Tuesday, 23 January 2018

*ସୀତାଙ୍କ ସନ୍ଧାନେ*

ରାବଣ ସୀତାଙ୍କୁ ନିଜ ରାଜ୍ୟ ଲଙ୍କାକୁ ନେଇଗଲା। ସେ ସୀତାଙ୍କୁ ନିଜ ପାଟରାଣୀ ହେବାକୁ ଅନୁରୋଧ କଲା। ଏହି କଥା ସ୍ଵୀକାର କରାଇବା ପାଇଁ ତାଙ୍କୁ ନାନା ପ୍ରକାର ପ୍ରଲୋଭନ ଓ ଭୟ ଦେଖାଇଲା। କିନ୍ତୁ ସୀତା ମାତା ତ ସ୍ୱୟଂ ସତୀତ୍ଵ ଧର୍ମର ବିଗ୍ରହସ୍ୱରୂପା ଥିଲେ। ସେ ସେହି ଦୁଷ୍ଟ ରାକ୍ଷସ ସହ କୌଣସି କଥା ହେଲେ ନାହିଁ। ତେଣୁ ରାବଣ କ୍ରୋଧିତ ହୋଇ ସୀତାଙ୍କୁ ଏପରି ଦଣ୍ଡ ଦେଲା ଯେ, ଯେପର୍ଯ୍ୟନ୍ତ ସେ ତାଙ୍କୁ ସ୍ୱାମୀ ରୂପେ ସ୍ୱୀକୃତ ନ କରିବେ ସେପର୍ଯ୍ୟନ୍ତ ଏକ ଗଛ ମୂଳେ ଦିନ ରାତି କଟାଇବେ।

ଏଣେ ରାମ ଓ ଲକ୍ଷ୍ମଣ ବଣରୁ ଫେରି ଦେଖନ୍ତି ଯେ ପର୍ଣ୍ଣକୁଟୀରେ ସୀତା ନାହାଁନ୍ତି। ସେମାନଙ୍କର ଶୋକର ସୀମା ରହିଲା ନାହିଁ। ସୀତାଙ୍କର ଦଶା କଣ ହୋଇଥିବ ଏହାର କଳ୍ପନା କରିବାକୁ ସେମାନେ ଅସମର୍ଥ ଥିଲେ। ଦୁଇଭାଇ ଆଉ କାଲବିଳମ୍ବ ନ କରି ବଣରେ ବିଜନ ତଥା କଣ୍ଟକାକୀର୍ଣ୍ଣ ମାର୍ଗରେ ସୀତାଙ୍କୁ ଖୋଜିବାକୁ ବାହାରି ପଡ଼ିଲେ। ବହୁତ ଖୋଜିବା ପରେ ମଧ୍ୟ ସୀତାଙ୍କର କୌଣସି ଚିହ୍ନ ବର୍ଣ୍ଣ ମିଳୁ ନ ଥିଲା। ଏହିପରି ଦୀର୍ଘକାଳ ପର୍ଯ୍ୟନ୍ତ ବଣରେ ଖୋଜି ଚାଲିଥିବା ବେଳେ ତାଙ୍କର ଦଳେ ବାନରଙ୍କ ସହ ଭେଟ ହେଲା। ଏହି ବାନରମାନଙ୍କ ମଧ୍ୟରେ ଦେବାଂଶସମ୍ଭୂତ  ଏକ ବାନର ଥିଲେ ଯାହାଙ୍କ ନାମ ହନୁମାନ। କାଳାନ୍ତରରେ ଏହି ବାନର ଶ୍ରେଷ୍ଠ ହନୁମାନ ରାମଙ୍କର ଅନନ୍ୟ ସେବକ ହୋଇଗଲେ। ସେ ହିଁ ସୀତାଙ୍କ ଉଦ୍ଧାରରେ ବିଶେଷ ସହାୟତା କରିଥିଲେ। ରାମଙ୍କ ପ୍ରତି ହନୁମାନଙ୍କ ଶ୍ରଦ୍ଧା ଏତେ ଅନନ୍ୟ ଥିଲା ଯେ ଆଜି ମଧ୍ୟ ହିନ୍ଦୁ ସମାଜ ତାଙ୍କୁ ପରମ ଗହନ ସେବାଧର୍ମର ଆଦର୍ଶ ଓ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅପ୍ରତିମ ସେବକ ରୂପେ ପୂଜା କରୁଛି।

ଏହି ବାନରମାନେ ରାମଙ୍କଠାରୁ ସୀତା ହରଣର ଦୁଃଖ କଥା ଶୁଣିବା ପରେ କହିଲେ, "ଆକାଶ ମାର୍ଗରେ ଏକ ରଥ ଯାଉଥିବାର ଆମେ ଦେଖିଛୁ ଓ ସେହି ରଥରେ ଏକ ରାକ୍ଷସ ଥିଲା, ଯିଏ ଏକ ପରମ ସୁନ୍ଦରୀ ରମଣୀକୁ ବଳ ପୂର୍ବକ ନେଇଯାଉଥିଲା। ସେହି ସ୍ତ୍ରୀ ଜଣଙ୍କ ଅତ୍ୟନ୍ତ କରୁଣ ବିଳାପ କରୁଥିଲେ।
ସେହିରଥ ଯେତେବେଳେ ଆମ ମଥା ଉପର ଦେଇ ଯାଉଥିଲା ସେତେବେଳେ ଆମର ଧ୍ୟାନ ଆକର୍ଷଣ କରିବା ପାଇଁ ସେ ତାଙ୍କର କିଛି ଆଭୂଷଣ ଆମ ଆଡ଼କୁ ଫିଙ୍ଗି ଦେଇଥିଲେ।"

ସେମାନେ ସେହି ଆଭୂଷଣ ନେଇ ଆସିଲେ ଓ ଲକ୍ଷ୍ମଣଙ୍କୁ ଦେଲେ। ଆଭୂଷଣ ଦେଖିବା ପରେ ଲକ୍ଷ୍ମଣ କହିଲେ, ମୋତେ ଜଣାପଡୁ ନାହିଁ ୟେ କାହାର।

"ନାହଂ ଜାନାମି କେୟୁରେ,
ନାହଂ ଜାନାମି କୁଣ୍ଡଳେ।

ନୂପୁରେ ତ୍ୱଭିଜାନାମି
ନିତ୍ୟଂ ପାଦାଭିବନ୍ଦନାତ୍ ।।"

ପ୍ରଭୁ ରାମଚନ୍ଦ୍ର ସେହି ଆଭୂଷଣକୁ ଦେଖିବା ମାତ୍ରେ କହି ଉଠିଲେ, "ଆରେ, ଏହା ତ ସୀତାଦେବୀଙ୍କର।"

ଲକ୍ଷ୍ମଣ ସେହି ଆଭୂଷଣକୁ ଏଥିପାଇଁ ଚିହ୍ନି ପାରି ନ ଥିଲେ ଯେ, ଭାରତରେ ବଡ଼ ଭାଇର ସ୍ତ୍ରୀଙ୍କୁ ଅତ୍ୟନ୍ତ ସମ୍ମାନପୂର୍ଣ୍ଣ ଭାବେ ଦେଖା ଯାଉଥିଲା। ସେହି ପଦ୍ଧତି ଅନୁସରଣ କରି ଲକ୍ଷ୍ମଣ ସୀତା ଦେବୀଙ୍କ ପାଦ ବ୍ୟତୀତ ଅନ୍ୟ କୌଣସି ଅଂଶରେ କେବେ ବି ଦୃଷ୍ଟିପାତ କରି ନ ଥିଲେ। ତେଣୁ ସ୍ୱାଭାବିକ ଭାବରେ ସେ ସୀତାଦେବୀଙ୍କ କଣ୍ଠ ହାର ଆଦି ଆଭୂଷଣକୁ ଚିହ୍ନିପାରି ନ ଥିଲେ। ଏହା ହିଁ ଭାରତର ପ୍ରାଚୀନ ଓ ଶ୍ରେଷ୍ଠ ସଂସ୍କୃତିର ନିଦର୍ଶନ।

କ୍ରମଶଃ...

୨୩. ୧. ୧୮

No comments: