ଅଧିକାର ଓ କର୍ତ୍ତବ୍ୟ ପରସ୍ପରର ପରିପୂରକ। କାର୍ତ୍ତବ୍ୟର ଅଭାବରେ ଅଧିକାରର କୌଣସି ମହତ୍ତ୍ୱ ରହେ ନାହିଁ। ସେହିପରି ଅଭିବ୍ୟକ୍ତିର ଅଧିକାରର ମହତ୍ତ୍ୱ ସେତେବେଳେ ରହିବ ଯେତେବେଳେ ବ୍ୟକ୍ତି ଓ ସମାଜ ପ୍ରତି ଥିବା କର୍ତ୍ତବ୍ୟର ନିର୍ବହନ ଆମେ କରୁଥିବା। ଏଥିପାଇଁ ଆମକୁ ଅଭିବ୍ୟକ୍ତି ନାମରେ ଆପଣାଉଥିବା ବିବେକଶୂନ୍ୟ ସ୍ବେଚ୍ଛାଚାରିତା ଛାଡ଼ିବାକୁ ପଡ଼ିବ। ବିଚାରକ ହୁଅନ୍ତୁ ବା ସାହିତ୍ୟିକ, ଚଳଚିତ୍ର ନିର୍ମାତା ହୁଅନ୍ତୁ ବା ଚିତ୍ରକର ବା ସ୍ଥପତି , ଆମକୁ ସତର୍କ ରହିବାକୁ ହେବ। ଅଭିବ୍ୟକ୍ତି କରିବା ସମୟରେ ଆମକୁ ଧ୍ୟାନ ଦେବାକୁ ହେବ ଯେ ଆମର ଅଭିବ୍ୟକ୍ତି ଦ୍ୱାରା ଅନ୍ୟ କାହାର ନୈତିକ ବା ଚାରିତ୍ରିକ ପତ୍ତନ ହେଉ ନାହିଁ ତ ? ଆମେ ଆତ୍ମପ୍ରକାଶନ ଲୋଭରେ ଅଶ୍ଲୀଳତା,ହିଂସା, ଧାର୍ମିକ ବା ସାମ୍ପ୍ରଦାୟିକ ଉନ୍ମାଦ, ବିଘଟନ ଭଳି ଅପ୍ରିୟ ସ୍ଥିତିକୁ ଜନ୍ମ ଦେଉ ନାହାନ୍ତି ତ ? ଆମର ପ୍ରତ୍ୟେକ ବିଚାର, କାର୍ଯ୍ୟ, ବ୍ୟବହାର ତଥା ସୃଜନରେ ସାମାଜିକ ଦାୟୀତ୍ୱବୋଧର ଝଲକ ଅବଶ୍ୟ ହେବା ଆବଶ୍ୟକ । ତେବେ ଆମର ଅଭିବ୍ୟକ୍ତିର ସ୍ୱାଧୀନତା ଲୋକ କଲ୍ୟାଣକାରୀ ହୋଇପାରିବ।
ଏବେ ସମୟ ଆସିଛି ଅଭିବ୍ୟକ୍ତିର ସ୍ୱାଧୀନତା ଓ ଅଭିବ୍ୟକ୍ତିର ସ୍ବେଚ୍ଛାଚାରିତା ମଧ୍ୟରେ ସ୍ପଷ୍ଟ ଲକ୍ଷ୍ମଣ ରେଖା ଟାଣିବାର। ଅଭିବ୍ୟକ୍ତିର ସ୍ୱାଧୀନତା କୌଣସି ସ୍ବେଚ୍ଛାଚାରିତା ନୁହେଁ ବରଂ ଆତ୍ମପ୍ରକାଶନ ସହିତ ସାମାଜିକ ଦାୟୀତ୍ୱବୋଧର ନିର୍ବହନ ଅଟେ। ସାଧାରଣତଃ ଗୋଟିଏ ଦେଶର ସୀମା ସରିଯାଏ ଯେଉଁଠି ପଡ଼ୋଶୀ ଦେଶର ସୀମା ଆରମ୍ଭ ହୋଇଥାଏ। ସେହିପରି ଅଭିବ୍ୟକ୍ତିର ସୀମା ସେତେବେଳେ ଯାଏ ରହିବା ଉଚିତ ଯେତେବେଳେ ଯାଏ ତାହା ବ୍ୟକ୍ତି, ସମାଜ ଓ ସଂସ୍କୃତିର ଗୌରବମୟୀ ପରମ୍ପରାକୁ କ୍ଷତି ପହଞ୍ଚାଉ ନଥିବ। ଆମେ ଆତ୍ମପ୍ରକାଶନର ଅଧିକାରର ପ୍ରୟୋଗ ଅବଶ୍ୟ କରିବା ଉଚିତ କିନ୍ତୁ ଆଖି ବନ୍ଦ କରି ନୁହେଁ ବରଂ ଜାଗ୍ରତ ଓ ସମ୍ବେଦନଶୀଳ ହୋଇ । ଆମେ ଦେଖିବା ଦରକାର ଯେ ଅଭିବ୍ୟକ୍ତିର ସ୍ୱାଧୀନତା ନାମରେ ଆମର ଲେଖା, ଚିତ୍ର ଓ ଚଳଚିତ୍ର ଏସବୁ ଜନ ସାଧାରଣଙ୍କ ହିତରେ କି ନାହିଁ ? ଏପରି ଦୃଷ୍ଟି ରହିଲେ ଆମେ ସବୁ ପ୍ରକାର ସ୍ବେଚ୍ଛାଚାରିତା, ବିକୃତି ଓ ବିସଙ୍ଗତିକୁ ପ୍ରତିହତ କରି କେବଳ ବ୍ୟକ୍ତି ନୁହେଁ ବରଂ ରାଷ୍ଟ୍ର ତଥା ସମ୍ପୂର୍ଣ୍ଣ ମାନବଜାତିକୁ ପ୍ରଗତି ତଥା ବିକାଶ ପଥରେ ଅଗ୍ରସର କରିପାରିବା।
୬. ୧. ୧୮

No comments:
Post a Comment