ଏହା ଶୁଣି ଦସ୍ୟୁ ତାଙ୍କ ପାଖରୁ ମୁହଁ ବୁଲାଇ ନେଇ ନିଜ ମାଆ ପାଖରେ ପହଞ୍ଚିଲା। ସେ ତା'ର ମାଆକୁ ଦସ୍ୟୁବୃତ୍ତି ଦ୍ୱାରା ଅପହୃତ ଧନରେ କୁଟୁମ୍ବ ପାଳନ କରୁଥିବା କଥା କହିଲା।
ମାଆ ଏହା ଶୁଣିବା ମାତ୍ରେ ଚିତ୍କାର କରି କହିବାକୁ ଲାଗିଲେ, "ଛିଃ! ଘୋର ପାପ ତୁ କରୁଛୁ।"
କିନ୍ତୁ ଏ ସବୁ ଶୁଣିବାକୁ ଦସ୍ୟୁ ପାଖରେ ଧର୍ଯ୍ୟ ନ ଥିଲା, ସେ ବଡ଼ ଅଧୀର ହୋଇ ମା'କୁ ପଚାରିଲା, "କିନ୍ତୁ ମା' ତୁ ମୋ ପାପରେ ଭାଗୀ ହେବୁ କି ନାଇଁ ?"
ମା' ମୁହଁକୁ ବିକୃତ କରି କହିଲେ, "କିଏ ! ମୁଁ କଣ ପାଇଁ ତୋ ପାପର ବୋଝ ବୋହିବି ? ମୁଁ କାହାକୁ ଲୁଟିଛି କି ??'"
ମାଆର ଉତ୍ତର ଶୁଣି ସେ ଚୁପଚାପ ନିଜ ପତ୍ନୀ ପାଖକୁ ଆସିଲା ଏବଂ ତାକୁ ମଧ୍ୟ ଏଇ ପ୍ରଶ୍ନ ଶୁଣାଇଲା ଯେ, କଣ ତୁମେ ଜାଣିଛ, ମୁଁ କିପରି ଧନ ଉପାର୍ଜନ କରି କୁଟୁମ୍ବ ପୋଷୁଛି ?
ପତ୍ନୀ ମନା କରିବାରୁ ଦସ୍ୟୁ କହିଲା, "ତେବେ ଶୁଣ, ମୁଁ ଏକ ଦସ୍ୟୁ, ମୁଁ ଏକ ଡାକୁ, ମୁଁ ଏକ ଚୋର। ବର୍ଷ ବର୍ଷ ଧରି ମୁଁ ପଥିକମାନଙ୍କୁ ଲୁଟିଛି, ମାରିଛି ଓ ସେମାନଙ୍କଠାରୁ ଧନ ଅପହୃତ କରି ତୁମ ସମସ୍ତଙ୍କ ଉଦର ଭରିଛି। ଆଜି ମୁଁ ତୁମକୁ ଏ ପ୍ରଶ୍ନ ପଚାରିବାକୁ ଆସିଛି ଯେ, ମୁଁ ଏଇ ଯେଉଁ ପାପ ଅର୍ଜନ କରିଛି, ଏ ପାପର ଭାଗଦାରୀ ତୁମେ ହେବ କି ନାଇଁ ?"
ପତ୍ନୀ ତତ୍କ୍ଷଣାତ୍ ଉତ୍ତର ଦେଲା, ନା, କଦାପି ନୁହେଁ, ତୁମେ ମୋର ସ୍ୱାମୀ, ମୋତେ ପାଳନ କରିବା ତୁମର କର୍ତ୍ତବ୍ୟ। ତୁମେ କେଉଁ ଉପାୟରେ ତୁମ କର୍ତ୍ତବ୍ୟ ପାଳନ କଲ, ସେଥିରେ ମୋର କଣ ଯାଏ ଆସେ ?
ମୁଁ କାହିଁକି ତୁମ ପାପକୁ ମୁଣ୍ଡେଇବି ??"
ଦସ୍ୟୁ ଯେତେବେଳେ ଆତ୍ମୀୟ ସ୍ଵଜନଙ୍କଠାରୁ ଏପରି ଉତ୍ତର ଶୁଣିଲା, ତା ପାଦ ତଳୁ ମାଟି ଖସିଗଲା। ତା'ର ଆଖି ଖୋଲିଗଲା। ସେ କହିଲା, "ଏହାହିଁ ହେଉଛି ସ୍ୱାର୍ଥପୂର୍ଣ୍ଣ ସଂସାରର ନିୟମ। ଯାହାପାଇଁ ମୁଁ ଏତେ ପାପକାର୍ଯ୍ୟ କଲି ସେମାନେ ସବୁ ମୋର ଆତ୍ମୀୟ ସ୍ୱଜନ ହୋଇ ମଧ୍ୟ ମୋ ପାପର ମୋ ପ୍ରାରବ୍ଧର ଭାଗୀ ହେବ ନାହିଁ !"
କ୍ରମଶଃ....
୧୪. ୧. ୧୮

No comments:
Post a Comment