ଷ୍ୟ ଠିକ୍ ଥିଲା । ବୋମା ଜୋରରେ ଫୁଟିଲା । ଚାରି ଆଡ଼ ଧୁଆଁମୟ ହୋଇଗଲା । କିନ୍ତୁ ହାର୍ଡ଼ିଙ୍ଗ ଅଳ୍ପକେ ରକ୍ଷା ପାଇଗଲା । ତାର ସାମାନ୍ୟ ଜଖମ ହୋଇଥିଲା ବେଳେ ଅଙ୍ଗରକ୍ଷକ ମହାବୀର ସିଂହର ମୃତ୍ୟୁ ହୋଇଥିଲା । ବୋମା ଶବ୍ଦ ଶୁଣି ଜନତା ଆତ୍ମରକ୍ଷା ପାଇଁ ଧାଇଁଲେ । ଏତିକିବେଳେ ମାରବାଡ଼ି ସେଠ ବେଶରେ ଥିବା ରାସବିହାରୀ ବୋଷ ମହିଳା ବେଶଧାରୀ ବସନ୍ତକୁ ନେଇ କୁଆଡ଼େ ଅନ୍ତର୍ଧ୍ୟାନ ହୋଇଗଲେ । ପୋଲିସ ସେମାନଙ୍କୁ ଧରି ପାରିଲା ନାହିଁ ।
ଲାଲା ହରଦୟାଲ ସେତେବେଳେ ଆମେରିକାରେ ଥାନ୍ତି । ସେ ଏ ଖବର ଶୁଣିବା ମାତ୍ରେ ବିରାଟ ଖୁସୀ ଉତ୍ସବ ପାଳନ କଲେ । କାରଣ ମହାଶକ୍ତିଶାଳୀ ଇଂରେଜ ସାମ୍ରାଜ୍ୟର ମୁଖ୍ୟ ଉପରେ ବୋମା ପକାଇବା ଏତେ ସହଜ କାମ ନଥିଲା । ସାରା ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିଲା । ଦିନ ଦିନ ଧରି ସୁରକ୍ଷା ପାଇଁ ଗୁଇନ୍ଦା ବିଭାଗ ଗଳି କନ୍ଦି ତନଖି କରିସାରିଥିଲା ଓ ସର୍ବତ୍ର ଜଗି ରହିଥିଲା । ଶୋଭାଯାତ୍ରାର ସୁରକ୍ଷା ପାଇଁ ଦୁଇଜଣ ପୋଲିସ ଅଧିକ୍ଷକ, ଦୁଇଜଣ ଅତିରିକ୍ତ ପୋଲିସ ଅଧିକାରୀ, ସାତ ଜଣ ସହଯୋଗୀ ପୋଲିସ ଅଧିକାରୀ ଓ ୫୦୦ ପୋଲିସ ଯବାନଙ୍କ ସହିତ କେତେ ସେନା କମ୍ପାନୀ ମଧ୍ୟ ଥିଲେ । ସାଦା ବେଶରେ ତ ପ୍ରତି ଗଳି କନ୍ଦିରେ ପୋଲିସ ଜଗିଥିଲା । ଏଭଳି ସୁରକ୍ଷା ବଳୟକୁ କ୍ରାନ୍ତିକାରୀ ଭେଦ କରିବା କମ ଆଶ୍ଚର୍ଯ୍ୟର କଥା ନ ଥିଲା ।
ଦିଲ୍ଲୀରୁ ଫେରି ରାସବିହାରୀ ଡେରାଡୁନ ଯାଇ ନିଜ ଚାକିରୀ କାର୍ଯ୍ୟରେ ଲାଗିଗଲେ । ବସନ୍ତ ଲହୋର ଆସିଲା । ଅନେକ ଦିନ ପର୍ଯ୍ୟନ୍ତ ପୋଲିସକୁ କିଛି ଗନ୍ଧ ବାସନା ମିଳିଲା ନାହିଁ ।
ଶେଷରେ ପୋଲିସ ଦୋଷୀକୁ ଯିଏ ଧରାଇଦେଵ ତାକୁ ଏକ ଲକ୍ଷ ଟଙ୍କା ମିଳିବ ବୋଲି ଘୋଷଣା କଲା । ତଥାପି କିଛି ସଫଳତା ମିଳିଲା ନାହିଁ । ଦିନ ବିତି ଚାଲିଲା । କ୍ରାନ୍ତିକାରୀମାନେ ନୂଆ ଯୋଜନାରେ ଲାଗିଲେ । ସେମାନେ ଭାବିଲେ ପୋଲିସ ଆଉ ସେମାନଙ୍କୁ ଧରିବା ସମ୍ଭବ ହେବ ନାହିଁ । ପରବର୍ତ୍ତୀ ଯୋଜନା ଅନୁସାରେ ରାସବିହାରୀ ବାବୁ ଡେରାଡୁନରୁ ଇଂରେଜ ବିରୋଧୀ ଲେଖା ଲେଖି ଦିଲ୍ଲୀ ଓ ପଞ୍ଜାବ ପଠାଇବାରେ ଲାଗିଲେ ।
ଥରେ ସେହି ପତ୍ରିକା ପୋଲିସ ହାତରେ ପଡ଼ିଗଲା । ସେଥିରେ ଗୋଟିଏ ଲୋକର ନାଁ ଥିଲା ଦୀନାନାଥ । ଏବେ ପୋଲିସ ଦିଲ୍ଲୀରେ ଯେତେ ଦୀନାନାଥ ନାମଧାରୀ ବ୍ୟକ୍ତି ଥିଲେ ସମସ୍ତଙ୍କୁ ଗିରଫ କରି ପଚରା ଉଚୁର ଚଳାଇ ରଖିଲା । ତା ଭିତରୁ ଜଣେ କ୍ରାନ୍ତିକାରୀଙ୍କ ଭାଇ ବାହାରିଲା ଦୀନାନାଥ । ସେ ମାନସିକ ଦୁର୍ବଳ ଥିବାରୁ ମାଡ଼ ସହି ନ ପାରି ସବୁ ଭେଦ ଖୋଲିଦେଲା । ଫଳସ୍ୱରୂପ ସମସ୍ତଙ୍କୁ ପୋଲିସ ଧରିବାରେ ସଫଳ ହେଲା । କେବଳ ରାସବିହାରୀ ବୋଷଙ୍କ ଟେର ପାଇଲା ନାହିଁ ପୋଲିସ।
ଦିଲ୍ଲୀର କାମ ବଢ଼ାଇ ବସନ୍ତ ନିଜ ଗ୍ରାମ ବଙ୍ଗର ପରାଗଚାରେ ଆସି ରହୁଥିଲା । ରହସ୍ୟ ଜଣା ପଡ଼ିବା ପରେ ୨୬ ଫେବୃଆରୀ ୧୯୧୪ ରେ ପୋଲିସ ତାଙ୍କ ଗାଁରେ ପହଞ୍ଚି ତାକୁ ବନ୍ଦୀ କଲା। ୧୧ ମେ ୧୯୧୫ରେ ଅମ୍ବାଲା ଜେଲରେ ଭାଇ ବାଳମୁକୁନ୍ଦ, ମାଷ୍ଟର୍ ଅମୀର ଚାନ୍ଦ ଓ ଅବଧ ବିହାରୀଙ୍କ ସହ ବସନ୍ତକୁ ମଧ୍ୟ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଗଲା । ସ୍ବାଧୀନତାର ମଶାଲକୁ ତେଜିୟାନ କରି ଚାରିଟି ଜୀବନ ପୁଷ୍ପ ମାତୃଭୂମିର ଚରଣରେ ଅର୍ପିତ ହୋଇଗଲେ ।

No comments:
Post a Comment