Friday, 19 January 2018

*ଶୁଭ-ପରିଣୟ*

ପ୍ରାଚୀନ ଭାରତରେ ବିବାହ ପାଇଁ ସ୍ଵୟମ୍ବର ପ୍ରଥା ଥିଲା। ରାଜକୁମାରୀ ସ୍ୱୟଂ ନିଜର ପତିଙ୍କ ନିର୍ବାଚନ କରୁଥିଲେ। ଦେଶର ବିଭିନ୍ନ ପ୍ରଦେଶରୁ ରାଜପୁତ୍ରମାନେ ନିମନ୍ତ୍ରିତ ହୋଇ ଆସୁଥିଲେ। ରାଜକୁମାରୀ ସୁନ୍ଦର ବସ୍ତ୍ର ବିଭୂଷିତା ହୋଇ ହାତରେ ବରଣ ମାଳା ଧରି ଏକତ୍ର ହୋଇଥିବା ରାଜକୁମାରମାନଙ୍କ ମଧ୍ୟକୁ ଯାଉଥିଲେ। ତାଙ୍କ ସହିତ ବିଭିନ୍ନ ରାଜପୁତ୍ରଙ୍କ ବଂଶାବଳୀ ଓ ତାଙ୍କ ଶୌର୍ଯ୍ୟ ପ୍ରତାପ ସହ ପରିଚିତ ଥିବା ଜଣେ ଚାରଣ ରହୁଥିଲା। ସେ ତାଙ୍କୁ ବିବାହ ଇଛୁକ ଥିବା ରାଜକୁମାରଙ୍କ ପାଖକୁ ନେଇଯାଉଥିଲା ଏବଂ ତାର ବିରୋଧରେ କିଛି କହୁଥିଲା। ଏହା ଭିତରେ ରାଜକନ୍ୟା ଯେଉଁ ରାଜକୁମାରଙ୍କୁ ନିଜ ହୃଦୟେଶ୍ୱର ମନୋନୀତ କରୁଥିଲେ ସେ ତାଙ୍କ ଗଳାରେ ବରଣମାଳା ଅର୍ପଣ କରିଦେଉଥିଲେ। ତା'ପରେ ବଡ଼ ସମାରୋହରେ ପାଣିଗ୍ରହଣ ସଂସ୍କାର ସମ୍ପନ୍ନ ହେଉଥିଲା। ଏହି ସ୍ଵୟମ୍ବର ସଭାରେ ବେଳେ ବେଳେ ବିବାହ ଇଛୁକ ରାଜପୁତ୍ର ମାନଙ୍କ ବିଦ୍ୟା ବୁଦ୍ଧି ବଳ ପରୀକ୍ଷା ନିମିତ୍ତ କିଛି ବିଶେଷ ପ୍ରକ୍ରିୟା ବି କରା ଯାଉଥିଲା।

ମିଥିଳାର ଅନିନ୍ଦ୍ୟ ସୁନ୍ଦରୀ ରାଜକନ୍ୟାଙ୍କୁ ବିବାହ କରିବା ପାଇଁ ଅନେକ ରାଜପୁତ୍ର ଉତ୍ସୁକ ଥିଲେ। ଏହି ଅବସରରେ ବିଶାଳ ଶିବ-ଧନୁ ଭାଙ୍ଗିବାର ପଣ କରାଯାଇଥିଲା। ସବୁ ରାଜପୁତ୍ର ଏହି କାର୍ଯ୍ୟ ସମ୍ପନ୍ନ କରିବାକୁ ପ୍ରାଣପଣେ ଲାଗିପଡ଼ି ଥିଲେ। କିନ୍ତୁ ସବୁ ଅସଫଳ ହେଉଥିଲେ। ଶେଷରେ ରାମଚନ୍ଦ୍ର ଆସି ସେହି ପ୍ରଚଣ୍ଡ ଶିବ-ଧନୁକୁ ନିଜର ଶକ୍ତିଶାଳୀ ହାତରେ ଉଠାଇ ସହଜରେ ଦୁଇଖଣ୍ଡ କରିଦେଲେ ଏବଂ ସୀତା ଦେବୀ ସେହି ଦଶରଥ ପୁତ୍ର ରାମଚନ୍ଦ୍ରଙ୍କ ଗଳାରେ ବରଣମାଳା ଅର୍ପଣ କରିଦେଲେ। ରାଜପୁରରେ ଆନନ୍ଦର ଲହରୀ ଖେଳିଗଲା। ଏହିପରି ଭାବରେ ବଡ଼ ଆନନ୍ଦ ଉଲ୍ଲାସର ସହ ରାମ ଓ ସୀତାଙ୍କ ଶୁଭ-ପରିଣୟ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

କ୍ରମଶଃ...
୧୯. ୧. ୧୮

No comments: