୨୦୧୭ ମସିହା ମଇ ମାସର ପ୍ରଥମ ଦିବସ। ତୁର୍କୀର ରାଷ୍ଟ୍ରପତି ଏର୍ଡଗନ ଭାରତ ଆସିଥାନ୍ତି । ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟରେଟ ଉପାଧି ଦେବାକୁ ନିମନ୍ତ୍ରଣ କରିଥାଏ । ଏର୍ଡଗନ ସେଦିନ ବିଶ୍ୱବିଦ୍ୟାଳୟ ଗଲେ ଓ ଉପାଧି ବି ନେଲେ । ଏହାପରେ ଭାଷଣ ଦେବା ବେଳେ ସେ ନିଜ ମାତୃଭାଷା ତୁର୍କୀରେ ଭାଷଣ ଆରମ୍ଭ କଲେ । ବିଶ୍ୱବିଦ୍ୟାଳୟ ପ୍ରଶାସନ ପୂର୍ବରୁ ପ୍ରସ୍ତୁତ ନ ଥିଲା । ସେମାନେ ଭାବିଥିଲେ ଇଂରାଜୀରେ ଭାଷଣ ହେବ । ତେଣୁ ଅନୁବାଦକର ବ୍ୟବସ୍ଥା କିଛି କରିନଥାନ୍ତି । ତୁର୍କୀ ଭାଷାରେ ଭାଷଣ ହେବାରୁ କର୍ମକର୍ତ୍ତାମାନଙ୍କ ମଧ୍ୟରେ ବିବ୍ରତ ଭାବ ଦେଖା ଯାଉଥାଏ । ଯାହାକୁ ଏର୍ଡଗନ ବୁଝିପାରୁଥାନ୍ତି। ସେ ଏହା ବି ଜାଣିପାରୁ ଥାନ୍ତି ଯେ ତାଙ୍କ ଭାଷଣ ଶ୍ରୋତା କେହି ବୁଝିପାରୁ ନାହାନ୍ତି । ତଥାପି ସେ ଇଂରାଜୀ ନ କହି ତୁର୍କୀରେ ଶେଷ ପର୍ଯ୍ୟନ୍ତ ଭାଷଣ ଦେଇଥିଲେ ।
ଠିକ ସେହି ଦିନ ଜୟପୁରରେ ଆଉ ଏକ ରୋଚକ ଖବର ଶୁଣାଇଲେ ପ୍ରୟାଗ ଉଚ୍ଚ ନ୍ୟାୟାଳୟର ପୂର୍ବତନ ନ୍ୟାୟାଧୀଶ ଶ୍ରୀ ଗିରିଧର ମାଲବ୍ୟ । ସେ ହେଉଛନ୍ତି ଭାରତରତ୍ନ ମହାମନା ମଦନମୋହନ ମାଲବ୍ୟଙ୍କ ନାତି ଓ ମାଲବ୍ୟ ମିଶନର ଅଧ୍ୟକ୍ଷ । ସେଦିନ 'ପାଥେୟ-କଣ' ର ମିଡ଼ିଆ ଅଙ୍କ ଉନ୍ମୋଚନ ଅବସରରେ ତାଙ୍କ ଅନୁଭୁତି କହୁଥିଲେ।
କିଛି ବର୍ଷ ପୂର୍ବେ ସେ ଜର୍ମାନ ଯାଇଥିଲେ । ତାଙ୍କ ସହ ଜଣେ ଭାରତୀୟ ସଚିବ ସ୍ତରୀୟ ଅଧିକାରୀ ମଧ୍ୟ ଯାଇଥିଲେ । ଜର୍ମାନୀର ଗୋଟିଏ ସଂସ୍ଥା ତାଙ୍କୁ ଏକ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିଥାଏ। ଭାରତୀୟ ଅଧିକାରୀ ଜଣକ ସମସ୍ତଙ୍କ ସହ ଇଂରାଜୀରେ କଥା ହେଉଥିବା ବେଳେ ସେ ହିନ୍ଦୀରେ କଥା ହେଉଥାନ୍ତି ।
ନିମନ୍ତ୍ରଣ କରିଥିବା ସଜ୍ଜନ ଭାରତୀୟ ଅଧିକାରୀଙ୍କୁ ଗୋଟିଏ କୋଣରେ ଛିଡ଼ା ହେବା ପାଇଁ ଆଦେଶ ଦେଲେ । ସଚିବ ଜଣକ ସେଇ କୋଣରେ ଛିଡ଼ା ହେବା ପରେ ବି ଇଂରାଜୀରେ କଥାବାର୍ତ୍ତା ଚାଲୁ ରଖିଥାନ୍ତି ।
କାର୍ଯ୍ୟକ୍ରମର ପ୍ରସ୍ତୁତି କାମ ସାରି ନିମନ୍ତ୍ରିତ ଭଦ୍ରବ୍ୟକ୍ତି କୋଣରେ ଛିଡ଼ା କରାଇଥିବା ଭାରତୀୟ ସଚିବଙ୍କୁ ପଚାରିଲେ - " ଆପଣଙ୍କୁ ଜଣାଅଛି ଏଇ କୋଣରେ ଛିଡ଼ା କରାଇ କାହିଁକି ଆପଣଙ୍କୁ ଅପମାନ ଦିଆଗଲା ?"
ସଚିବ କିଛି ବୁଝି ନ ପରିବାରୁ
ସେ ଭଦ୍ରବ୍ୟକ୍ତି କହିଲେ - "ଇଂରାଜୀ କଣ ଆପଣଙ୍କ ମାତୃଭାଷା ? ଯାହାର ନିଜ ଭାଷା ପ୍ରତି ଗୌରବ ଭାବ ନାହିଁ ତା ଦ୍ୱାରା ଦେଶ, ଜାତିର କି ଉନ୍ନତି ହେବ ?"
ଏହା ଶୁଣି ସଚିବ ଜଣକ ନିରୁତ୍ତର ହୋଇଯାଇଥିଲେ । ଲଜ୍ଜାରେ ତାଙ୍କ ମୁଣ୍ଡ ତଳକୁ ହୋଇ ଗଲା।
୧୨.୯.୧୭

No comments:
Post a Comment