Thursday, 25 January 2018

*ଗୁଣ୍ଡୁଚିର ସମର୍ପଣ*

ହନୁମାନଙ୍କ ଠାରୁ ସୀତା ଦେବୀଙ୍କ ସମ୍ବାଦ ପାଇ ପ୍ରଭୁ ରାମଚନ୍ଦ୍ର ଏକ ସୈନ୍ୟବାହିନୀ ଗଠନ କଲେ। ସେହି ସୈନ୍ୟବାହିନୀକୁ ନେଇ ସେ ସୁଦୂର ଦକ୍ଷିଣ ପ୍ରଦେଶ ଆଡ଼କୁ ଯାତ୍ରା ଆରମ୍ଭ କରିଦେଲେ। ସେଠାରେ ରାମଙ୍କ ଆଜ୍ଞାକାରୀ ପ୍ରଭୁ ଭକ୍ତ ବାନରମାନେ ଏକ ବିଶାଳ ସେତୁ ନିର୍ମାଣ କରିଦେଲେ। ଏହାର ନାମ ସେତୁ-ବନ୍ଧ। ଏହାଦ୍ୱାରା ଭାରତ ଓ ଲଙ୍କାର ସୀମା ସଂଲଗ୍ନ ହୋଇଗଲା। ଉଛୁଳା ପାଣିରେ ଏବେ ମଧ୍ୟ  ଭାରତରୁ ଲଙ୍କା ଏହି ବାଲୁକା ସ୍ତୁପ ସହାୟତାରେ ଯାଇ ହେବ।

ପ୍ରଭୁ ରାମଚନ୍ଦ୍ର ଈଶ୍ୱରଙ୍କ ଅବତାର ଥିଲେ। ଅନ୍ୟଥା ସେ ଏଭଳି ଦୁଷ୍କର କାମ କିପରି କରିଥାନ୍ତେ ? ହିନ୍ଦୁମାନେ ତାଙ୍କୁ ଈଶ୍ୱରଙ୍କ ଅବତାର ମାନି ପୂଜା କରୁଛନ୍ତି। ଭାରତୀୟଙ୍କ ମତ ଅନୁସାରେ ସେ ଈଶ୍ୱରଙ୍କ ସପ୍ତମ ଅବତାର।

ସେତୁ ନିର୍ମାଣ ସମୟରେ ବାନରମାନେ ପର୍ବତ ଖଣ୍ଡ ଉଠାଇ ଆଣି ସମୁଦ୍ରରେ ଥୋଇଦେଉଥିଲେ। ସେମାନେ ବିଶାଳ ବିଶାଳ ବୃକ୍ଷ ତଥା ଶିଳାରେ ଆଚ୍ଛାଦିତ କରି ଏକ ପ୍ରଚଣ୍ଡ ସେତୁ ସହଜରେ ନିର୍ମାଣ କରିଦେଲେ। କଥିତ ଅଛି ଯେ, ଛୋଟ ଗୁଣ୍ଡୁଚିଟିଏ ମଧ୍ୟ ବାଲିରେ ଗଡ଼ି ଗଡ଼ି ସେଇ ସେତୁକୁ ଦୌଡ଼ି ଯାଉଥିଲା ଓ ସେଠାରେ ତା' ଶରୀରକୁ ଝାଡ଼ି ତା' ଦେହରେ ଲାଗିଥିବା ସବୁ ବାଲିକଣା ଗୁଡ଼ିକୁ ବିଛାଡ଼ି ଦେଉଥିଲା। ଏହିପରି ମାଟି ଓ ବାଲି ତା' ଶକ୍ତି ଅନୁସାରେ ବୋହି ସେ ବିଶାଳ ସେତୁ ନିର୍ମାଣରେ ସହଯୋଗ କରୁଥିଲା। ବାନରଗଣ ତା'ର ଏହି କାର୍ଯ୍ୟ ଦେଖି ହସିବାକୁ ଲାଗିଲେ। କାରଣ ସେମାନେ ତ ବିଶାଳକାୟ ବୃକ୍ଷ, ବିଶାଳ ବିଶାଳ ପର୍ବତଖଣ୍ଡ ସବୁ ଉଠାଇ ଆଣୁଥିଲେ। ଏଇ ଗୁଣ୍ଡୁଚି ବୋହୁଥିବା ବାଲିକଣ ତାଙ୍କ ତୁଳନାରେ କିଛି ନ ଥିଲା। ତେଣୁ ସେମାନେ ସେହି ଗୁଣ୍ଡୁଚିକୁ ଉପହାସ କରିବାକୁ ଲାଗିଲେ। କିନ୍ତୁ ପ୍ରଭୁ ଶ୍ରୀରାମଚନ୍ଦ୍ର ଯେତେବେଳେ ଗୁଣ୍ଡୁଚିର ଏ ସମର୍ପଣ ଓ ବାନରମାନଙ୍କର ତା' ପ୍ରତି ଉପହାସକୁ ଦେଖିଲେ ସେ ତୁରନ୍ତ କହି ଉଠିଲେ, "ଏହି ଛୋଟ ଗୁଣ୍ଡୁଚିର ମଙ୍ଗଳ ହେଉ। ସେ ପ୍ରାଣପଣେ ନିଜର ସମସ୍ତ ଶକ୍ତି ଲଗାଇ ଦେଇ ସେତୁ ତିଆରିରେ ଲାଗିଛି। ଏଥିପାଇଁ ସେ ମଧ୍ୟ ଶ୍ରେଷ୍ଠରୁ ଶ୍ରେଷ୍ଠ ବାନର ମାନଙ୍କ ତୁଳନାରେ କୌଣସି ଗୁଣରେ କମ୍ ନୁହେଁ।"

ଏହା କହି ସେ ସେହି ଗୁଣ୍ଡୁଚିକୁ ଧରି ତା' ପିଠିକୁ ସ୍ନେହପୁର୍ବକ ନିଜର ହାତରେ ଆଉଁସି ଦେଲେ। ଆଜି ମଧ୍ୟ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଞ୍ଚ ଆଙ୍ଗୁଳିର ଚିହ୍ନ ସେଇ ଗୁଣ୍ଡୁଚିର ପିଠିରେ ଦୃଷ୍ଟିଗୋଚର ହୁଏ।

କ୍ରମଶଃ....

୨୫. ୧. ୧୮

No comments: