Thursday, 11 January 2018

*ଵିନୟ ରାଜାରାମ*

ଇତିହାସ ଉପରେ ଟିକିଏ ନଜର ପକାଇଲେ ଆମେ ପାଇବା ସାହିତ୍ୟ ପରିଷଦର ଗଠନ ସମୟରେ ଓଡ଼ିଶାର ବରପୁତ୍ର ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ ରାଷ୍ଟ୍ରୀୟ କାର୍ଯ୍ୟକରିଣୀରେ ସ୍ଥାନ ପାଇଛନ୍ତି।

ବହୁ ବର୍ଷ ପରେ ଆଉ ଜଣେ ଓଡ଼ିଆଭାଷୀ ସାହିତ୍ୟିକଙ୍କୁ ଆମେ ରାଷ୍ଟ୍ରୀୟ କାର୍ଯ୍ୟକରିଣୀରେ ସମ୍ପାଦକ ଭାବେ  ଅନେକ ଦିନ ହେଲା ଦେଖୁଛୁ ଓ ତାଙ୍କ ସହ ଓଡ଼ିଶାର ଛୋଟ ବଡ଼ ସବୁ କାର୍ଯ୍ୟକର୍ତ୍ତା ପରିଚିତ ଅଛନ୍ତି। ତଥାପି ଅନ୍ୟ ସମସ୍ତଙ୍କ ଅବଗତି ନିମନ୍ତେ ଏଠାରେ ତାଙ୍କର ସାମାନ୍ୟ ପରିଚୟ ରଖୁଛି।

ଭାରତର ଅନେକ ପ୍ରତିଷ୍ଠିତ ସାହିତ୍ୟିକ ଏବଂ ସାଂସ୍କୃତିକ ସଂସ୍ଥା ଦ୍ୱାରା ପୁରସ୍କୃତ ଓ ସମ୍ମାନୀତ, ଜଣେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ, ଖ୍ରୀଷ୍ଟ ଓ ବୌଦ୍ଧ ସାହିତ୍ୟର ବିଶେଷ ଅଧ୍ୟୟନ କରିଥିବା ଭୋପାଲ ନିବାସୀ ପ୍ରଫେସର ଡ. ଵିନୟ ଷଡ଼ଙ୍ଗୀ ରାଜାରାମ ଏବେ ସାହିତ୍ୟ ପରିଷଦର ଉପାଧ୍ୟକ୍ଷ ପଦ ଅଳଙ୍କୃତ କରିଛନ୍ତି।

ତାଙ୍କ ମାତୃଭାଷା ଓଡ଼ିଆ ହେଲେ ମଧ୍ୟ ସେ ହିନ୍ଦୀ, ସଂସ୍କୃତ, ଗ୍ରୀକ, ଇଂରାଜୀ, ବଙ୍ଗଳା, ଡିଙ୍ଗଲ ଓ ମାଲବୀ ଭାଷାରେ ଗଭୀର ଜ୍ଞାନ ହାସଲ କରିଛନ୍ତି।

ସେ ଭାରତ ଓ ଗ୍ରୀକ ଭାଷାର ପ୍ରଥମ ଅନୁବାଦିକା ଅଟନ୍ତି।

ତାଙ୍କ ପୈତୃକ ଘର ଭୁବନେଶ୍ୱର। ତାଙ୍କର ଗୁରୁ ହେଉଛନ୍ତି ତାଙ୍କ ପିତା ସ୍ବର୍ଗତ ଉମାବଲ୍ଲଭ ଷଡ଼ଙ୍ଗୀ। ସେ ତାଙ୍କୁ ହିନ୍ଦୀ ପଢ଼ିବା ପାଇଁ ବାଲ୍ୟକାଳରେ ପ୍ରେରିତ କରିଥିଲେ। ତାଙ୍କ ପ୍ରେରଣାରେ ସେ ଭଲ ପଢ଼ି ଓଡ଼ିଶାରେ ପଞ୍ଚମ ଶ୍ରେଣୀ ବୃତ୍ତି ପାଇ  ରାଜସ୍ଥାନର ଅନ୍ତର୍ରାଷ୍ଟ୍ରୀୟ ଖ୍ୟାତି ସମ୍ପନ୍ନ ନାରୀ ଶିକ୍ଷା ପାଇଁ ସମର୍ପିତ ସଂସ୍ଥା ବନସ୍ଥଳୀ ବିଦ୍ୟାପୀଠରେ ଷଷ୍ଠ ଶ୍ରେଣୀରୁ ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀ ବିଷୟ ନେଇ ପଢ଼ିଲେ। ତାଙ୍କ ଜୀବନ ଶୈଳୀ ଓ ଭାଷା ବିକାଶରେ ବନସ୍ଥଳୀ ବିଦ୍ୟାପୀଠ ପରିବେଶର ବହୁତ ବଡ଼ ଯୋଗଦାନ ରହିଛି।

ସେଠାରୁ ସର୍ବୋଚ୍ଚ ସ୍ଥାନ ପ୍ରାପ୍ତ କରି ଗ୍ରୀକ ଷ୍ଟେଟ ସ୍କଲାରସିପ ଫାଉଣ୍ଡେସନ (ଇକି) ଦ୍ୱାରା ପ୍ରଦତ୍ତ ଏସିଆଇ ଚାରି ବର୍ଷୀୟ ଗବେଷଣା ଅନ୍ତର୍ଗତ ଏରିଷ୍ଟଟଲ ବିଶ୍ୱବିଦ୍ୟାଳୟରେ ସଂସ୍କୃତ କବି ଅଶ୍ଵଘୋଷ କୃତ ବୁଦ୍ଧ ଚରିତମ ଓ ଅର୍ଥଡକ୍ସ ଇଶାଇ ଗ୍ରୀକ ଧର୍ମ-ଗ୍ରନ୍ଥ "ବାରଲାମ ଔର ୟୋଆସଫ"ର ତୁଳନାତ୍ମକ ସାହିତ୍ୟ କେନ୍ଦ୍ରୀତ ଗବେଷଣା କାର୍ଯ୍ୟ ସମ୍ପନ୍ନ କରିଥିଲେ।

ସେ ଜଣେ ସମର୍ଥ କବି, ପ୍ରାବନ୍ଧିକ ଓ ସୁବକ୍ତା। ତାଙ୍କ ପ୍ରବନ୍ଧ ସଂକଳନ 'ତଥୈବ ଚ' ମଧ୍ୟପ୍ରଦେଶ ସାହିତ୍ୟ ଏକାଡେମୀ ଦ୍ୱାରା ରାଷ୍ଟ୍ରୀୟ ମାଖନଲାଲ ଚତୁର୍ବେଦୀ ପୁରସ୍କାର ପାଇଛି।

ନୃତ୍ୟ ନାଟିକା ଲିଖନ ଓ ନିର୍ଦେଶନାରେ ମଧ୍ୟ ସେ ସଫଳତା ଲାଭ କରିଛନ୍ତି। ତାଙ୍କ ଅଧୀନରେ ୧୮ ଜଣ ଛାତ୍ର ଗବେଷଣା କରିଛନ୍ତି। ଭାରତୀୟ ଧର୍ମ, ଦର୍ଶନ ଓ ଇତିହାସ ପ୍ରତି ତାଙ୍କର ଗଭୀର ଆସ୍ଥା ରହିଛି ଓ ଏହାକୁ ସେ ବିଭିନ୍ନ ପ୍ରାମାଣିକ ତଥ୍ୟ ଦେଇ ପ୍ରତିପାଦନ କରିବାରେ ସିଦ୍ଧହସ୍ତ।

ସାହିତ୍ୟର ସବୁ ବିଭାଗରେ ସେ କଲମ ଚାଳନା କରିଥିଲେ ମଧ୍ୟ ତାଙ୍କର ଅଧିକ ରୁଚି କବିତାରେ ରହିଛି। ତାଙ୍କ କବିତାରେ ଥାଏ ସାଂସ୍କୃତିକ ରାଷ୍ଟ୍ରବାଦର ଝଲକ।

ପରିଷଦର ତ୍ରୈମାସିକ ପତ୍ରିକା "ସାହିତ୍ୟ ପରିକ୍ରମା" ର ଓଡ଼ିଆ ବିଶେଷାଙ୍କ ତାଙ୍କ ସମ୍ପାଦନାରେ ସମ୍ଭବ ହୋଇଛି। ସରଳ ଜୀବନ ଓ ଉଚ୍ଚ ବିଚାରରକୁ ନେଇ ବଞ୍ଚୁଥିବା ଶ୍ରୀମତୀ ଵିନୟ ଷଡ଼ଙ୍ଗୀ ରାଜାରାମ ଏବେ ପରିଷଦର କାର୍ଯ୍ୟବୃଦ୍ଧି ନିମିତ୍ତ ଭାରତ ଓ ଭାରତ ବାହାରେ ମଧ୍ୟ ପ୍ରବାସରତା।

No comments: