ମହାନ ଐତିହାସିକ ତଥା କ୍ରାନ୍ତିକାରୀ ରାଷ୍ଟ୍ରଭକ୍ତ ଦେବତାସ୍ୱରୂପ ଭାଇ ପରମାନନ୍ଦଙ୍କ ସାନ ଭାଇ ବାଲମୁକୁନ୍ଦଙ୍କୁ ତାଙ୍କ ତିନିଜଣ ସାଥୀଙ୍କ ସହିତ ଫାଶୀ ଦଣ୍ଡ ଆଦେଶ ହୋଇଥାଏ। କାରଣ ସେମାନେ ଦିଲ୍ଲୀର ଭାଇସରାୟ ଲର୍ଡ଼ ହାର୍ଡ଼ିଙ୍ଗଙ୍କ ଗାଡ଼ି ଉପରେ ବୋମା ମାଡ଼ କରିଥିଲେ ।
ଭାଇ ବାଲମୁକୁନ୍ଦ, ମାଷ୍ଟର ଅମୀର ଚାନ୍ଦ, ଅବଧ ବିହାରୀ ଓ ବସନ୍ତ କୁମାର ବିଶ୍ୱାସ ଦିଲ୍ଲୀ ଜେଲରେ ଫାଶୀ ପାଇଁ ପ୍ରତୀକ୍ଷାରତ ଥାଆନ୍ତି । ୫ ଅକ୍ଟୋବର ୧୯୧୪ ଦିନ ଘୋଷଣା ହେଇଥିଲା ୧୧ ମେ ୧୯୧୫ରେ ସମସ୍ତଙ୍କୁ ଫାଶୀ ଦିଆଯିବ।
ଭାଇ ବାଲମୁକୁନ୍ଦଙ୍କ ସଦ୍ୟ ବିବାହିତା ପତ୍ନୀ ରାମରଖି ସ୍ୱାମୀଙ୍କୁ ଭେଟିବା ପାଇଁ ଜେଲରେ ପହଞ୍ଚିଲେ । ସେ ସ୍ୱାମୀଙ୍କୁ ପଚାରିଲେ, "ଆପଣଙ୍କୁ କଣ ଖାଇବାକୁ ଦିଆଯାଉଛି ।"
ବାଲମୁକୁନ୍ଦ ବାଲିମିଶା ରୁଟି ଟୁକଡ଼ା କିଛି ତାଙ୍କୁ ଦେଖାଇଦେଲେ ।
"ଏ ଭୀଷଣ ଗରମରେ କେଉଁଠି ଶୋଉଛ ?" ପଚାରିଲେ ରାମରଖି ।
"ଏଇ କୋଠରୀ ଆଗରେ ଯେଉଁ ପଥର ଗଦା ଅଛି ତା ଉପରେ ।" ସ୍ୱାମୀ ଉତ୍ତର ଦେଲେ ।
ରାମରଖି ଅନ୍ତରର କୋହକୁ ଚାପି ରଖି ଘରକୁ ଫେରି ଆସିଲେ ଏବଂ ସେହିଦିନଠାରୁ ବାଲିର ରୁଟି ଖାଇଲେ ଓ ପଥର ଉପରେ ଶୋଇବା ଆରମ୍ଭ କରିଦେଲେ ।
ମେ ୧୧ ତାରିଖ ପ୍ରତ୍ୟୁଷରେ ଯେଉଁ ସମୟରେ ଦିଲ୍ଲୀ ଜେଲରେ ବାଲମୁକୁନ୍ଦଙ୍କୁ ଫାଶୀ ଦିଆଗଲା, ଠିକ୍ ସେତିକି ବେଳକୁ ରାମରଖି ସ୍ନାନ ପୂଜା ସାରି ନିଜ ଇଚ୍ଛା ଶକ୍ତି ଦ୍ୱାରା ସ୍ୱାଭାବିକ ମୃତ୍ୟୁ ବରଣ କଲେ ।
ନିଜ ରାଷ୍ଟ୍ରଭକ୍ତ ସ୍ୱାମୀଙ୍କ ପ୍ରତି ସମର୍ପିତ ଏକ ଭାରତୀୟ ମହିଳାଙ୍କର ସ୍ୱାମୀଙ୍କ ସହ ପରଲୋକ ଗମନର ବିରଳ ଘଟଣା ଦିଲ୍ଲୀର ଇଂରେଜ ଗଭର୍ଣରକୁ ତାଙ୍କ ପ୍ରତି ନତମସ୍ତକ ହେବାକୁ ବାଧ୍ୟ କରିଦେଇଥିଲା ।
୩.୯.୧୭

No comments:
Post a Comment