୧୫ ସେପ୍ଟେମ୍ବର ୧୮୯୧ରେ ତ୍ରିଭେନ୍ଦ୍ରମରେ ଜନ୍ମ ହୋଇଥିଲେ ଡ. ପିଲାଇ । ବାଲ୍ୟାବସ୍ଥାରୁ ସେ ହୋଇଯାଇଥିଲେ ସ୍ୱାଧୀନତା ସଂଗ୍ରାମୀ । ଅତ୍ୟନ୍ତ କୁଶାଗ୍ର ବୁଦ୍ଧି ଥିବାରୁ ସେ ବହୁତ ଭଲ ପଢୁଥିଲେ ଓ ଉଚ୍ଚ ଶିକ୍ଷା ପାଇଁ ଚାଲିଗଲେ ଇଟାଲି । ସେଠାରୁ ସେ ସ୍ନାତକ ହୋଇ ଚାଲିଆସିଲେ ବର୍ଲିନ । ବର୍ଲିନ ବିଶ୍ୱବିଦ୍ୟାଳୟରୁ ସେ ତିନିଟି ବିଷୟରେ ଯଥା ଇଞ୍ଜିନିୟରିଂ, ରାଜନୀତି ବିଜ୍ଞାନ ଓ ଅର୍ଥ ଶାସ୍ତ୍ରରେ ପି ଏଚ ଡି ଡିଗ୍ରୀ ହାସଲ କଲେ । ବିଶ୍ୱର ବାରଟି ଭାଷାରେ ସେ ଅନର୍ଗଳ କହିପାରୁଥିଲେ ଓ ଲେଖିପାରୁଥିଲେ ।
ଇଞ୍ଜିନିୟରିଂରେ ତାଙ୍କର ଉତ୍ତମ ଜ୍ଞାନକୁ ହୃଦୟଙ୍ଗମ କରି ଜର୍ମାନ ସରକାର ତାଙ୍କୁ ସରକାରଙ୍କ ପରାମର୍ଶଦାତା ଇଞ୍ଜିନିୟର ଭାବେ ନିଯୁକ୍ତ କରିଦେଲେ । ସେତେବେଳେ ୟୁରୋପରେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥାଏ । ସେଥିରୁ ଲାଭ ଉଠାଇବା ପାଇଁ ସେ ୧୯୧୪ ରେ ବର୍ଲିନରେ ଗଢ଼ିଲେ 'ଭାରତୀୟ ରାଷ୍ଟ୍ରୀୟ ଦଳ'। ଲାଲା ହରଦୟାଲ, ରାଜା ମହେନ୍ଦ୍ର ପ୍ରତାପ ଓ ବିଦେଶରେ ରହୁଥିବା ଅନେକ ଭାରତୀୟ କ୍ରାନ୍ତିକାରୀ ଏଇ ଦଳର ସଦସ୍ୟ ହୋଇଗଲେ । ଏହି ଦଳ ଜର୍ମାନ ସରକାରକୁ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ସହଯୋଗ କରିବା ପାଇଁ ଆଗ୍ରହ କଲା। କାରଣ ଇଂରେଜ ବିରୋଧୀ ଥିଲା ଜର୍ମାନ। ତେଣୁ ଜର୍ମାନ ଏଇ ଦଳର କଥା ମାନି ନେଲା ଓ ଭାରତର କ୍ରାନ୍ତିକାରୀମାନଙ୍କୁ ଗୋଳା ବାରୁଦ ଓ ବିଭିନ୍ନ ଅସ୍ତ୍ର ଶାସ୍ତ୍ର ଯୋଗାଇବା ଆରମ୍ଭ କରିଦେଲା ।
ଏହି ସମୟରେ ପିଲାଇ ଯୁଦ୍ଧକୌଶଳ ଶିଖିବା ପାଇଁ ଜର୍ମାନ ନୌ ସେନାରେ ଯୋଗ ଦେଲେ । ସେନାବାହିନୀରେ ତାଙ୍କର ପ୍ରଶିକ୍ଷଣର ଅଦ୍ଭୁତ କଳା ଦେଖି ଜର୍ମାନ ସରକାର ତାଙ୍କୁ 'ଏଡ଼ମନ' ନାମକ ଜଳ ଜାହାଜର ସହାୟକ କେପଟେନ ନିଯୁକ୍ତ କରିଦେଲେ । ଏଇ ଏଡ଼ମନ ଅନେକ ଇଂରେଜ ଜଳ ଜାହାଜକୁ ଜଳରେ ବୁଡ଼ାଇଦେଲା । ସମୁଦ୍ରରେ ଯୁଦ୍ଧ କରି କରି ତାଙ୍କ ଜଳ ଜାହାଜ ଯେତେବେଳେ ହିନ୍ଦୁ ମହାସାଗରରେ ପହଞ୍ଚିଲା କେପଟେନଙ୍କ ମୃତ୍ୟୁ ହୋଇଥିଲା ଓ କମାଣ୍ଡର ଦାୟୀତ୍ବ ମିଳିଲା ପିଲାଇଙ୍କୁ । ଏହାର ସୁଯୋଗ ନେଇ ସେ ଚାହିଁଲେ ଆଣ୍ଡାମାନ ଯାଇ ସ୍ୱାତନ୍ତ୍ର୍ୟ ବୀର ବିନାୟକ ଦାମୋଦର ସାବରକରଙ୍କୁ ମୁକ୍ତ କରିଦେବେ । ଦୁର୍ଭାଗ୍ୟ, ଜାହାଜ ଆଣ୍ଡାମାନ ପହଞ୍ଚିବା ପୂର୍ବରୁ ଇଂରେଜ ଜାହାଜ ଏଡ଼ମନକୁ ନଷ୍ଟ କରିଦେଲା । ସମସ୍ତେ ମୃତ୍ୟୁ ବରଣ କରିଥିବା ବେଳେ ଡ.ପିଲାଇ କୌଶଳକ୍ରମେ ଖସି ଆସିଲେ । ସେ ଛଦ୍ମବେଶରେ ଆସି କେରଳ ତଟରେ ପହଞ୍ଚିଲେ । ସେତବେଳକୁ ଇଂରେଜ ସରକାର ତାଙ୍କୁ ଯିଏ ଧରାଇଦେଵ ତାକୁ ଏକ ଲକ୍ଷ ଟଙ୍କା ପୁରସ୍କାର ଦେବ ବୋଲି ଘୋଷଣା କରିଥାଏ । କିନ୍ତୁ ସେ ଇଂରେଜ ପୋଲିସ ଆଖିରେ ଧୂଳି ଦେଇ ଲମ୍ବା ପଥ ଅତିକ୍ରମ କରି ଆଫଗାନିସ୍ତାନରେ ପହଞ୍ଚି ଗଲେ। ସେଠାରେ ସେ ପ୍ରତିଷ୍ଠା କଲେ ପ୍ରଥମ ଆଜାଦ ହିନ୍ଦ ସରକାର । ସେଇ ସରକାରର ସେ ହେଲେ ବିଦେଶ ମନ୍ତ୍ରୀ।ରାଜା ମହେନ୍ଦ୍ର ପ୍ରତାପ ହେଲେ ରାଷ୍ଟ୍ରପତି।
ପ୍ରଥମ ବିଶ୍ୱଯୁଦ୍ଧ ସରିବା ପରେ ସେ ଅନ୍ତଃରାଷ୍ଟ୍ରୀୟ ମଞ୍ଚରେ ଭାରତର ସ୍ବାଧୀନତାର ପକ୍ଷ ରଖି ଚାଲିଲେ।ପଣ୍ଡିତ ନେହେରୁ ଓ ନେତାଜୀ ସୁଭାଷ ବୋଷଙ୍କ ସହ ତାଙ୍କର ବର୍ଲିନରେ ସାକ୍ଷାତ ହେଲା। ଜର୍ମାନର ଲିପଜିଗ ସହରରେ ହେଉଥିବା ଅନ୍ତଃରାଷ୍ଟ୍ରୀୟ ମେଳାରେ ସେ ଭାରତୀୟ ବସ୍ତୁର ପ୍ରଦର୍ଶନୀ ଲଗାଇଲେ ଯାହା ଉଚ୍ଚ ପ୍ରଶଂସିତ ହୋଇଥିଲା।
ଏତିକିବେଳେ ଜର୍ମାନରେ ହିଟଲରଙ୍କ ନାଜି ଦଳ ପ୍ରଭାବ ବିସ୍ତାର କଲା । ଡ. ପିଲାଇ ଏହାର ଖୋଲା ଖୋଲି ବିରୋଧ କଲେ । ତେଣୁ ହିଟଲର ତାଙ୍କ ବିରୋଧୀ ହୋଇଗଲେ । ତାଙ୍କର ସମସ୍ତ ସମ୍ପତ୍ତି ଅଧିକାର କରିନେଲେ । ନାଜି ଦଳର ଲୋକମାନେ ଡ. ପିଲାଇଙ୍କ ଉପରେ ଭୟଙ୍କର ଆକ୍ରମଣ କଲେ । ହସ୍ପିଟାଲରେ ପ୍ରବେଶ କରିବାପରେ ତାଙ୍କୁ ବିଷ ଦେଇଦିଆଗଲା । ୨୩ ମାର୍ଚ୍ଚ ୧୯୩୪ରେ ଏହି ମହାନ କ୍ରାନ୍ତିକାରୀଙ୍କ ଦୁଃଖଦ ନିଧନ ହୋଇଥିଲା।
ତାଙ୍କର ପ୍ରବଳ ଇଚ୍ଛା ଥିଲା ଯେ ତାଙ୍କର ଚିତା ଭସ୍ମ ସ୍ୱାଧୀନ ଭାରତର ନୌସେନା ଦ୍ୱାରା ତ୍ରିଭେନ୍ଦ୍ରମ ନିକଟ ହିନ୍ଦୁ ମହାସଗାରରେ ପ୍ରବାହିତ କରିଦେବାପାଇଁ । ସେଇ ଇଚ୍ଛାର ପୂର୍ତ୍ତି ପାଇଁ ସ୍ୱାଧୀନ ଭାରତର ସରକାର ୧୭ ସେପ୍ଟେମ୍ବର ୧୯୬୬ରେ ସେତେବେଳେ ଥିବା ନୌସେନା ଅଧ୍ୟକ୍ଷ ଏଡ଼ମିରାଲ ନନ୍ଦାଙ୍କୁ ତ୍ରିଭେନ୍ଦ୍ରମ ପଠାଇ ଭାରତର ଯୁଦ୍ଧ ଜାହାଜ ଆଇ ଏନ ଏସ ଦ୍ୱାରା ହିନ୍ଦୁ ମହାସାଗରରେ ତାଙ୍କର ଚିତା ଭସ୍ମକୁ ପ୍ରବାହିତ କରିଦେଇଥିଲେ । ଏଇଭଳି ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ତାପସ୍ୟାପାଇଁ ଆମେ ଆଜି ସ୍ୱାଧୀନ। ଡ. ପିଲାଇଙ୍କୁ ଆଜି ଜନ୍ମ ଦିନରେ କୋଟି କୋଟି ପ୍ରଣାମ ।
୧୫.୯.୧୭

No comments:
Post a Comment