ସନ୍ଥ ତୁକାରମ ଶୁଦ୍ର କୁଳରେ ଜନ୍ମ ହୋଇଥିଲେ। ସେ ସମୟରେ ଜାତିଭେଦ ପ୍ରଥା ଉତ୍କଟ ରୂପ ଧାରଣ କରିଥିଲା। ନିମ୍ନ ବର୍ଗର ଲୋକମାନେ ଉଚ୍ଚ ଵର୍ଣ୍ଣର ଲୋକମାନଙ୍କ ଦ୍ବାରା ନାନା ଭାବରେ ନିର୍ଯାତିତ ହେଉଥିଲେ। ତୁକାରାମଙ୍କ ଗଭୀର ଈଶ୍ୱରଭକ୍ତି ଓ ଭକ୍ତିଭାବାପନ୍ନ ରଚନା ପଣ୍ଡିତ ତଥା ଉଚ୍ଚ ବର୍ଣ୍ଣର ଲୋକମାନଙ୍କ ମଧ୍ୟରେ ଭୟଙ୍କର ଅସୂୟା ଭାବ ସୃଷ୍ଟି କରିଥିଲା। ସେମାନଙ୍କ ବିଚାରରେ ଏହା କେବଳ ଅନୁଚିତ କାର୍ଯ୍ୟ ନ ଥିଲା, ବରଂ ଅକ୍ଷମଣୀୟ ଅପରାଧ ଥିଲା। ସେମାନେ ପ୍ରତିଶୋଧ ପରାୟଣ ହୋଇଉଠିଲେ । ଶେଷରେ ଏହା ବିସ୍ଫୋରକ ରୂପ ନେଲା ।
ଥରେ ରାମଶ୍ବରଭଟ୍ଟ ନାମକ ସ୍ଥାନୀୟ ପଣ୍ଡିତ ତୁକାରାମଙ୍କୁ କଠୋର ସ୍ୱରରେ ନିର୍ଦ୍ଦେଶ ଦେଲେ, "ତୁମେ ଜାତିରେ ଶୁଦ୍ର ହେତୁ ଏସବୁ କିଛି କରିପାରିବ ନାହିଁ । ଈଶ୍ୱର ଭକ୍ତି, ଭଜନ କୀର୍ତ୍ତନ ଓ ଭକ୍ତିଗୀତ ରଚନା ଏ ସବୁ କରିବାର ଅଧିକାର ତୁମର ନାହିଁ । " ତୁକାରାମ ଅତ୍ୟନ୍ତ ସରଳ ଓ ସାଦାସିଧା ମଣିଷ ଥିଲେ। ଆବଶ୍ୟକତା ଠାରୁ ପଦୁଟିଏ ମଧ୍ୟ ଅଧିକ କଥା କହୁ ନଥିଲେ।
ରାମେଶ୍ୱରଙ୍କ ନିର୍ଦ୍ଦେଶକୁ ସେ ସ୍ୱୀକାର କରିନେଲେ ବିନା ବାକ୍ୟ ବ୍ୟୟରେ । ପଦୁଟିଏ ମାତ୍ର କହିଥିଲେ, "ଯେଉଁସବୁ ଭଜନ ଓ ଭକ୍ତିଗୀତ ରଚନା କରିଛି ସେଗୁଡ଼ିକ କଣ ହେବ ?" ହୃଦୟହୀନ ରାମେଶ୍ୱର କହିଲେ, "ଅବିଳମ୍ବେ ସେଗୁଡ଼ିକୁ ନଦୀରେ ଭସାଇ ଦିଅ, ନଚେତ ଆମ୍ଭେମାନେ ମିଶି ତାହାହିଁ କରିବୁ।" ଅନାସକ୍ତ ଯୋଗୀ ତୁକରାମ ତାହାହିଁ କଲେ। ସେ ସବୁ ପୋଥିକୁ ନଦୀରେ ଭସାଇ ଦେଲେ। ପ୍ରଖର ଜଳ ସ୍ରୋତରେ ତାହା ଭାସିଯାଇ ଅଦୃଶ୍ୟ ହୋଇଗଲା। ତୁକାରାମ ଲୁହ ଛଳଛଳ ଆଖିରେ କାଠପିତୁଳା ପରି ସେ ସବୁ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ଚାହିଁ ରହିଥାନ୍ତି, ହୃଦୟ ଶତଧା ବିଦୀର୍ଣ୍ଣ ହୋଇଗଲାପରି ଲାଗୁଥାଏ।
ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ ତୁକାରାମ ଭଗବାନ ବିଠଲଙ୍କ ମନ୍ଦିରରେ ଅନ୍ନଜଳ ସ୍ପର୍ଶ ନ କରି ପଡ଼ି ରହିଲେ। ଇତି ମଧ୍ୟରେ ବାର ଦିନ ବିତିଗଲା। ତୁକାରାମ ମନେମନେ ଭାବୁଥାନ୍ତି, ବୋଧହୁଏ ମୋର ଭକ୍ତିରେ କିଛି ତ୍ରୁଟି ରହିଯାଇଛି। ଯାହାଫଳରେ ଭଗବାନ ମୋ ପ୍ରତି ଏତେ ବିମୁଖ ହେଇଯାଇଛନ୍ତି। ଦୁଃଖୀର ମର୍ମବେଦନା, ସନ୍ତାପିତ ହୃଦୟର ଆତୁର ଡାକ ଭାଗବାନ ଶୁଣିଲେ। ତେରଦିନ ଦିନ ତୁକାରମଙ୍କୁ ସ୍ୱପ୍ନାଦେଶ ହେଲା, "ନଦୀ ଜଳରେ ଭସାଇ ଦେଇଥିବା ତୁମର ସାରସ୍ୱତ କୃତିକୁ ନଦୀ ତଟରୁ ଗୋଟାଇ ଆଣ। ସେ ସବୁ ଅକ୍ଷତ ଅବସ୍ଥାରେ ସେଇଠି ପଡ଼ିିଛି।"
ସ୍ୱପ୍ନାଦେଶ କଥା ତୁକାରାମ ଶିଷ୍ୟମାନଙ୍କୁ କହିଲେ। ଅନୁଗାମୀମାନେ ଜୟ ଜୟକାର କରି ନଦୀ ତଟକୁ ଯାଇ ସେସବୁକୁ ସଂଗ୍ରହ କରିଆଣିଲେ।
ଏହି କାରଣରୁ ବୋଧ ହୁଏ କୁହାଯାଇଛି ଯାହାର ମନ ଯେଡ଼େ ତାହାର ପ୍ରଭୁ ତେଡ଼େ। ଆବିଳତାହୀନ ମନର ଶ୍ରଦ୍ଧା ନିକଟରେ ସକଳ ଶକ୍ତି ପରାଭୂତ ହୋଇଥାଏ। ଈଶ୍ୱର ଆଶ୍ରିତ ବ୍ୟକ୍ତି ବିପଦରେ କାତର ନହୋଇ ଲୀଳାମୟ ପ୍ରଭୁଙ୍କ ଉପରେ ସବୁକିଛି ଛାଡ଼ି ଦେଇଥାନ୍ତି ଓ ଶେଷରେ ଗଭୀର ଈଶ୍ୱର ବିଶ୍ୱାସ ଜନିତ ପୁଣ୍ୟଫଳ ଲାଭରେ ସକ୍ଷମ ହୋଇଥାନ୍ତି ।
୨୧.୯.୧୭

No comments:
Post a Comment