Saturday, 2 September 2017

*ସ୍ବାଧୀନତାର ବଳି ବେଦୀ ଉପରେ*

  କର୍ତ୍ତାର ସିଂହ ସରଭା ମାତୃଭୂମିର ସ୍ୱାଧୀନତା ପାଇଁ ନିଜକୁ ସମର୍ପିତ କରିବାର ସଂକଳ୍ପ ନେଇ ବିଦେଶ ଯାଇଥିଲେ । ୧୯୧୩ ମସିହା, ତାଙ୍କୁ ଯେତେବେଳେ ମାତ୍ର ୧୯ ବର୍ଷ ବୟସ, ସେତିକିବେଳେ ଆମେରିକାରେ  'ଗଦର' ପତ୍ରିକା ପ୍ରକାଶ କଲେ।  ଏହା ଦେଶରେ ଆଲୋଡ଼ନ ସୃଷ୍ଟି କଲା । ଏପରି କ୍ରାନ୍ତିକାରୀ ପଦକ୍ଷେପର ପୁରୋଧା କର୍ତ୍ତାର ସିଂହଙ୍କୁ ଧରିବା ଲାଗି ପୁଲିସ ବିଭାଗ ରାତି ଅନିଦ୍ରା ହୋଇ ଲାଗିପଡ଼ିବାରୁ ସେ କଲମ୍ବୋ ପଳାଇ ଆସିଲେ ।

ସେଠାରୁ ବେଶ ବଦଳାଇ ଖସି ଆସିବା ପରେ, ଭାରତର ସୈନ୍ୟ ଛାଉଣୀରେ ପହଞ୍ଚି ସେମାନଙ୍କୁ ବିଦେଶୀ ଶାସନ ବିରୋଧରେ ବିଦ୍ରୋହ ପାଇଁ ପ୍ରବର୍ତ୍ତାଇବାରେ ଲାଗିଲେ । କିନ୍ତୁ ଏହି କାର୍ଯ୍ୟ ବେଶୀ ଦିନ ଚାଲିଲା ନାହିଁ । ସେ ସରଗୋଧାରେ ଧରାପଡ଼ିଗଲେ । ବ୍ରିଟିଶ କୋର୍ଟ  ଏଇ କୋଡ଼ିଏ ବର୍ଷର ଯୁବକକୁ ରାଜଦ୍ରୋହ ଅପରାଧରେ ଫାସୀ ଦଣ୍ଡର ଆଦେଶ ଦେଲା ।

କର୍ତ୍ତାରଙ୍କ ଜେଜେ ତାଙ୍କୁ ଭେଟିବା ପାଇଁ ଫାଶୀ ପୂର୍ବରୁ ଜେଲ କୋଠରୀକୁ ଯାଇଥିଲେ । ସେ  ବୁଝାଇଲେ  ଯେ ଭାଇସରାୟଙ୍କୁ କ୍ଷମାଯାଚନା କଲେ  ହୁଏତ ଫାସୀ ଦଣ୍ଡ କୋହଳ ହୋଇଯିବ।

କର୍ତ୍ତାର ଏହା ଶୁଣି ହସିଲେ ଓ ଜେଜେଙ୍କୁ ପଚାରିଲେ,
"ଜେଜେ, ଆମ ଗାଁର ଅମୁକ ବ୍ୟକ୍ତି କେଉଁଠି ଅଛନ୍ତି ?"

ଜେଜେ, " ସେ ତ କେବେଠୁ ପ୍ଲେଗରେ ମରିଗଲାଣି ।"

କର୍ତ୍ତାର ପୁଣି ପଚାରିଲା, "ଆଛା, ଜେଜେ, ସମୁକ ଲୋକ କଣ କରୁଛି ?"

ଜେଜେ, "ସେ ପରା ହଇଜାରେ ମରିଗଲା ।"

କର୍ତ୍ତାର କହିଲେ,
"ଜେଜେ ! ଆପଣ କଣ ଚାହୁଁଛନ୍ତି ଯେ ଆପଣଙ୍କ ନାତି ମାତୃଭୂମିର ମୁକ୍ତି ପାଇଁ ନ ଲଢ଼ି, କୋଉ ରୋଗରେ ପଡ଼ି ଘାଣ୍ଟି ଚକଟି ହୋଇ ମରୁ ? "

ଜେଜେ ବୁଝି ପାରିଲେ। ତାଙ୍କ ମନରେ ଆଉ ପ୍ରଶ୍ନ ନ ଥିଲା । ନାତିର ଦେଶଭକ୍ତି ଦେଖି ତାଙ୍କ ନୟନରୁ ଆନନ୍ଦାଶ୍ରୁ ଝରୁଥିଲା ।

୧୬ ନଭେମ୍ବର ୧୯୧୬ ଦିନ ଏହି ସଂଗ୍ରାମୀ କୋଡ଼ିଏ ବର୍ଷୀୟ ଯୁବକ ମାତୃଭୂମିର ମୁକ୍ତି ପାଇଁ ହସି ହସି ଫାସୀ ଖୁଣ୍ଟରେ ନିଜ ଜୀବନକୁ ଆହୁତି ଦେଇଥିଲେ ।

୨.୯.୧୭

No comments: