ସେ ସମୟରେ ପର୍ଣ୍ଣକୁଟୀରରେ ରାମଙ୍କର ଆର୍ତ୍ତ ଚିତ୍କାର ଶୁଣାଗଲା, ହେ ଲକ୍ଷ୍ମଣ! ଶୀଘ୍ର ଆସ।
ସୀତା ଦେବୀ ଏହି ଚିତ୍କାର ଶୁଣି ରାମଙ୍କର ସହାୟତା ପାଇଁ ଲକ୍ଷ୍ମଣଙ୍କୁ ତୁରନ୍ତ ପଠାଇଲେ। ଲକ୍ଷ୍ମଣ କହିଲେ, "ହେ ଦେବୀ ! ଏହା ରାମ ଚନ୍ଦ୍ରଙ୍କର କଣ୍ଠଧ୍ୱନି ନୁହେଁ।" କିନ୍ତୁ ସୀତାଙ୍କ ବାରମ୍ବାର ଅନୁରୋଧକ୍ରମେ ରାମଙ୍କୁ ଖୋଜିବାକୁ ଲକ୍ଷ୍ମଣ ବାହାରିପଡ଼ିଲେ। ସେ ଯାଉ ଯାଉ ରାକ୍ଷସରାଜ ରାବଣ ସାଧୁ ବେଶରେ ପର୍ଣ୍ଣକୁଟୀର ପାଖକୁ ଆସି ଭିକ୍ଷା ଯାଚନା କରିବାକୁ ଲାଗିଲେ। ସୀତା କହିଲେ ଆପଣ କିଛି କ୍ଷଣ ଅପେକ୍ଷା କରନ୍ତୁ, କିଛି ସମୟ ଭିତରେ ମୋ ସ୍ୱାମୀ ଆସିଯିବେ, ମୁଁ ଆପଣଙ୍କୁ ଯଥେଷ୍ଟ ଭିକ୍ଷା ଦେବି। ସାଧୁ କହିଲେ, "ମୁଁ ଅତ୍ୟନ୍ତ ଭୋକିଲା ଅଛି, ଗୋଟିଏ ମୁହୂର୍ତ୍ତ ବି ଅପେକ୍ଷା କରିବାକୁ ଅସମର୍ଥ। ଆପଣଙ୍କ ପାଖରେ ଯାହା କିଛି ଅଛି ସେତିକି ମୋତେ ଦେଇଦିଅନ୍ତୁ।" ସୀତା ଦେବୀ ଏଇ କଥା ଶୁଣି କୁଟୀରରେ ରଖାଯାଇଥିବା କିଛି ଫଳ ଧରି ବାହାରକୁ ଆସିଲେ। ଯେତେବେଳେ ଛଦ୍ମବେଶଧାରୀ ସାଧୁ ଦେଖିଲେ ଅଗ୍ନିବୃତ୍ତ ଭିତରେ ସେ ଭିକ୍ଷା ଦେଉଛନ୍ତି, ସାଧୁ ଅତ୍ୟନ୍ତ ଵିନୟପୂର୍ବକ କହିଲେ, "ହେ ଦେବୀ ! ଗେରୁ ବସ୍ତ୍ରଧାରୀ ସାଧୁଙ୍କୁ କି ଭୟ, ଆପଣ ବାହାରକୁ ଆସି ଭିକ୍ଷା ପ୍ରଦାନ କରନ୍ତୁ।" ଏହି ଅନୁନୟ, ଵିନୟ ଏବଂ ଅନୁରୋଧପୂର୍ଣ୍ଣ ପ୍ରାର୍ଥନାରେ ସେ ପ୍ରଭାବିତ ହୋଇ ଯେତେବେଳେ ଅଗ୍ନିବୃତ୍ତ ବାହାରକୁ ଆସିଲେ, ଛଦ୍ମ ସାଧୁ ରାକ୍ଷସ ଦେହରେ ପ୍ରକଟ ହୋଇ ବଳପୂର୍ବକ ସୀତାଙ୍କୁ ହରଣ କରିନେଲା।
ତା' ପରେ ସେ ସୀତାଙ୍କୁ ଧରି ଲଙ୍କାକୁ ପଳାୟନ କଲା। ନିଃସହାୟ ସୀତାଙ୍କର ସହାୟତା କରିବା ପାଇଁ ସେ ସମୟରେ କେହି ବି ନ ଥିଲେ। ରାକ୍ଷସରାଜ ସୀତା ଦେବୀଙ୍କୁ ନେଇ ଯାଉଥିବା ସମୟରେ କିଛି କିଛି ସମୟର ଅନ୍ତରରେ ସେ ନିଜ ଅଳଙ୍କାର ପକାଇ ଦେଉଥିଲେ।
କ୍ରମଶଃ...
୨୨. ୧. ୧୮

No comments:
Post a Comment