ତିନିଶହ ବର୍ଷ ତଳର କଥା।
ଧର୍ମ ରକ୍ଷା ପାଇଁ ହେଇଥିଲା ଏଇ ଅଦ୍ଭୁତ ବଳିଦାନ।
ବିଶ୍ୱ ଇତିହାସରେ ଏପରି ଘଟଣା ମିଳିବ ନାହିଁ ଯେଉଁଠି ଜଣେ ସନ୍ନ୍ୟାସୀ ଜଣେ ତପସ୍ୱୀ ରାଜପୁରୁଷଙ୍କ ପ୍ରେରଣାରେ ଧର୍ମ ଓ ସମାଜର ରକ୍ଷା ପାଇଁ ସଶସ୍ତ୍ର ବିପ୍ଳବର ରାସ୍ତା ବାଛି ନେଇଥିବ ଓ ସେଥିରେ ଜୀବନକୁ ବାଜି ଲଗାଇଦେଇଥିବ ।
ବିଶ୍ୱାସଘାତ କାରଣରୁ ସେହି ବିପ୍ଲବୀକୁ ବନ୍ଦୀ କଲାବେଳେ ମୋଗଲମାନେ ତାଙ୍କ ପ୍ରତି କରିଥିବା ଅତ୍ୟାଚାରକୁ ପଢ଼ିଲେ ବା ଶୁଣିଲେ ଆଜି ବି ଆମ ଲୋମ ଟାଙ୍କୁରି ଉଠିବ। ଧର୍ମ ରକ୍ଷା ପାଇଁ ବନ୍ଦା ବୈରାଗୀଙ୍କ ବଳିଦାନ ଅଦ୍ଭୁତ ଥିଲା। ଆମେ କଣ ଏ ଇତିହାସ ପଢ଼ିବା ଉଚିତ ନୁହେଁ କି ?
ଭାରତ ଇତିହାସର ପ୍ରତ୍ୟେକ ପୃଷ୍ଠା ଶହୀଦର ରକ୍ତରେ ରଞ୍ଜିତ। କିନ୍ତୁ ଏଭଳି କଷ୍ଟ ଏଭଳି ଯାତନା ଧର୍ମ ରକ୍ଷା ପାଇଁ ବଜ୍ର ଭଳି ଶରୀରର ସିଦ୍ଧତା କ୍ଵଚିତ ଦେଖିବାକୁ ମିଳେ ।
ବନ୍ଦା ବାହାଦୂର ସିଂହଙ୍କ ଜନ୍ମ ଜମ୍ମୁ କାଶ୍ମୀରର ପୁନ୍ଛ ଜିଲ୍ଲାର ରାଜୌରୀ ଠାରେ ଏକ ଉଚ୍ଚ କ୍ଷେତ୍ରୀୟ କୁଳରେ ୧୬୭୦ ମସିହାରେ ହୋଇଥିଲା। ତାଙ୍କ ନାମ ରଖାଗଲା ଲକ୍ଷ୍ମଣ ଦେବ। ଘୋଡ଼ା ଚଢ଼ା ଓ ଶିକାର କରିବା ତାଙ୍କର ପ୍ରିୟ ବିଷୟ ଥିଲା। ଥରେ ଶିକାର କରିବା ସମୟରେ ସେ ଜାଣି ନପାରି ଗୋଟିଏ ଗର୍ଭଣୀ ହରିଣ ଉପରେ ତୀର ଚଳାଇ ଦେଲେ । ଗର୍ଭଣୀ ହରିଣ ତାଙ୍କ ଆଖି ଆଗରେ ଛଟପଟ ହୋଇ ମରିବା ସହିତ ଶିଶୁ ଶାବକଟି ବି ମରିଗଲା। ଏ ଦୃଶ୍ୟ ଦେଖି ଲକ୍ଷ୍ମଣଙ୍କ ମନ ଆତ୍ମଗ୍ଲାନିରେ ଭରିଗଲା। ସେତିକିବେଳେ ଜଣେ ସାଧୁ ସେହି ରାସ୍ତାରେ ଯାଉଥିଲେ। ସେ ହରିଣ ମାରିବାର କାରଣ ଲକ୍ଷ୍ମଣଙ୍କୁ ପଚାରିଲେ। ଲକ୍ଷ୍ମଣ ନିରୁତ୍ତର ଥିଲେ। ଏହାପରେ ସାଧୁଙ୍କ ବଚନ ଶୁଣି ତାଙ୍କ ମନରେ ବୈରାଗ୍ୟ ଆସିଲା। ସେ ଲକ୍ଷ୍ମଣ ଦେବରୁ ମାଧୋ ଦାସ ବୈରାଗୀ ହୋଇଗଲେ। ମାଧୋ ଦାସ ଏବେ ଘର ଦ୍ୱାର ଛାଡ଼ି ଦକ୍ଷିଣକୁ ଚାଲିଗଲେ। ଗୋଦାବରୀ ତଟରେ ଆଶ୍ରମ କରି ସନ୍ନ୍ୟାସୀ ରୂପେ ସାଧନାରେ ଲାଗିଗଲେ।
ସେହି ସମୟରେ ଗୁରୁ ଗୋବିନ୍ଦ ସିଂହଙ୍କ ସାକ୍ଷାତ ମାଧୋ ଦାସଙ୍କ ସହ ହେଲା। କାରଣ ସେ ଉଜ୍ଜୟୀନରେ ଥିବାବେଳେ ମାଧୋ ଦାସଙ୍କ ସାଧନା ଓ ସିଦ୍ଧି ସମ୍ବନ୍ଧରେ ଶୁଣିଥିଲେ। ସେତେବେଳଠୁ ତାଙ୍କ ମନରେ ଏଇ ସିଦ୍ଧ ବୈରାଗୀଙ୍କୁ ଭେଟିବାକୁ ତାଙ୍କ ମନରେ ଇଚ୍ଛା ଜାଗ୍ରତ ହୋଇଥିଲା। ଅତଏବ ସେ ସିଧାସଳଖ ଚାଲିଥିଲେ ଗୋଦାବରୀ ତଟକୁ ଯେଉଁଠି ମାଧୋ ଦାସଙ୍କ ଆଶ୍ରମ ଥିଲା।
ଗୁରୁ ଗିବିନ୍ଦ ସିଂହ ଓ ମାଧୋ ଦାସଙ୍କ ଭେଟ ଏକପ୍ରକାର ଦୁଇ ମହାନ ଆତ୍ମାର ମିଳନ ଥିଲା। ଗୁରୁଜୀ ମାଧୋଦାସଙ୍କ ଭିତରେ ଲୁଚିରହିଥିବା କ୍ଷାତ୍ର ତେଜ ଓ ସାଧନାକୁ ଚିହ୍ନି ପାରି କହିଲେ, ଯେତେବେଳେ ରାଷ୍ଟ୍ର ସଙ୍କଟ ଅବସ୍ଥାରେ ପଡ଼ିଛି ସେତେବେଳେ ଆପଣଙ୍କର ଏ ସାଧନା କଲ୍ୟାଣକାରୀ ହେବ ନାହିଁ। ପୁଣି ସେ ବୁଝାଇଲେ ଯେ ଯେତେବେଳେ ବିଦେଶୀଙ୍କ ଆକ୍ରମଣ କାରଣରୁ ସାଧାରଣ ଜନତା ନାହିଁ ନ ଥିବା ପୀଡ଼ା ଭୋଗ କରୁଛନ୍ତି, ଆତଙ୍କ ଓ ନିରାଶାରେ ଜୀବନ କଟାଉଛନ୍ତି ସେତେବେଳେ ସେମାନଙ୍କୁ ସେଥିରୁ ମୁକ୍ତ କରିବା ପ୍ରତ୍ୟକ ଦେଶବାସୀଙ୍କ କର୍ତ୍ତବ୍ୟ ହେବା ଉଚିତ। ସେ ଶ୍ରୀକୃଷ୍ଣଙ୍କ ଉଦାହରଣ ଦେଇ କହିଲେ -"ସାଧନାର ଅର୍ଥ କର୍ମଯୋଗ। କର୍ମଠୁ ଦୁରେଇଯିବା ନୁହେଁ।"
ମାଧୋ ଦାସ ଗୁରୁଗୋବିନ୍ଦ ସିଂହଙ୍କ କଥା ବୁଝିଗଲେ।
ସେ କହିଲେ, "ଗୁରୁଜୀ, ଆଜିଠୁଁ ମୁଁ ଆପଣଙ୍କ ବନ୍ଦା, ଆପଣ ଯେଉଁ ଆଜ୍ଞା ଦେବେ ମୁଁ କରିବା ପାଇଁ ପ୍ରସ୍ତୁତ।"
ଗୁରୁଜୀ ତାଙ୍କୁ ପାଞ୍ଚଟି ତୀର, ନିଶାନ ସାହିବ(ଖାଲସା ପନ୍ଥର ଧ୍ୱଜ) ଓ ଗୋଟିଏ ନଗାଡ଼ା ଦେଲେ ଓ କହିଲେ - "ଆଜିଠୁଁ ତୁମେ ବନ୍ଦା ବୈରାଗୀ ହେଲ। ଯାଅ, ମାତୃଭୂମିକୁ ବିଧର୍ମୀଙ୍କ କବଳରୁ ମୁକ୍ତ କର।"
ଏହା ୧୭୦୬ ମସିହାର ଘଟଣା। ୩୬ ବର୍ଷର ବନ୍ଦା ବୈରାଗୀ ନିଜର ଶିଷ୍ୟମାନଙ୍କ ହାତରେ ଅସ୍ତ୍ର ଧରାଇ ଗୁରୁଜୀଙ୍କୁ ପ୍ରଣାମ କରି ଶିଷ୍ୟମାନଙ୍କ ସହ ପଞ୍ଜାବ ଆଡ଼କୁ ଚାଲିଲେ। ଗୁରୁଜୀଙ୍କ କୋଡ଼ିଏଟି ଖାଲସା ଦଳ ବି ତାଙ୍କ ସହ ଚାଲିଲେ।
ବନ୍ଦା ବୈରାଗୀ ବଡ଼ ଯୋଦ୍ଧା ଥିଲେ। ତା ସହିତ ବର୍ଷ ବର୍ଷ ସାଧନାର ବଳ ମଧ୍ୟ ତାଙ୍କ ପାଖରେ ଥିଲା। ତେଣୁ ସେ କେଉଁଠି ପହଞ୍ଚିବା ପୂର୍ବରୁ ତାଙ୍କ ନାମ ସର୍ବତ୍ର ପହଞ୍ଚି ଯାଉଥିଲା।
ଗୁରୁଜୀ ଦକ୍ଷିଣ ଯାଇଥିବା କାରଣରୁ ଶିଖ ଯୋଦ୍ଧାମାନେ ନିରାଶ ହୋଇଯାଇଥିଲେ । ଏବେ ବନ୍ଦାଙ୍କ ଆଗମନର ଖବର ପାଇ ତାଙ୍କ ସଙ୍ଗରେ ଯିବାକୁ ଆରମ୍ଭ କଲେ । ହିସାର ପହଞ୍ଚିବାବେଳେ ତାଙ୍କ ପାଖରେ ଗୋଟିଏ ଛୋଟ ସୈନ୍ୟ ଦଳ ତିଆରି ହୋଇଯାଇଥିଲା। ସେ ଆଉ ବିଳମ୍ବ ନ କରି ଭିବାନୀରେ ଥିବା ମୋଗଲ ଛାଉଣୀରେ ଆକ୍ରମଣ କରି ମୋଗଲଙ୍କ ଖଜଣା ସବୁ ଅଧିକାର କରିନେଲେ। ସେନାଙ୍କୁ ଆଉ ଧନର ଅଭାବ ହେଲା ନାହିଁ। ଭିବାନି ବିଜୟର ଖବର ସର୍ବତ୍ର ପ୍ରଚାରିତ ହେଲା। ଏବେ ସବୁ ଆଡୁ ଶିଖ ମାନଙ୍କ ଦଳ ଆସି ବନ୍ଦାଙ୍କ ସେନାରେ ମିଶିବା ଆରମ୍ଭ କଲେ।
ସରହିନ୍ଦ ଅଞ୍ଚଳ ଖୁବ ନିକଟରେ ଥିଲା। ସେଠାରେ ଥିବା ନବାବ ଗୁରୁଗୋବିନ୍ଦ ସିଂହଙ୍କ ଦୁଇପୁତ୍ରଙ୍କୁ ଜୀଅନ୍ତା ଛିଡ଼ା କରି ଇଟାର କାନ୍ଥ ଉଠାଇ ତାଙ୍କୁ ନିର୍ମମ ହତ୍ୟା କରିଥିଲା। ବନ୍ଦା ସର୍ବ ପ୍ରଥମେ ସେହି ସରହିନ୍ଦର ମୋଗଲ ସୁବେଦାର ବଜୀର ଖାଁକୁ ଉପଯୁକ୍ତ ଶାସ୍ତି ଦେବା ପାଇଁ ନିର୍ଣ୍ଣୟ ନେଲେ। ଭିବାନୀରୁ ସେ ଆଗକୁ ଚାଲିଲେ ଓ ବାଟରେ ଥିବା ମୋଗଲ ଛାଉଣୀ ସବୁ ଧ୍ୱସ୍ତ କରି ମୁଖଲିସଗଡ଼ରେ ପହଞ୍ଚିଲେ। ସେଠାରେ ମ୍ଲେଛ ମାନଙ୍କର ବିଶାଳ ସେନା ଥିଲା। ବୀରଦର୍ପରେ ଲଢ଼ି ବନ୍ଦା ସେ ଦୁର୍ଗକୁ ଜିତିଲେ। ଏହି ଦୁର୍ଗ ସବୁ ଦୃଷ୍ଟିରୁ ସୁରକ୍ଷିତ ଥିବାରୁ ବନ୍ଦା ଏହାକୁ ମୁଖ୍ୟାଳୟ କଲେ। ତାର ନାଁ ରଖିଲେ ଲୋହଗଡ଼।
ଏଣେ ସରହିନ୍ଦର ସୁବେଦାର ବନ୍ଦା ସହ ଯୁଦ୍ଧ କରିବା ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡ଼ିଥାଏ। ଚାଳିଶ ହଜାର ପଦାତିକ, ପାଞ୍ଚ ହଜାର ଘୋଡ଼ା ସବାର ତା ପାଖରେ ଥାନ୍ତି। କିନ୍ତୁ ବନ୍ଦା ମାତ୍ର ଚାରି ହଜାର ଘୋଡ଼ା ସବାର ଓ ଆଠ ହଜାର ଯବାନଙ୍କୁ ନେଇ ଯୁଦ୍ଧ ଭୁଇଁକୁ ଡେଇଁ ପଡ଼ିଲେ। ଘମାଘୋଟ ଲଢେ଼ଇ ହେଲା। ସୂର୍ଯ୍ୟ ବୁଡ଼ିବା ପୂର୍ବରୁ ମୋଗଲ ସେନାକୁ ଧୂଳି ଚଟାଇ ଖାଲସା ସେନା ବିଜୟ ବୈଜୟନ୍ତି ଉଡ଼ାଇଲେ। ବଜୀର ଖାଁ ଧରା ପଡ଼ିଲା। ତାକୁ ହତ୍ୟାକରି ଗୁରୁପୁତ୍ରଙ୍କ ହତ୍ୟାର ପ୍ରତିଶୋଧ ନିଆଗଲା। ସରହିନ୍ଦ ଏବେ ବନ୍ଦାଙ୍କ ଅଧିକାରକୁ ଆସିଗଲା। ସର୍ଦାର ବାଜ ସିଂହ ସେଠି ମୁଖ୍ୟ ହେଲେ। ଖାଲସା ଶାସନ ପ୍ରତିଷ୍ଠା ହେଲା।
ଏହିପରି ମୋଗଲମାନଙ୍କର ନିରନ୍ତର ପରାଜୟ ଓ ବଜୀର ଖାଙ୍କ ହତ୍ୟାକୁ ଦେଖି ଦିଲ୍ଲୀ ଶାସକ ଫରୁଖସିୟରର ମୁଣ୍ଡ ଘୁରୀଗଲା। ସେ ଏକ ଭୟାନକ କୁଟିଳ ଷଡ଼ଯନ୍ତ୍ର ରଚିଲା। ସେତେବେଳେ ଗୁରୁଗୋବିନ୍ଦ ସିଂହଙ୍କ ଏକ ପତ୍ନୀ ମାତା ସୁନ୍ଦରୀ ଦେବୀ ମୋଗଲଙ୍କ ନଜର ବନ୍ଦୀରେ ଥିଲା। ତାକୁ ମୋଗଲମାନେ ହାତ କରି ବନ୍ଦା ବିରୁଦ୍ଧରେ ଲଗାଇବାରେ ସଫଳ ହେଲେ। ଭାରତର ଇତିହାସରେ ଏ ଦୁର୍ବଳ ଶିକୁଳିକୁ ମନେ ରଖିବା ଦରକାର । ଏଇମାନଙ୍କ ପାଇଁ ଇତିହାସ ବଦଳିଯାଏ। ଦେଶ ରସାତଳକୁ ଚାଲିଯାଏ। ଏଠି ମଧ୍ୟ ସେଇ ଇତିହାସର ପୁନରାବୃତ୍ତି ହେଇଛି। ମାତା ସୁନ୍ଦରୀ ଦେବୀ ବୀର ବନ୍ଦାଙ୍କୁ ଆତ୍ମସମର୍ପଣ କରିବା ପାଇଁ ଆଦେଶ ଦେଲେ। କିନ୍ତୁ ବନ୍ଦା ତ ଗୁରୁଙ୍କ ଭକ୍ତ ଥିଲେ ସେ ଗୁରୁଙ୍କ ବ୍ୟତୀତ ଅନ୍ୟ କାହା ଆଦେଶ ପାଳନ କରିପାରିବେ ନାହିଁ ବୋଲି ସ୍ପଷ୍ଟ କହିଦେଲେ। ମାତା ରାଗିଯାଇ ଶିଖମାନଙ୍କୁ ନିର୍ଦେଶ ଦେଲେ ବନ୍ଦା ଠାରୁ ଅଲଗା ହୋଇଯିବା ପାଇଁ। ବନ୍ଦାଙ୍କ ସେନା ଦୁଇଭାଗ ହୋଇଗଲା। ସେନାର ବଡ଼ ଭାଗ ମୋଗଲ ସେନାସହିତ ମିଶିଗଲା । ସେହି ପୁରୁଣା ସାଥି ମାନଙ୍କ ସହିତ ତୁରନ୍ତ ଯୁଦ୍ଧ କରିବା ଏତେ ସହଜ ନଥିଲା। ତେଣୁ ବନ୍ଦା ଯୁଦ୍ଧ କ୍ଷେତ୍ର ଛାଡ଼ି ଲୋହଗଡ଼ ଫେରି ଆସିବାକୁ ବାଧ୍ୟ ହେଲେ। କାରଣ ସେ ଚାହିଁଲେ କିଛି ସମୟ ନେଇ ଭବିଷ୍ୟତ ରଣନୀତି ତିଆରି କରିବା ପାଇଁ।
ମୋଗଲମାନେ ଏହି ପରିସ୍ଥିତିର ଲାଭ ଉଠାଇ ଲୋହଗଡ଼କୁ ଘେରବନ୍ଦୀ କରିଦେଲେ। ବାହାରୁ ଯାଉ ଥିବା ଖାଦ୍ୟ ପାନୀୟ ସବୁ ଯୋଜନାବଦ୍ଧ ଭାବେ ବନ୍ଦ କରିଦେଲେ। କିଛି ଦିନ ପରେ ଗଡ଼ରୁ ଖାଦ୍ୟ ସରି ଆସିଲା ଏବଂ ଭୋକ ଶୋଷରେ ଲୋକ ମୃତ୍ୟୁମୁଖରେ ପଡ଼ିଲେ। ତେଣୁ ବନ୍ଦାର ସେନା ମୋଗଲ ସେନା ପାଖରେ ଆତ୍ମ ସମର୍ପଣ କରିବାକୁ ବାଧ୍ୟ ହେଲେ। ମୋଗଲମାନେ କିଲାରେ ଥିବା ସହସ୍ର ନିର୍ଦୋଷ ମହିଳା ଛୋଟ ଛୁଆ ଓ ସାଧାରଣ ଲୋକଙ୍କୁ ନିର୍ମମ ହତ୍ୟା କଲେ।
ମୋଗଲ ବାଦସାହ ଆଦେଶରେ ପଞ୍ଜାବର ଶାସକ ଅବଦୁଲ ସମଦ ଖାଁ ତାର ପୁଅ ଜକରିଆ ଖାଁ ଓ ୨୧ ହଜାର ସେନାଙ୍କ କଡ଼ା ନଜରରେ ବନ୍ଦାଙ୍କୁ ବନ୍ଦୀ କରି ଦିଲ୍ଲୀ ନିଆ ଗଲା। ଦିଲ୍ଲୀରେ ଲୁହା ଶିକୁଳିରେ ବନ୍ଦାକୁ ନେଇ ଜୁଲୁୁସ ବାହାର କରାଗଲା। ଏହି ଜୁଲୁୁସ ଏତେ ଭୟାନକ ଥିଲା ଯେ ଯିଏ ଦେଖୁଥିଲା ସେ ଆତଙ୍କିତ ହୋଇଯାଉଥିଲା। ଜୁଲୁସର ସବୁଠୁ ଆଗରେ ଥିଲା ୧୦୧ ବଳଦ ଗାଡ଼ି। ବଳଦ ଗାଡ଼ିରେ ରଖା ଯାଇଥିଲା ୭୦୦୦ ଶିଖଙ୍କ କଟା ମୁଣ୍ଡ। ତା'ପରେ ଥିଲେ ବନ୍ଦା ବାହାଦୂର । ତାଙ୍କୁ ହାତୀ ଉପରେ ଲୁହା ଶିକୁଳିରେ ବନ୍ଧା ଯାଇଥିଲା।
ସବୁ ଶୁକ୍ରବାର ଦିନ ୧୦୧ ଶିଖ ବନ୍ଦୀଙ୍କୁ ଦିଲ୍ଲୀର ରାଜ ରାସ୍ତାକୁ ଅଣାଯାଉଥିଲା ଓ ତାଙ୍କୁ ମୁସଲମାନ ହେବାକୁ କୁହାଯାଉଥିଲା। ମନା କରିବା ମାତ୍ରେ ହତ୍ୟା କରାଯାଉଥିଲା। କାରଣ ଏହା ଦେଖିବା ପରେ ବାକି ସବୁ ହିନ୍ଦୁ ଆପେ ଆପେ ମୁସଲମାନ ହୋଇଯିବେ।
ରାକ୍ଷସଙ୍କର କୌଣସି ଚାଲ ଯେତେବେଳେ ସଫଳ ନ ହେଲା ସେତେବେଳେ ସେମାନେ ବନ୍ଦାର ଚାରି ବର୍ଷର ପୁଅକୁ ଆଣି ତା କୋଳରେ ବସେଇ କହିଲେ ୟାକୁ ହତ୍ୟା କର। ଜଣେ ବାପ କିପରି ତା ପୁଅର ହତ୍ୟା କରି ଥାନ୍ତା ? ବନ୍ଦା ମନା କଲେ। ଏହି କଂସେଇମାନେ ପୁଅଟିର ହାତ ହାଣିଲେ ଗୋଡ଼ ହାଣିଲେ ତେବେ ବି ବନ୍ଦା ମୁସଲମାନ ହେବାକୁ ମନା କରିବାରୁ ପୁଅର ଛାତି ଚିରି କଲିଜା ବାହାର କରି ବନ୍ଦା ମୁହଁରେ ଜବରଦସ୍ତି ପୁରାଇଲେ। କୌଣସିଥିରେ ବନ୍ଦାର ମନ ପରିବର୍ତ୍ତନ ନ ହେବାରୁ ଶେଷ ଅସ୍ତ୍ର ପ୍ରୟୋଗ ହେଲା । ଲୁହା ଛଡ଼ିକୁ ଗରମ କରି ବନ୍ଦା ଆଖିରେ କେଞ୍ଚା ଗଲା। ହାତ କାଟି ଦିଆଗଲା। ଦେହ ସାରା ଗରମ ଲୁହା ଚେଙ୍କା ଫୁଟା ଗଲା। ତେବେ ବି ବନ୍ଦା ମୁସଲମାନ ହେବାକୁ ମନା କରିବାରୁ ୨୪ ଜୁନ ୧୭୧୬ରେ ତାଙ୍କ ମୁଣ୍ଡ କଟାଗଲା।
୨୬.୯.୧୭

No comments:
Post a Comment