ମହାତ୍ମା ଗାନ୍ଧୀ ଓ ଠକ୍କର ବାପା ଥରେ ଓଡ଼ିଶାର ଏକ ଛୋଟ ରେଳ ଷ୍ଟେସନରେ ଗାଡ଼ିକୁ ଅପେକ୍ଷା କରି ବସିଥାଆନ୍ତି । ଏତିକିବେଳେ ଜଣେ ବୃଦ୍ଧ ବନବାସୀ ଆସି ଆଣ୍ଠୁମାଡ଼ି ଗାନ୍ଧିଜୀଙ୍କୁ ଜୁହାର ହେଲା ଓ ପାଦ ସ୍ପର୍ଶ କରି କର ନିଜ ମଥାରେ ଲଗାଇଲା । ସେ ଦେହରେ କେବଳ ଗୋଟେ ଲେଙ୍ଗୁଟି ପିନ୍ଧିଥିଲା । ବାକି ଶରୀର ଫୁଙ୍ଗୁଳା ଥିଲା । ଜୁହାର ହେଇ ସାରି ସେ ଅଣ୍ଟା ଖୋସାରୁ ଏକ ଖୁଚୁରା ମୁଦ୍ରା ବାହାର କଲା ଓ ବାପୁଙ୍କ ଚରଣ ତଳେ ଥୋଇ ଦେଲା । ବାପୁଙ୍କ ଚକ୍ଷୁ ଶ୍ରଦ୍ଧାନତ ହୋଇଗଲା ।
ସେ ତାକୁ ପଚାରିଲେ,
" ଏ ପଇସା ଏଠି କାହିଁକି ଥୋଇଲ ?"
ବୃଦ୍ଧ କହିଲା, " ଦେବ ଦର୍ଶନ କରିବାକୁ ଗଲେ କିଛି ନା କିଛି ଅର୍ପଣ କରାଯାଏ । ମୋ ପାଖରେ ଏଇ ଏକ ପଇସା ଥିଲା ବାପୁ ।"
ବାପୁ କହିଲେ, "ମୁଁ ଏ ପଇସା ନେଇ କଣ କରିବି ?"
ବୃଦ୍ଧ ଉତ୍ତର ଦେଲା, "କୋଉ ଗରିବକୁ ଦେଇଦେଵ ବାପୁ ।"
ଗାନ୍ଧିଜୀ ପାଖରେ ବସିଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ କହିଲେ,
"ଏହା ହେଉଛି ଭାରତର ଆତ୍ମା । ଏଠାରେ ପ୍ରତ୍ୟେକ ବ୍ୟକ୍ତି ନିଜଠାରୁ ଗରିବକୁ ସହାୟତା କରିବା ନିଜର ଧର୍ମ ବୋଲି ବୁଝିଥାଏ । ଦେଖନ୍ତୁ, ଏଇ ବୃଦ୍ଧ ଲୋକଟିର ଶରୀର କେତେ ଦୁର୍ବଳ; କିନ୍ତୁ ତାର ଆତ୍ମା, ସତରେ କେତେ ବଳବାନ !"
୭.୯.୧୭

No comments:
Post a Comment