Friday, 15 September 2017

*ଧୋତି ପିନ୍ଧି ପ୍ରଶାସନିକ ସେବା ପରୀକ୍ଷା ଦେଲେ*

    ୧୯୧୬ ମସିହା ସେପ୍ଟେମ୍ବର ୨୫ ତାରିଖ ଦିନ ଉତ୍ତର ପ୍ରଦେଶର ମଥୁରା ଜିଲ୍ଲା ଓ ଫରହ ତହସିଲ ଅନ୍ତର୍ଗତ ନଗଲା ଚନ୍ଦ୍ରଭାନ ଗ୍ରାମରେ  ଏକ ଦରିଦ୍ର, ଅଥଚ ବିଦ୍ୱାନ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲା ଏକ ଶିଶୁପୁତ୍ର। ମାତ୍ର ସାତ ବର୍ଷ ହୋଇଥିଲା ବେଳେ ତାର ପିତାମାତା ଇହଧାମ ତ୍ୟାଗ କଲେ । ତେଣୁ ଅଜା ଆଈ ପିଲାଟିକୁ ପାଳିଲେ । ମାମୁଁ ମାଇଁ ପାଠ ପଢ଼ାଇଲେ । ପିଲାଟିର କୁଶାଗ୍ର ବୁଦ୍ଧି କାରଣରୁ ସେ ସବୁ ବିଷୟରେ ପ୍ରଥମ ହେଉଥିଲା । ନିଜ ଶ୍ରେଣୀ କାହିଁକି ଉପର କକ୍ଷର ଛାତ୍ରମାନେ ତା ଠାରୁ ପାଠ ବୁଝୁଥିଲେ ।

ୟା ଭିତରେ ମାମୁଁଙ୍କ ଚାକିରୀରେ ବଦଳି ହେବାରୁ ତାକୁ ରାଜସ୍ଥାନ ଯିବାକୁ ପଡ଼ିଲା । ଆଜମେର ବୋର୍ଡ ଅଧୀନରେ ଥିବା ସିକର ବିଦ୍ୟାଳୟରେ ସେ ମେଟ୍ରିକ ପରୀକ୍ଷା ଦେଇ ସର୍ବୋଚ୍ଚ କ୍ରମାଙ୍କ ପ୍ରାପ୍ତ କଲା। ଖବର ପାଇ ରାଜା ପିଲାକୁ ପୁରସ୍କାର ଦେବାପାଇଁ ଡକାଇଲେ ।

ରାଜା ପଚାରିଲେ,
"ପୁରସ୍କାର ରୂପେ ତୁମେ ମୋ ପାଖରୁ କଣ ଚାହୁଁଚ ?
ପିଲା - "ଆପଣଙ୍କ ଆଶୀର୍ବାଦ ।"
ରାଜା ଆନନ୍ଦିତ ହୋଇ କହିଲେ,
"ପୁଅ, ଚିନ୍ତା କରନି। ଯେତେ ପାରୁଛ ପଢ଼ । ତୁମକୁ ଛାତ୍ରବୃତ୍ତି ଓ ସ୍ୱର୍ଣ୍ଣ ପଦକ ସହ ପୁସ୍ତକ ଖର୍ଚ୍ଚ ଯୋଗାଇ ଦିଆଯିବ।"

ସ୍କୁଲ ଶିକ୍ଷା ସାରି  ଇଣ୍ଟରମିଡ଼ିଏଟ ଲାଗି ପିଲାଟି ଯୋଗ ଦେଲା ବିର୍ଲା କଲେଜ, ପିଲାନୀରେ। (ଯାହା ଏବେ ବିର୍ଲା ଇଂଷ୍ଟିଚ୍ୟୁଟ ଅଫ ସାଇନ୍ସ ହେଇଛି) । ଏଇ ସମୟରେ ସେ କଲେଜରେ ପାଠପଢ଼ା ସାରି,  ଗରିବ ଓ କମଜୋର ପିଲାମାନଙ୍କୁ ମାଗଣାରେ ପଢ଼ାଉ ଥିଲା ।  ରାତିରେ ଲଣ୍ଠନ ଜାଳି ନିଜ ପାଠ ପଢୁଥିଲା । ଦିନରେ ତା ପାଖକୁ ବହୁତ ପିଲା ପଢ଼ିବାକୁ ଆସିଲେ । ଯେତେବେଳେ ପରୀକ୍ଷା ଫଳ ବାହାରିଲା,ପିଲାଟି ସର୍ବୋଚ୍ଚ ନମ୍ବର ରଖିଥାଏ ।

କଲେଜ ପ୍ରତିଷ୍ଠାତା ସେଠ ଘନଶ୍ୟାମ ଦାସ ବିର୍ଲା ପିଲାଟିକୁ ପାଖକୁ ଡକାଇ କହିଲେ,

"ତୁମେ ଯେତିକି ନମ୍ବର ରଖିଛ, ଏଯାଏ କେହି ଏତେ ନମ୍ବର ରଖି ନ ଥିଲେ। ତୁମକୁ ଏଇ ସ୍ୱର୍ଣ୍ଣ ପଦକ ପିନ୍ଧାଇ ମୋତେ ବହୁତ ଖୁସି ଲାଗୁଛି। ତୁମକୁ ମାସିକ ଛାତ୍ରବୃତ୍ତି ସହ ପଢ଼ା ଖର୍ଚ୍ଚ ଦିଆଯିବ। ତୁମେ ଆଗ୍ରହୀ ହେଲେ, ଏହି କଲେଜରେ ଚାକିରୀ ବି କରିପାରିବ ।"

ହେଲେ ସେ ସେଇଠି ଅଟକି ନ ଯାଇ ସ୍ନାତକ ଶିକ୍ଷା ଲାଗି ଆସିଲେ ସନାତନ ଧର୍ମ କଲେଜ, କାନପୁର । ବି.ଏ ରେ ମଧ୍ୟ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ । ଆଗ୍ରାର ସେଣ୍ଟ ଜନ କଲେଜରେ ଏମ ଏ ର ପ୍ରଥମ ବର୍ଷ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ହେଲେ।
ଦ୍ଵିତୀୟ ଶ୍ରେଣୀ ପରୀକ୍ଷା ସମୟରେ ମାମୁ ଝିଅ ଭଉଣୀ ରମାଦେବୀ ବେମାର ପଡ଼ିବାରୁ ତାର ସେବାରେ ସେ ରାତି ଦିନ ଏକ କରି ଦେଲେ। ଏଣୁ ପରୀକ୍ଷା ଦେବା ସମ୍ଭବ ହେଲା ନାହିଁ ।  ତେବେ ଭଉଣୀକୁ ମଧ୍ୟ ବଞ୍ଚାଇ ହେଲା ନାହିଁ। ବାପା ମାଆ ପିଲା ବେଳୁ ଆରପାରିକୁ ଚାଲିଯାଇଥିଲେ । ଏବେ ଭଉଣୀର ସ୍ନେହ ବି ଚାଲିଗଲା। ଏଇ ଦୁଃଖରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲେ ।

ମାମୁଁ ନିଜକୁ ସମ୍ଭାଳିବା ସହିତ ଭଣଜାକୁ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେବା ଲାଗି ଉତ୍ସାହିତ କଲେ। କାରଣ ପୁଣି ପଢ଼ାରେ ମନ ଦେଲେ ହୁଏତ ସେ ଦୁଃଖ ଭୁଲିଯିବ ।

ଯୁବକ ଜଣକ ପୁଣି ପଢ଼ାରେ ମନ ଲଗେଇଦେଲେ ଓ ଲିଖିତ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ସଫଳ ହେବା ପରେ ସାକ୍ଷାତକାର ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାନ୍ତି। ଏଇଠି ଆସିଲା ଅସଲ ସମସ୍ୟା। ଏ ପର୍ଯ୍ୟନ୍ତ ସେ ସମସ୍ତ ପରୀକ୍ଷାରେ ଧୋତି ପିନ୍ଧି ପରୀକ୍ଷା ଦେଇଥିଲେ। କିନ୍ତୁ ସାକ୍ଷାତକାର ପରୀକ୍ଷାର ନିୟମ ଅନୁଯାୟୀ ସୁଟ ପିନ୍ଧିବାକୁ ହେବ । ସୁଟ କେଉଁଠୁ ଆସିବ ? ପାଖରେ ଅର୍ଥର ଅଭାବ।

ଏଇ ସମୟରେ ସେ ଚିନ୍ତା କରିବାକୁ ଲାଗିଲେ ।
ସ୍ୱାଧୀନତା ଆନ୍ଦୋଳନ ଚାଲିଛି । ବିଦେଶୀ ବର୍ଜନ ଓ ସ୍ୱଦେଶୀ ଗ୍ରହଣର ଆମେ ବହୁତ ଭାଷଣ ଦେଉଛୁ । ଏହା କଣ କେବଳ ଅନ୍ୟମାନଙ୍କ ପାଇଁ ? ନିଜେ ଆଚରଣରେ ପ୍ରକାଶ ନ କରି କେବଳ ଅନ୍ୟମାନଙ୍କୁ ଉପଦେଶ ଦେଲେ କି ଲାଭ ?  ସେ ନିର୍ଣ୍ଣୟ ନେଲେ,"ନା, ମୁଁ ସୁଟ ତିଆରି କରିବି ନାହିଁ କି ସୁଟ କେବେ ବି ପିନ୍ଧିବି ନାହିଁ।"

ସାକ୍ଷାତକାର ସ୍ଥଳୀରେ ଅନ୍ୟ ପ୍ରତିଯୋଗୀମାନେ ଧୋତିପିନ୍ଧା ଯୁବକଙ୍କୁ ଦେଖି ଟାହି ଟାପରା କରି କହିଲେ, ଦେଖ ହୋ ପଣ୍ଡିତଜୀ ଆସିଗଲେ !

ଇଂରେଜ ଅଧିକାରୀ ମୌଖିକ ପରୀକ୍ଷାରେ ତାଙ୍କ ପୋଷାକ ଦେଖି ପଚାରିଲେ,
"ଦେଶର ସବୁଠୁ ବଡ଼ ଚାକିରୀ ପାଇଁ ତୁମେ ସାକ୍ଷାତକାର ଦେବାକୁ ଆସିଛ । କଣ ତୁମକୁ ଜଣା ନାହିଁ ସାକ୍ଷାତକାର ପାଇଁ ସୁଟ ପିନ୍ଧି ଆସିବା ଅନିବାର୍ଯ୍ୟ ?"

ଯୁବକ କହିଲେ,
" ହଁ, ମୁଁ ଜାଣିଛି।  କିନ୍ତୁ ଚାକିରୀ ମାଧ୍ୟମରେ ମୁଁ ଯେଉଁ ରାଷ୍ଟ୍ରର ସେବା କରିବି ସେ ରାଷ୍ଟ୍ରର ୮୦ ଭାଗ ଲୋକ ଧୋତି ପିନ୍ଧନ୍ତି। ଏଣୁ ଧୋତି ପିନ୍ଧିବା ନେଇ ମୋ ମନରେ କୌଣସି ଗ୍ଳାନି କିମ୍ବା ଅନୁଶୋଚନା ନାହିଁ।"

ପରୀକ୍ଷକ, "କିନ୍ତୁ ଏତେ ବଡ଼ ପଦସ୍ଥ ବ୍ୟକ୍ତି ସାଧାରଣ ଲୋକଠାରୁ ଟିକେ ଅଲଗା ହେବା ଉଚିତ।"
"କ୍ଷମା କରନ୍ତୁ, ମୁଁ ଏହି ପଦ ପାଇଁ ବାହ୍ୟ ବେଶଭୂଷା ଅପେକ୍ଷା ଆନ୍ତରିକ ସ୍ବଚ୍ଛତାକୁ ଅଧିକ ମହତ୍ତ୍ଵ ଦେଉଛି ।"
ପରୀକ୍ଷକ,
"ତୁମ ଦୃଷ୍ଟିରେ ଏଇ ପଦ ପାଇଁ କେଉଁ କେଉଁ ଗୁଣ ହେବା ଦରକାର ? କଣ ତୁମେ ଏଇ ପଦ ପାଇଁ ନିଜକୁ ଯୋଗ୍ୟ ଭାବୁଛ ?"
ଯୁବକ କହିଲେ,
"ଏହି ପଦରେ ଯିଏ ଆସୀନ ହେବେ, ସେ ବ୍ୟକ୍ତି ରାଷ୍ଟ୍ର ନିର୍ମାଣ ଓ ସମାଜୋତ୍ଥାନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଏଣୁ ସତ୍ୟ, ନ୍ୟାୟ, ସ୍ପଷ୍ଟବାଦୀତା, ସ୍ୱାର୍ଥହୀନତା, ପରହିତ ଭାବନା, ସାହସ ତଥା ବିଜ୍ଞତା - ଏହି ସବୁ ଗୁଣ ଅଧିକାରୀଙ୍କ ଭିତରେ ରହିବା ଆବଶ୍ୟକ । ମୁଁ ଜଣେ ସାମାନ୍ୟ ବ୍ୟକ୍ତି। ମୋର ଯୋଗ୍ୟତା ବିଷୟରେ ଆପଣ ବିଚାର କରନ୍ତୁ ।"

ଆଉ ଅଧିକ କିଛି ପ୍ରଶ୍ନ ନଥିଲା। ଯଥା ସମୟରେ ପରୀକ୍ଷା ଫଳ ବାହାରିଲା।

ତାଲିକାର ସର୍ବାଗ୍ରେ ଥିଲା ଏଇ ଯୁବକଙ୍କ ପୂରାନାମ -  ଦୀନଦୟାଲ ଉପାଧ୍ୟାୟ । ଯାହାଙ୍କୁ ଆଜି ସାରା ବିଶ୍ୱ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନାମରେ ଜାଣୁଛି ।

ସେ ମଧ୍ୟ ଯୋଗୀ ଅରବିନ୍ଦ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପଦାଙ୍କ ଅନୁସରଣ କରି ଇଂରେଜ ଅଧୀନରେ ସେହି ପଦବୀରେ ଯୋଗ ନ ଦେଇ ସାରା ଜୀବନ ମାତୃଭୂମି ସେବାର ବ୍ରତ ନେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ପ୍ରଚାରକ ରୂପେ ଯୋଗଦେଲେ ଓ ସଙ୍ଘର ନିର୍ଦ୍ଦେଶରେ ରାଜନୀତି କ୍ଷେତ୍ରରେ କାମ କରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ମୋଗଲସରାଇ ରେଳଷ୍ଟେସନରୁ ତାଙ୍କ ପାର୍ଥିବ ଶରୀର ଯେତେବେଳେ ଯାଇ ଦିଲ୍ଲୀରେ ଅଟଳ ବିହାରୀ ବାଜପେୟୀଙ୍କ ନିବାସରେ ପହଞ୍ଚିଲା ତାଙ୍କୁ ଅନ୍ତିମ ପ୍ରଣାମ ଜଣାଇବାପାଇଁ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ପାଞ୍ଚ ଲକ୍ଷରୁ ଅଧିକ ଜନତା ଛୁଟି ଆସିଥିଲେ ଦେଶର କୋଣ ଅନୁକୋଣରୁ। ତ୍ରୟୋଦଶ ତିଥିରେ ପ୍ରୟାଗରେ ଅସ୍ଥି ବିସର୍ଜନ ବେଳେ ଦୁଇ ଲକ୍ଷ ଜନତା ଉପସ୍ଥିତ ଥିଲେ।

ଘର ଛାଡ଼ିବା ଦିନ (୧୯୪୨, ପରାଧୀନ ଭାରତ)ମାମୁଁ ନାରାଜ ହେବାରୁ ସେ କହିଥିଲେ, "ଯେଉଁ ସମାଜ ଓ ଧର୍ମର ରକ୍ଷାପାଇଁ ପ୍ରଭୁ ଶ୍ରୀରାମ ବନବାସ ଗଲେ, ପ୍ରଭୁ ଶ୍ରୀକୃଷ୍ଣ ଅନେକ କଷ୍ଟ ସହିଲେ, ରାଣାପ୍ରତାପ ଜଙ୍ଗଲ-ଜଙ୍ଗଲରେ ଭୋକ ଉପାସରେ ରହିଲେ, ଶିବାଜୀ ଘୋଡ଼ା ପିଠିରେ ଦୌଡ଼ି ଦୌଡ଼ି ପୂରା ଜୀବନ ରାଷ୍ଟ୍ର ପାଇଁ ଅର୍ପଣ କରିଦେଲେ, ଗୁରୁଗୋବିନ୍ଦ ସିଂହ ନିଜ ଆଖି ଆଗରେ ନିଜ ବାପା ଓ ଚାରିଟା ପୁଅର ବଳିଦାନ ଦେଖିଲେ, କଣ ସେହି ସମାଜର ରକ୍ଷାପାଇଁ ଆପଣ ଆପଣଙ୍କର ଗୋଟିଏ ପୁଅକୁ ଦେଇପାରିବେ ନାହିଁ ?

ସମାଜର ସବୁଠୁ ପଛରେ ଥିବା ଲୋକଟି ସବଳ ନ ହେବା ଯାଏ ସମାଜ ସବଳ ହୋଇପାରିବ ନାହିଁ । ଏଇ କଥା କହିଥବା ଓ ଏକାତ୍ମ ମାନବ ଦର୍ଶନ ସମାଜକୁ ଦେଇଯାଇଥିବା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ଆମେ ସମସ୍ତେ ପଢ଼ିବା ଉଚିତ। ଓଡ଼ିଶାରେ ତାଙ୍କ ସଭାରେ ଉପସ୍ଥିତ ଥିବା ଦୁଇ ମହାପୁରୁଷ (ପଣ୍ଡିତ ଗୋଦାବରୀଶ ମିଶ୍ର ଓ ପଣ୍ଡିତ ନୀଳକଣ୍ଠ ଦାଶ) ମଧ୍ୟ କହିଥିଲେ ଦୀନଦୟାଲଜୀଙ୍କୁ ଆମେ ସମସ୍ତେ ପଢ଼ିବା ଉଚିତ ଓ ସେ ଦେଖାଇଥିବା ମାର୍ଗରେ ଚାଲିବା ଉଚିତ।
  ଆସନ୍ତୁ, ଆଜି ଜନ୍ମଦିନରେ ତାଙ୍କୁ କାର୍ଯ୍ୟାଞ୍ଜଳି ଅର୍ପଣ କରିବା। ନିଜ ଦେଶପାଇଁ ନିଜ ସମାଜପାଇଁ କିଛି କାର୍ଯ୍ୟ କରିଯିବା।

୨୦୧୭ ସେପ୍ଟେମ୍ବର ୨୫

No comments: