ସମାଜ ଓ ରାଷ୍ଟ୍ର ଜାଗରଣର ଅଗ୍ରଦୂତ ପ୍ରଖ୍ୟାତ ଔପନ୍ୟାସିକ ପ୍ରେମଚାନ୍ଦ ସେତେବେଳେ ଗୋରଖପୁରର ଗୋଟିଏ ବିଦ୍ୟାଳୟରେ ଶିକ୍ଷକ ଥିଲେ ।
ସେ ଗାଈଟିଏ ରଖିଥିଲେ । ଦିନେ ଗାଈଟି ଚରିବାକୁ ଯାଇ ବହୁତ ଦୂରକୁ ଚାଲିଗଲା । ପ୍ରେମଚାନ୍ଦ ଗାଈକୁ ଖୋଜିବାକୁ ବାହାରିଲେ । ବହୁତ ଦୂର ଗଲାପରେ ସେ ଦେଖିଲେ ଇଂରେଜ କଲେକ୍ଟରଙ୍କ ବଙ୍ଗଳାର ବଗିଚାରେ ଗାଈ ଛିଡ଼ା ହୋଇଛି । କଲେକ୍ଟର ତାକୁ ଗୁଳି ମାରିବାକୁ ପ୍ରସ୍ତୁତ ହେଉଛନ୍ତି ।
ପ୍ରେମଚାନ୍ଦ ତୁରନ୍ତ ଗାଈ ଓ କଲେକ୍ଟରଙ୍କ ମଝିରେ ଯାଇ ଠିଆ ହୋଇଗଲେ ଏବଂ କହିଲେ, "ଏଇଟା ମୋ ଗାଈ । ନିରୀହ ପ୍ରାଣୀ ହୋଇଥିବାରୁ ବୁଲି ବୁଲି ଆପଣଙ୍କ ବଗିଚାକୁ ଚାଲି ଆସିଛି । ମୁଁ ତାକୁ ନେଇଯାଉଛି ।"
ଇଂରେଜ କଲେକ୍ଟର ରାଗି ଯାଇ କହିଲା, " ତୁମେ ଏହାକୁ ନେଇ ଯାଇ ପାରିବ, ହେଲେ ଜୀବିତ ଅବସ୍ଥାରେ ନୁହେଁ। ମୁଁ ଏବେ ଏହାକୁ ଗୁଳି କରି ମାରିବି। ତାର ଏତେ ସାହସ, ମୋ ବଙ୍ଗଳାରେ ପଶି ଅସନା କରିବ ?"
ପ୍ରେମଚାନ୍ଦ ବୁଝାଇଲେ, " ଆଜ୍ଞା, ଇଏ ନିରୀହ ପଶୁ । କେମିତି ଜାଣିବ ଏଇଟା ଗୋରା ସାହେବଙ୍କ ବଙ୍ଗଳା ବୋଲି । ଦୟାପୂର୍ବକ ଏହାକୁ ମୋତେ ଦେଇ ଦିଅନ୍ତୁ ।"
ପ୍ରେମଚାନ୍ଦଙ୍କ ଠାରୁ ଏତିକି ଶୁଣି କଲେକ୍ଟରର ରକ୍ତ ଗରମ ହୋଇଗଲା । ସେ କହିଲା,
"ତୁମେ ସବୁ କଳା ମଣିଷ ଗୁଡ଼ାକ ଇଡ଼ିଅଟ । ତୁମେ ଯେମିତି, ତୁମ ପଶୁଗୁଡ଼ା ବି ସେମିତି। ତୁମକୁ ଏ ଗାଈର ମୃତ ଶରୀର ହିଁ ମିଳିବ । ଏବେ ମୋ ସମାନରୁ ହଟି ଯାଅ।"
ଏ ଶବ୍ଦ ଶୁଣିବା ମାତ୍ରେ ପ୍ରେମଚାନ୍ଦଙ୍କ ସ୍ୱାଭିମାନ ଜାଗି ଉଠିଲା । ସେ ପୁଣି ଗାଈ ଓ ଇଂରେଜ ମଧ୍ୟରେ ଛିଡ଼ା ହୋଇ ରାଗିକରି ଖୁବ ବଡ଼ ପାଟିରେ କହିଲେ, " ଏ ନିରୀହ ପ୍ରାଣୀକୁ କାହିଁକି ମାରୁଛ ? ଯଦି ପାରୁଛ ମୋତେ ଗୁଳି ମାର ।"
ଜଣେ ଭାରତୀୟଙ୍କ ଏପରି ରୌଦ୍ର ରୂପ ଦେଖି କଲେକ୍ଟରର ବୁଦ୍ଧି ହଜିଗଲା । ସେ ବନ୍ଧୁକ ସହ ନିଜ ବଙ୍ଗଳା ଭିତରକୁ ପଶିଗଲା ।
୫.୯.୧୭

No comments:
Post a Comment