ଗୁଜୁରାଟ ପ୍ରଦେଶର ଏକ ବିଚାରାଳୟରେ ଗୋଟିଏ ମକଦ୍ଦମାର ବିଚାର ଚାଲୁଥିଲା । ମକଦ୍ଦମାଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ମିଥ୍ୟାରେ ତାଙ୍କ ମହାକିଲଙ୍କ ଉପରେ ହତ୍ୟାର ଆରୋପ କରାଯାଇଥିଲା । ସେଥିରୁ ତାଙ୍କୁ ମୁକ୍ତ କରିବା ପାଇଁ ଓକିଲ ଜଣକ ରାତି ଦିନ ଏକ କରିଦେଇ ଥିଲେ। ଏତିକିବେଳେ ତାଙ୍କ ପତ୍ନୀ ଭୟଙ୍କର ରୋଗରେ ପଡ଼ିଲେ। ଅବସ୍ଥା ଦିନକୁ ଦିନ ସଙ୍କଟାପନ୍ନ ହୋଇଗଲା । ପୁଣି ମକଦ୍ଦମାର ଶୁଣାଣି ତାରିଖ ପହଞ୍ଚି ଗଲା । ଓକିଲ ଜଣକ ଧର୍ମ ସଙ୍କଟରେ ପଡ଼ିଲେ । ଉଭୟ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା । ଏପଟେ ପତ୍ନୀ ମୃତ୍ୟୁଶଯ୍ୟାରେ ଥିବା ବେଳେ ସେପଟେ ଆରୋପୀ ପାଇଁ ଛିଡ଼ା ନ ହେଲେ ସେ ଫାସୀ ପାଇବାର ସମ୍ଭାବନା ଯଥେଷ୍ଟ ଥିଲା । କିନ୍ତୁ ତାଙ୍କ ପତ୍ନୀ ବହୁତ ଶାନ୍ତ ଓ ବୁଦ୍ଧିମତୀ ଥିଲେ । ସେ ସ୍ୱାମୀଙ୍କ ମନୋଦଶା ବୁଝିପାରି କହିଲେ, "ତୁମେ ଅଦାଲତକୁ ଯାଇ ସେ ମକଦ୍ଦମା ଲଢ଼ । ମୋ କଥା ଚିନ୍ତା କରିବା ଦରକାର ନାହିଁ । ଈଶ୍ୱର ସବୁ ଭଲ କରିବେ ।"
ଦୁଃଖୀ ମନରେ ସେ ସହରକୁ ଗଲେ । ଶୁଣାଣୀ ହେବାର ନିର୍ଦ୍ଧାରିତ ସମୟ ପୂର୍ବରୁ ଅଦାଲତରେ ପହଞ୍ଚି ଗଲେ। ନିଜ ପକ୍ଷର ବ୍ୟକ୍ତି ପାଇଁ ଅତ୍ୟନ୍ତ ବିଜ୍ଞତାର ସହ ସେ ଯୁକ୍ତି କରୁଥିଲେ । ଏହି ସମୟରେ ଜଣେ କର୍ମଚାରୀ ଆସି ଓକିଲଙ୍କୁ ଗୋଟିଏ ଟେଲିଗ୍ରାମ ଦେଲେ । ଓକିଲ ଟେଲିଗ୍ରାମଟିକୁ ତରବରିଆ ଭାବେ ପଢ଼ି ପକେଟରେ ରଖିଦେଲେ ।
ଯୁକ୍ତିତର୍କ ପୁଣି ଆରମ୍ଭ ହେଲା । ସରକାରୀ ଓକିଲ ବିଭିନ୍ନ ଦଲିଲ ଦେଖାଇ ଆରୋପୀ ଏକ ହତ୍ୟାକାରୀ ବୋଲି ପ୍ରମାଣିତ କରିବାକୁ ସବୁମତେ ଚେଷ୍ଟା କରୁଥିଲେ ।
କିନ୍ତୁ କିଛି ଘଣ୍ଟା ତର୍କ ଚାଲିବା ପରେ ସେ ସିଦ୍ଧ କରିଦେଲେ ଯେ ଆରୋପୀ ସମ୍ପୁର୍ଣ୍ଣ ନିର୍ଦୋଷ ।
ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ବିଚାରପତି ରାୟ ଶୁଣାଇଲେ ଆରୋପୀ ନିର୍ଦୋଷ । ତେଣୁ ତାଙ୍କୁ ମୁକ୍ତ କରିଦିଆଯାଉ ।
ଓକିଲଙ୍କ ଜ୍ଞାନ ଓ ପରିଶ୍ରମ ପାଇଁ ତାଙ୍କ ପକ୍ଷର ମହକିଲ ହତ୍ୟା ଦୋଷରୁ ମୁକ୍ତ ହୋଇ ଅତ୍ୟନ୍ତ ଖୁସୀ ହୋଇଥିଲେ । ଅଦାଲତ ବନ୍ଦ ହେବା ପରେ ସେ ପଚାରିଲେ, "ଟେଲିଗ୍ରାମ କିଏ ପଠାଇଥିଲେ ଓ ସେଥିରେ କଣ ଥିଲା ?" ଓକିଲ ଉତ୍ତର ଦେଲେ, "ଟେଲିଗ୍ରାମରେ ମୋର ପତ୍ନୀଙ୍କର ମୃତ୍ୟୁ ସମ୍ବାଦ ଥିଲା ।"
ଏହା ଶୁଣି ମହକିଲ ଆଶ୍ଚର୍ଯ୍ୟ ହୋଇଗଲେ । ସେ କହିଲେ, "ଏତେ ଦୁଃଖଦାୟକ ସମ୍ବାଦ ଶୁଣି ମଧ୍ୟ ଆପଣ ତର୍କ ବନ୍ଦ କଲେ ନାହିଁ କାହିଁକି ?
ଓକିଲ କହିଲେ, "ଭାଇ, ଯୁକ୍ତି କରିବା ପାଇଁ ମୁଁ ତୁମଠାରୁ ପାଉଣା ନେଇଥିଲି । ତେଣୁ ଯୁକ୍ତି ତର୍କର ସମୟରେ ମୋର ଶୋକ କରିବା ପାଇଁ ସମୟ କେଉଁଠି ଥିଲା ?" ଏବେ ଯୁକ୍ତି ତର୍କ ଶେଷ ହୋଇଯାଇଛି । ତେଣୁ ପତ୍ନୀଙ୍କ ଶୋକରେ ଅଶ୍ରୁପାତ କରିବା ପାଇଁ ବର୍ତ୍ତମାନ ମୋର ସ୍ୱାଧୀନତା ଅଛି ।"
ସେତେବେଳେ ତାଙ୍କ ବୟସ ହୋଇଥିଲା ମାତ୍ର ୩୩ ।
ଏହି କାର୍ମପରାୟଣ ଓକିଲ ଜଣକ ଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଯିଏକିି ପରବର୍ତ୍ତୀ ସମୟରେ ଲୌହପୁରୁଷ ସର୍ଦ୍ଦାର ପଟେଲ ଭାବରେ ପରିଚିତ ହେଲେ ।
୮.୮.୧୭

No comments:
Post a Comment