କୌଣସି ରାଜାଙ୍କ ନିଧନ ପରେ ରାଜପୁତ୍ରମାନଙ୍କ ମଧ୍ୟରେ ରାଜା ହେବାପାଇଁ ଝଗଡ଼ା ନ ହେଉ ସେଥିପାଇଁ ସେ ଯୁଗରେ ରାଜାଙ୍କ ଜୀବନ କାଳରେ କୌଣସି ଏକ ପୁତ୍ରକୁ ଯୁବରାଜ ପଦରେ ନିଯୁକ୍ତି କରିଦେବାର ପ୍ରଥା ଥିଲା।
ସେହିପରି ଦଶରଥ ଚିନ୍ତାକଲେ ଯେ ମୁଁ ତ ଏବେ ବୃଦ୍ଧ ହୋଇଗଲିଣି ଓ ରାମଚନ୍ଦ୍ର ବଡ଼ ହେଇଗଲାଣି, ତେଣୁ ଏଇ ରାଜ ସିଂହାସନରେ ତାକୁ ଅଭିଷିକ୍ତ କରିଦେବା ଉଚିତ ହେବ। ଏହି କଥା ସେ ପ୍ରକାଶ କରିବା ପରେ ମଙ୍ଗଳଉତ୍ସବର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଗଲା। ସାରା ଅଯୋଧ୍ୟା ନଗରୀରେ ହର୍ଷର ଲହଡ଼ି ଖେଳିଗଲା।
କିନ୍ତୁ ଏହି ସମୟରେ ରାଜାଙ୍କର ପାଟରାଣୀ କୈକେୟୀଙ୍କୁ ତାଙ୍କ ଦାସୀ ରାଜାଙ୍କଦ୍ୱାରା କୌଣସି ସମୟରେ ତାଙ୍କୁ ଦିଆଯାଇଥିବା ଦୁଇଟି ବର ବିଷୟରେ ମନେପକାଇ ଦେଲା। କୌଣସି ସମୟରେ ରାଜା ଦଶରଥ କୈକେୟୀଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇ ତାଙ୍କୁ ଦୁଇଟି ବର ମାଗିବାକୁ କହିଥିଲେ। ସେ କହିଥିଲେ, "ତୁମେ କୌଣସି ବି ଦୁଇଟି ବର ମୋତେ ମାଗି ପାରିବ, ଯଦି ସେହି ଦୁଇଟି ବର ପୂରଣ କରିବା ମୋ ସାମର୍ଥ୍ୟର ବାହାରେ ନ ହେବ, ତେବେ ମୁଁ ତ ଏହି କ୍ଷଣରେ ତାକୁ ପୂର୍ଣ୍ଣ କରିଦେବି।" କିନ୍ତୁ ରାଣୀ ସେହି ସମୟରେ କୌଣସି ବର ମାଗି ନ ଥିଲେ। ସେ ମଧ୍ୟ ସେହି ଘଟଣାକୁ ପୂର୍ଣ୍ଣତଃ ଭୁଲି ଯାଇଥିଲେ। କିନ୍ତୁ ତାଙ୍କର ଦୁଷ୍ଟ ସ୍ଵଭାଵ ଦାସୀ ତାଙ୍କ ହୃଦୟରେ ଈର୍ଷାଗ୍ନି ପ୍ରଜ୍ବଳିତ କରିଦେଲା। ଦାସୀ ରାଣୀଙ୍କୁ କହିଲା, "ରାମ ଯୁବରାଜ ହୋଇଗଲେ ଭରତକୁ କଣ ମିଳିବ ? କୌଶଲ୍ୟା ଯେତେବେଳେ ରାଜମାତା ହୋଇଯିବେ ସେତେବେଳେ ତୁମକୁ କେହି ପଚାରିବେ ନାହିଁ।"
ଦୁଷ୍ଟ ଦାସୀର ମନ୍ତ୍ରଣାରେ ରାଣୀ ଈର୍ଷାବଶତଃ ଉନ୍ମତ ପ୍ରାୟ ହୋଇଗଲେ। ଦୁଷ୍ଟ ଦାସୀ ତାଙ୍କୁ ନିଜର ବରଦାନ ମାଗିବାର ଅଧିକାରକୁ ସ୍ମରଣ କରେଇଦେଇ କହିଲା, "ରାଜାଙ୍କୁ ଏଇ ଦୁଇଟି ବର ମାଗ ଯେ, ଭରତକୁ ଯୁବରାଜ ପଦରେ ଅଭିଷିକ୍ତ କର ଓ ରାମକୁ ୧୪ ବର୍ଷ ବନବାସ ପଠାଅ।"
ରାମ ତ ରାଜାଙ୍କ କେବଳ ଜୀବନ ଧନ ନୁହେଁ, ବରଂ ତାଙ୍କର ପ୍ରାଣ ଓ ଆତ୍ମା ହିଁ ଥିଲେ। ତେଣୁ ତାଙ୍କ ସମ୍ମୁଖରେ ଦୁଇଟି ପ୍ରଶ୍ନ ଛିଡ଼ା ହୋଇଗଲା, ଗୋଟିଏ ପଟେ ରାମଙ୍କୁ ବନବାସ ପଠାଇବାର ଦାରୁଣ ଦୁଃଖ ଓ ଅନ୍ୟପଟେ ପ୍ରତିଜ୍ଞା ପାଳନ। ପ୍ରଶ୍ନ ଥିଲା ରଘୁକୁଳର ମର୍ଯ୍ୟାଦାକୁ ରକ୍ଷା କରିବାର। "ରଘୁକୁଳ ରୀତି ସଦା ଚଲି ଆଇ। ପ୍ରାଣ ଯାୟେ ପର ବଚନ ନ ଯାଇ।" ରାଜା କିଂକର୍ତ୍ତବ୍ୟବିମୂଢ଼ ହୋଇଗଲେ। ସେତେବେଳେ ରାମ ହିଁ ତାଙ୍କୁ ଏହି ଦାରୁଣ-ସଙ୍କଟରୁ ରକ୍ଷା କଲେ। ସେ ସ୍ୱୟଂ ଏହି ରାଜ ସିଂହାସନ ପଦ ତ୍ୟାଗ କରି ବନ ଗମନ ପାଇଁ ପ୍ରସ୍ତୁତ ହୋଇଗଲେ, ଯାହାଦ୍ୱାରା ପିତାଙ୍କ ବଚନ ଭଙ୍ଗ ହେବାର ପ୍ରଶ୍ନ ନ ଥିଲା। ଏହିପରି ରାମ ଚଉଦ ବର୍ଷ ପାଇଁ ଅଯୋଧ୍ୟା ତ୍ୟାଗକରି ବନବାସ ପାଇଁ ବାହାରି ଆସିଲେ। ସାଙ୍ଗରେ ଥିଲେ ସ୍ତ୍ରୀ ପତିପରାୟଣା ସୀତା ଦେବୀ ଓ ଅନୁଜ ଲକ୍ଷ୍ମଣ (ଯିଏ କେବେ ବି ରାମଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ) ।
ସେମାନେ ଘଞ୍ଚ ଜଙ୍ଗଲର ବନ୍ୟ ପଶୁଙ୍କ ସହ କିମ୍ବା ଜଙ୍ଗଲ ନିବାସୀଙ୍କ ସହ ପରିଚିତ ନ ଥିଲେ। ସେତେବେଳେ ବଣରେ ବାସ କରୁଥିବା ଜାତିକୁ 'ବାନର' କୁହାଯାଉଥିଲା। ଏହି ତଥାକଥିତ ବାନର ମାନଙ୍କ ମଧ୍ୟରେ ତଥା ଅସଭ୍ୟ ବନ୍ୟ ଜାତି ମଧ୍ୟରେ ଯିଏ ଅତ୍ୟନ୍ତ ଦୃଢ଼, ବଳସମ୍ପନ୍ନ ଓ ଶକ୍ତିଶାଳୀ ଥିଲେ ତାଙ୍କୁ ଦୈତ୍ୟ ବା ରାକ୍ଷସ କୁହାଯାଉଥିଲା।
ଏହିପରି ରାମ, ଲକ୍ଷ୍ମଣ ଓ ସୀତା ବାନର ଓ ରାକ୍ଷସ ଦ୍ୱାରା ଅଧ୍ୟୁଷିତ ବନକୁ ଗମନ କଲେ। ଯିବା ପୂର୍ବରୁ ଯେତେବେଳେ ସୀତା ରାମଙ୍କ ସହ ଯିବା ପାଇଁ ଇଚ୍ଛା ପ୍ରକଟ କରିଥିଲେ, ସେତେବେଳେ ରାମ କହିଥିଲେ, "ରାଜ ପ୍ରାସାଦରେ ନିବାସ କରୁଥିବା ହେ ସୀତେ ! ତୁମେ କିପରି ସଙ୍କଟପୂର୍ଣ୍ଣ ବନ୍ୟ ଜୀବନର କଷ୍ଟ ସହିବ ?"
ସୀତା କହିଥିଲେ, "ନାଥ, ଆପଣ ଯୁଆଡ଼େ ଯିବେ ସିଆଡ଼େ ଆପଣଙ୍କ ଅର୍ଦ୍ଧାଙ୍ଗିନୀ ସୀତା ମଧ୍ୟ ଆପଣଙ୍କ ସହ ଛାଇ ଭଳି ରହିବ। ଆପଣ ମୋତେ 'ରାଜକନ୍ୟା'
'ରାଜବଂଶରେ ଜନ୍ମ' ଇତ୍ୟାଦି କଥା କାହିଁକି କହୁଛନ୍ତି ? ହେ ଦେବ ! ମୁଁ ତ ସର୍ବଦା ଆପଣଙ୍କର ସଙ୍ଗିନୀ ହୋଇ ରହି ପାରିବି।" ଏହିପରି ବାହାର ଦୁନିଆଁ ଦେଖି ନଥିବା ରାଜଦାରା ସୀତା - ଆମୋଦପୂର୍ଣ୍ଣ ରାଜ-ପ୍ରାସାଦ ନିବାସିନୀ ସୀତା ପତି ସଙ୍ଗକୁ ଅନ୍ୟ ସମସ୍ତ ଆମୋଦଠାରୁ ଅଧିକ ବୋଲି ବିଚାର କରି ରାମଙ୍କ ସାଙ୍ଗ ଛାଡ଼ିଲେ ନାହିଁ ଓ ଅନୁଜ ଲକ୍ଷ୍ମଣ ମଧ୍ୟ ଭାଇକୁ ଛାଡ଼ିବାର ଦୁଃଖ କିପରି ସହି ଥାନ୍ତେ ! ସେ ମଧ୍ୟ ତାଙ୍କ ସହିତ ସାଥି ହୋଇଗଲେ।
କ୍ରମଶଃ....
୨୦. ୦୧. ୧୮

No comments:
Post a Comment