ସେମାନେ ଘଞ୍ଚ ଜଙ୍ଗଲ ପାର ହୋଇ ଗୋଦାବରୀ ତଟରେ ରମଣୀୟ ପଞ୍ଚବଟୀ ନାମକ ସ୍ଥାନରେ ପର୍ଣ୍ଣକୁଡ଼ିଆ ତିଆରି କରି ରହିଲେ। ରାମ ଓ ଲକ୍ଷ୍ମଣ ଦୁଇ ଜଣ ମୃଗ ଶିକାର କରିବାକୁ ଯାଉଥିଲେ ଏବେ ସେଠାରୁ କିଛି ଫଳ, ମୂଳ, କନ୍ଦ ଇତ୍ୟାଦି ସଂଗ୍ରହ କରି ଆଣୁଥିଲେ। ଏହିପରି କିଛି ଦିନ କଟାଇବା ପରେ ଦିନେ ସେଠାକୁ ଲଙ୍କାଧୀପତି ରାକ୍ଷସ ରାଜା ରାବଣଙ୍କ ଭଉଣୀ ଶୁର୍ପଣଖା ଆସିଲା। ସେହି ସମୟରେ ଅରଣ୍ୟରେ ସ୍ଵଛନ୍ଦରେ ବୁଲାବୁଲି କରୁଥିବା ବେଳେ ସେ ଦିନେ ରାଜୀବ ଲୋଚନ ରାମଙ୍କୁ ଦେଖିଲା। ତାଙ୍କର ରୂପ ଲାବଣ୍ୟ ଉପରେ ମୁଗ୍ଧ ହୋଇ ସେ ତାଙ୍କୁ ପ୍ରଣୟର ଭିକ୍ଷା କଲା। କିନ୍ତୁ ପ୍ରଭୁ ଶ୍ରୀରାମ ଏକ ପତ୍ନୀ ବ୍ରତଧାରୀ ଥିଲେ, ପୁରୁଷୋତ୍ତମ ଥିଲେ। ଏଥିପାଇଁ ରାକ୍ଷସୀର ଅଭିଳାଷକୁ ପୂର୍ଣ୍ଣ କରିବାରେ ସେ ଅସମର୍ଥ ହେଲେ। ଶୁର୍ପଣଖା ପ୍ରାପ୍ୟ ଭିକ୍ଷାରୁ ବଞ୍ଚିତ ହେବାରୁ ତା' ମନରେ ପ୍ରତିଶୋଧର ବହ୍ନି ଜଳି ଉଠିଲା। ପ୍ରଚଣ୍ଡ କ୍ରୋଧରେ ସେ ତା'ର ଭାଇ ରାବଣଙ୍କ ପାଖରେ ପହଞ୍ଚିଲା ଏବଂ ସେ ସୀତାଙ୍କ ଅପରୂପ ସୌନ୍ଦର୍ଯ୍ୟର ଗାଥା ଶୁଣାଇଲା।
ପ୍ରଚଣ୍ଡ ଶକ୍ତିଶାଳୀ ଶିଵଧନୁକୁ ଭାଙ୍ଗି ପ୍ରଭୁ ଶ୍ରୀରାମ ସର୍ବାଧିକ ଶକ୍ତିସମ୍ପନ୍ନ ପୁରୁଷ ରୂପେ ଖ୍ୟାତି ଅର୍ଜନ କରିଥିଲେ। ସେ ସମଗ୍ର ମର୍ତ୍ତ୍ୟରେ ସବୁଠାରୁ ବଳବାନ ବ୍ୟକ୍ତି ଥିଲେ। ରାକ୍ଷସ ଓ ଅନ୍ୟ ସବୁ ଜାତିର ଲୋକ କେହି ତାଙ୍କ ସମକକ୍ଷ ନ ଥିଲେ।
ଏଥିପାଇଁ ରାବଣ ମାତା ସୀତାଙ୍କର ହରଣ ପାଇଁ ନିଜ ମାୟାଜାଲର ଆଶ୍ରୟ ନେଲା। ସେ ଆଉ ଜଣେ ଅନ୍ୟ ରାକ୍ଷସର ସହାୟତା ନେଲା। ସେ ରାକ୍ଷସ ବଡ଼ ମାୟାବୀ ଥିଲା। ସେହି ମାୟାବୀ ରାକ୍ଷସ ଏକ ସୁନ୍ଦର ସୁବର୍ଣ୍ଣ ମୃଗର ରୂପ ଧାରଣ କରି ରାମଙ୍କ ପର୍ଣ୍ଣକୁଡ଼ିଆ ସମ୍ମୁଖରେ ସୁମନୋହର ନୃତ୍ୟ ଓ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରି କ୍ରୀଡ଼ା କରିବାରେ ଲାଗିଲା। ସୀତା ତାହାର ରୂପ ଲାବଣ୍ୟ ଉପରେ ମୁଗ୍ଧ ହୋଇଗଲେ ଏବଂ ସେ ରାମଙ୍କୁ ସେହି ମୃଗଟିକୁ ଧରି ଆଣିବା ପାଇଁ ପ୍ରାର୍ଥନା କଲେ। ପ୍ରଭୁ ରାମଚନ୍ଦ୍ର ସୀତା ଦେବୀଙ୍କ ରକ୍ଷା ପାଇଁ ଲକ୍ଷ୍ମଣଙ୍କୁ ସେଠାରେ ଛାଡ଼ି ଦେଇ ସ୍ୱର୍ଣ୍ଣ ମୃଗକୁ ଧରିବା ପାଇଁ ତା ପଛରେ ଧାଇଁ ଧାଇଁ ବନ ମଧ୍ୟକୁ ଚାଲିଗଲେ।
ସେତେବେଳେ ଲକ୍ଷ୍ମଣ ପର୍ଣ୍ଣକୁଟୀର ଚତୁର୍ଦିଗରେ ଏକ ମନ୍ତ୍ରପୂତ ଅଗ୍ନିବୃତ୍ତ ପ୍ରଜ୍ଜ୍ଵଳିତ କରି ମାତା ସୀତାଙ୍କୁ କହିଲେ, "ଦେବୀ ! ମୋତେ ଆଜି ଆପଣଙ୍କର କିଛି ଅନିଷ୍ଟ ହେବାର ଆଶଙ୍କା ଦେଖା ଦେଉଛି। ଏଥିପାଇଁ ଆପଣ ଏଇ ମନ୍ତ୍ରପୂତ ଅଗ୍ନି-ବୃତ୍ତର ବାହାରକୁ ଯିବେ ନାହିଁ। ଯଦି ବାହାରକୁ ଯିବେ ତେବେ ଅଶୁଭ ଘଟଣା ଘଟିବ ।" ଏପଟେ ରାମ ଚନ୍ଦ୍ର ନିଜର ଏକ ତୀକ୍ଷ୍ଣ ଶର ଦ୍ୱାରା ସେହି ମାୟା ମୃଗକୁ ବିଦ୍ଧ କଲେ ଓ ସେ ତତ୍କାଳ ନିଜର ସ୍ୱାଭାବିକ ରୂପ ଧାରଣ କରି ପଞ୍ଚ ତତ୍ତ୍ୱରେ ବିଲୀନ ହୋଇଗଲା।
କ୍ରମଶଃ....
୨୧. ୧. ୧୮

No comments:
Post a Comment