କିଭଳି ଭାବରେ ଏହି ବିଗତ-ମୋହ ମହର୍ଷିଙ୍କ ହୃଦୟରୁ କାବ୍ୟ-ସରିତା ହୋଇ ନିର୍ଗତ ହେଲା, ସେ କଥା ସ୍ୱାମୀଜୀ ସେଠାରେ ଶୁଣାଇ ଥିଲେ -
ଦିନେ ପବିତ୍ର ଗଙ୍ଗା ନଦୀରେ ସ୍ନାନ କରିବା ପାଇଁ ଯାଉଥିବା ବେଳେ ମହର୍ଷି ଦେଖିଲେ ଦୁଇଟି କ୍ରୋଞ୍ଚ(ବଗ)ପକ୍ଷୀ ପ୍ରଣୟକେଳିରେ ମଗ୍ନ ଅଛନ୍ତି। ସେମାନେ ପରସ୍ପରକୁ ଆଲିଙ୍ଗନ କରି ପରମାନନ୍ଦରେ ମଗ୍ନ ଅଛନ୍ତି। ମହର୍ଷି ଏହି ପ୍ରଣୟ କ୍ରୀଡ଼ାକୁ ଦେଖି ଅତି ଆନନ୍ଦିତ ହେଲେ। କିନ୍ତୁ ତତ୍କ୍ଷଣ ତାଙ୍କ ପାଖ ଦେଇ ଏକ ଶର ଚାଲିଗଲା ଓ ଏହି ପ୍ରଣୟ ରତ କ୍ରୋଞ୍ଚ ପକ୍ଷୀ(ଅଣ୍ଡିରା)କୁ ବିଦ୍ଧ କରି ତା'ର ଜୀବନ ଲୀଳା ସମାପ୍ତ କରିଦେଲା। ତାକୁ ଭୂଇଁରେ ଲୋଟି ପଡ଼ିବା ଦେଖି କ୍ରୋଞ୍ଚ-ବଧୁ ଶୋକାଭିଭୂତ ହୋଇ ସେହି ମୃତ ଦେହ ଚାରିପଟେ ଘୁରୀ ବୁଲିଲା। ମହର୍ଷି ଏହି କରୁଣ ଦୃଶ୍ୟ ଦେଖି ଶୋକବିହ୍ଵଳ ହୋଇଗଲେ। ତାଙ୍କର ଦୁଃଖ ଓ ଶୋକର ଆବେଗ, ତାଙ୍କ ହୃଦୟର କରୁଣା ନିମ୍ନ ଶ୍ଳୋକର ରୂପ ଧାରଣ କରି ତାଙ୍କ ମୁଖରୁ ନିଃସୃତ ହେଲା -
ମା ନିିଷାଦ ପ୍ରତିଷ୍ଠାଂ ତ୍ୱମଗମଃ ଶାସ୍ବତୀ ସମାଃ।
ଯତ୍ କ୍ରୋଞ୍ଚ ମିଥୁନାଦେକମବଧିଃ କାମମୋହିତମ୍।।
ସେ ଗାଇ ଉଠିଲେ, "ହେ ବ୍ୟାଧ ! ହେ କ୍ରୁର ପାଷାଣ ହୃଦୟ ବ୍ୟକ୍ତି ! କଣ ତୋର ବିନ୍ଦୁ ମାତ୍ର ଦୟାଭାବ ନାହିଁ , ଯାହା ତୋର କଠୋର ହାତକୁ ପ୍ରଣୟ କ୍ରୀଡ଼ା ମଗ୍ନ ଦୁଇଟି ଭୋଳା ପକ୍ଷୀଙ୍କୁ ଦେଖି କ୍ଷଣେ ପାଇଁ ମଧ୍ୟ ତୋର ବିଧ୍ଵଂସ-କାର୍ଯ୍ୟ କରିବାକୁ ଅଟକାଇ ପାରିଲା ନାହିଁ ? ଯାଆ - ତୋର ହୃଦୟକୁ ମଧ୍ୟ ଅନନ୍ତକାଳ ପର୍ଯ୍ୟନ୍ତ ଶାନ୍ତି ଟିକେ ନ ମିଳୁ।"
ତାଙ୍କ ମୁଖରୁ ଏପରି ଶ୍ଳୋକ ଆପେ ଆପେ ନିର୍ଗତ ହୋଇଗଲା। ପରେ ସେ ଭାବିବାକୁ ଲାଗିଲେ, "ଏ କ'ଣ ? ଏ କ'ଣ ମୁଁ ଗାଉଛି ?? ଏହା ପୂର୍ବରୁ ତ ମୁଁ କେବେ ଏଭଳି ଗାଇ ନ ଥିଲି।"
ତତ୍କ୍ଷଣ ଏକ ଗୁରୁଗମ୍ଭୀର ଶୁନ୍ୟବାଣୀ ହେଲା -
"ବତ୍ସ ! ଡର ନାହିଁ। ଆଜି ତୁମ ହୃଦୟରୁ ଦ୍ରବିଭୂତ କରୁଣା କବିତା ହୋଇ ବାହାରି ଆସିଛି। ତୁମେ ଲୋକ କଲ୍ୟାଣ ପାଇଁ ଏହିପରି କାବ୍ୟମୟ ଭାଷାରେ ରାମଙ୍କ ଚରିତ୍ର ବର୍ଣ୍ଣନା କର।"
ଏହିପରି ପ୍ରଥମ କବିତା ସୃଷ୍ଟି ହେଲା। ଏହିପରି ଭାବେ ବିଶ୍ୱରେ ଏଭଳି ଅଦ୍ୱିତୀୟ ମହାକାବ୍ୟ - ଭାରତୀୟଙ୍କ ଆଦିକାବ୍ୟ-ରାମାୟଣ ରଚନାର ପ୍ରାରମ୍ଭ ହୋଇଥିଲା।
ଆଦି କବି ବାଲ୍ମୀକିଙ୍କ ହୃଦୟର କରୁଣା ହିଁ ବିଶ୍ୱର ପ୍ରଥମ କାବ୍ୟର ପ୍ରଥମ ଶ୍ଳୋକ ହୋଇଗଲା। ତା'ପରେ ମହର୍ଷି ବାଲ୍ମୀକି ପରମ ମନୋହର ରାମାୟଣ-ମହାକାବ୍ୟ ରଚନା କଲେ।
କ୍ରମଶଃ...
୧୭. ୧. ୧୮

No comments:
Post a Comment