Saturday, 23 September 2017

*ମେବାଡ଼ କୁଳ ରକ୍ଷକ ଧାଇ ମାଆ ପନ୍ନା*

   ମହାରାଣା ପ୍ରତାପଙ୍କ ଜେଜିମା ରାଜମାତା କର୍ମବତୀଙ୍କ ନେତୃତ୍ୱରେ ଚିତ୍ତୋରରେ ରହୁଥିବା ୨୩,୦୦୦ କ୍ଷେତ୍ରିୟାଣୀ ୮ ମାର୍ଚ୍ଚ ୧୫୩୫ରେ ସତୀତ୍ୱ ରକ୍ଷା ହେତୁ ଦ୍ଵିତୀୟ ଥର ଜୌହର କଲେ । ସେଦିନ ସମସ୍ତେ ବିଜୟ ସ୍ତମ୍ଭ ପାଖରେ ଜଳୁଥିବା ନିଆଁରେ ନିଜ ଜୀବନକୁ ଆହୁତି ଦେଇଦେଲେ। ସତୀତ୍ୱ ରକ୍ଷା ନିମିତ୍ତ ନିଜ ଜୀବନକୁ ଏଇଭଳି ସ୍ଵାହା କରିଥିବା ଦ୍ଵିତୀୟ ଉଦାହରଣ ବିଶ୍ୱ ଇତିହାସରେ କେଉଁଠି ମିଳିବ ନାହିଁ ।
ଜେଜିମା ଯିବା ପୂର୍ବରୁ ଶତ୍ରୁ ସହିତ ଲଢ଼ିବା ପାଇଁ ନିଜର ଦୁଇପୁତ୍ରଙ୍କୁ ସୁରକ୍ଷିତ ରଖିବାର ଚିନ୍ତା କରିଥିଲେ। ସେ ଦୁଇ ପୁତ୍ରଙ୍କୁ ବୁନ୍ଦୀ ପଠାଇଦେଲେ। ଧାଇ ମା' ପନ୍ନାକୁ ଦୁଇ ପୁତ୍ରଙ୍କୁ ସୁରକ୍ଷିତ ରଖିବାର ଆଦେଶ ଦେଇଗଲେ । ପନ୍ନା ବି ବଚନ ଦେଇଥିଲା ପ୍ରାଣକୁ ବାଜି ଲଗାଇ ସେ ଦୁଇପୁତ୍ରଙ୍କୁ ବଞ୍ଚାଇବ । ଦୁଇ ପୁତ୍ରଙ୍କ ଭିତରୁ ବଡ଼ ବିକ୍ରମାଦିତ୍ୟ ଓ ସାନ ହେଲେ ଉଦୟ ସିଂହ। ସେତେବେଳେ ବାହାଦୂର ସାହା ଚିତ୍ତୋର ଅଧିକାର କରିନେଇଥିଲା। କିନ୍ତୁ ହୁମାୟୁନ ଚିତ୍ତୋର ଆସିବାର ଖବର ପାଇ ବାହାଦୂର ସାହା ଗୁଜୁରାଟ ପଳାଇବାରୁ ଚିତ୍ତୋରର ସାମନ୍ତମାନେ ପୁଣି ଚିତ୍ତୋର ଅଧିକାର କରିନେଲେ ଏବଂ ବିକ୍ରମାଦିତ୍ୟ, ଉଦୟ ସିଂହ ଓ ପନ୍ନା ଧାଇଙ୍କୁ ଚିତ୍ତୋର ନେଇଆସିଲେ ।  କିଛି ଦିନ ପରେ ରାଣା ରାୟମଲର ନାତି ବା କୁଅଁର ପୃଥ୍ୱୀରାଜର ପୁତ୍ର ବନବୀରର ମେବାରର ରାଜା ହେବାର ଭାବନା ବଳବତ୍ତର ହେଲା। ସେ ଷଡ଼ଯନ୍ତ୍ର ରଚିଲା ଓ ଦିନେ ରାତିରେ ବିକ୍ରମାଦିତ୍ୟଙ୍କୁ ହତ୍ୟା କରିଦେଲା। ସେତେବେଳେ (୧୫୩୬) ବିକ୍ରମାଦିତ୍ୟଙ୍କୁ ହୋଇଥିଲା ୧୯ ବର୍ଷ।
ଏହା ଦେଖି ପନ୍ନା ଚିନ୍ତିତ ହୋଇପଡ଼ିଲା। ସେ ଜାଣିଗଲା ଏହା ପରପାଳି ପଡ଼ିବ ଉଦୟ ସିଂହ ଉପରେ । ତେଣୁ ସେ କାଳ ବିଳମ୍ବ ନ କରି ଉଦୟ ସିଂହଙ୍କୁ ଜଣେ ବିଶ୍ୱସ୍ତ ସେବକ ଓ ତାର ପତ୍ନୀଙ୍କ ପାଖରେ ରଖିଦେଲା ଏବଂ ଉଦୟ ସିଂହ ବୟସର ହୋଇଥିବା ନିଜ ପୁତ୍ର ଚନ୍ଦନକୁ ତା ଜାଗାରେ ଶୁଆଇ ଦେଲା। ତା'ର ଆଶଙ୍କା ସତ୍ୟ ହେଲା। ବିକ୍ରମାଦିତ୍ୟ ରକ୍ତରେ ଲାଲ ହୋଇଥିବା ସେଇ ତରବାରୀ ନେଇ ବନବୀର ପହଞ୍ଚିଲା ଉଦୟ ସିଂହର କକ୍ଷରେ । ସେ ପନ୍ନା ଧାଇକୁ ପଚାରିଲା - "ଉଦୟ ସିଂହ କୋଉଠି ଅଛି ?"

ସେତେବେଳେ ସେ ଅଦ୍ଭୁତ ମହିମାମୟୀ ଧାଇ ମାଆ ମେବାଡ଼ ମାଆର ଗୌରବକୁ ବଞ୍ଚାଇବାକୁ ଯାଇ ନିଜ ପୁତ୍ର ଆଡ଼କୁ ଇଶାରା କରିଦେଲା। ନିଜ ଆଖି ଆଗରେ ତରବାରୀର ଗୋଟିଏ ଚୋଟରେ ନିଜ ପୁତ୍ରର ଗଣ୍ଡି ଓ ମୁଣ୍ଡ ଅଲଗା ହେଉଥିବା ଦେଖି ହୃଦୟ ଉପରେ ପଥର ରଖି ଏଇ ବୀର ମାତା ତୁରନ୍ତ ଉଦୟ ସିଂହକୁ ଗୋଟିଏ ଟୋକେଇରେ ମୁଣ୍ଡାଇ ସୁରକ୍ଷିତ ସ୍ଥାନକୁ ନେଇଗଲା। ନିଜ ପୁଅ ପାଇଁ ଲୁହ ଗଡ଼ାଇବାକୁ ସମୟ ଟିକେ ପାଇଲା ନାହିଁ । ଏପରି ଦ୍ଵିତୀୟ ଉଦାହରଣ ମଧ୍ୟ ଇତିହାସରେ ଖୋଜିଲେ ମିଳିବ ନାହିଁ ।
ଧନ୍ୟ ଧନ୍ୟ ପନ୍ନା ଧାଇ। ଧନ୍ୟ ତୁମ ବଳିଦାନ। ଚିତ୍ତୋରର ଧୂଳି ମାଟି, ତାର ରକ୍ଷା ପାଇଁ ରକ୍ତରେ ହୋଲି ଖେଳିଥିବା ଚନ୍ଦନକୁ ଓ ତାର ମାଆ ପନ୍ନା ଧାଇକୁ କେବେ ବି ଭୁଲି ପାରିବ ନାହିଁ।

ବି.ଦ୍ର. - (ମହାରାଣା ଉଦୟ ସିଂହ ରାଜା ହେଲେ । ୧୫୫୩ରେ ଉଦୟପୁର ନାମରେ ଏକ ନୂଆ ରାଜଧାନୀ ନିର୍ମାଣ କଲେ। ତାଙ୍କର ସୁପୁତ୍ର ହେଉଛନ୍ତି ମହାରାଣା ପ୍ରତାପ।)

୨୩.୯.୧୭

No comments: