ଏବେ ସଂକ୍ରମଣକାଳୀନ ଯୁଗରେ ବିକୃତିର ପ୍ରଭାବ ଓ ଆତ୍ମ ପ୍ରକାଶନର ସ୍ୱାଧୀନତା ନାମରେ ଆପଣାଯାଉଥିବା ସ୍ବେଚ୍ଛାଚାରିତା ଅଭିବ୍ୟକ୍ତିର ବିବିଧ କ୍ଷେତ୍ରରେ ବିକୃତିକୁ ଜନ୍ମ ଦେଉଛି।
ଅଭିବ୍ୟକ୍ତିର ସଶକ୍ତ ସାଧନ ରୂପେ ସାହିତ୍ୟର ଏକ ବିଶିଷ୍ଟ ସ୍ଥାନ ଅଛି। ଏହି ସାହିତ୍ୟ ବ୍ୟକ୍ତି ଓ ସମାଜର ମାର୍ଗଦର୍ଶକ ଅଟେ। ଦୁଃଖର କଥା ଏବେର ସାହିତ୍ୟ ନିଜ ଉଦ୍ଦେଶ୍ୟକୁ ଭୁଲି ଅଭିବ୍ୟକ୍ତିର ସ୍ୱାଧୀନତା ନାମରେ ହିଂସାତ୍ମକ ବିଘଟନକାରୀ ପ୍ରବୃତ୍ତି ଓ କାମଳ ସାମ୍ବାଦିକତାର ଶୀକାର ହୋଇଯାଇଛି।
ଗଣମାଧ୍ୟମ ଓ ସୂଚନା ତନ୍ତ୍ର ଲୋକତନ୍ତ୍ରର ଜାଗ୍ରତ ପ୍ରହରୀ ଅଟେ। ଏଥିରେ ସାଧାରଣ ଜନତାଙ୍କୁ ଜାଗ୍ରତ କରିବା ସହିତ କର୍ତ୍ତବ୍ୟ ସମ୍ବନ୍ଧରେ ସମ୍ବେଦନଶୀଳ କରାଯାଇଥାଏ। ଦୁର୍ଭାଗ୍ୟବଶତଃ ଅଭିବ୍ୟକ୍ତିର ସ୍ବାଧୀନତାର କଳା ବାଦଲ ଏହା ଉପରେ ଛାଇଯାଇଛି। ପରିଣାମସ୍ୱରୂପ ଏମାନେ ନାରୀ ଦେହର ନଗ୍ନ ପ୍ରଦର୍ଶନ, ଉତ୍ତେଜକ ଭାଷଣ, ଲେଖା ଓ ସୂଚନାକୁ ପରିବେଷଣ କରିବାର କେନ୍ଦ୍ର ପାଲଟିଯାଇଛନ୍ତି।
ଚଳଚିତ୍ର, ନୃତ୍ୟ ଗୀତ, ଚିତ୍ରକଳା, ମୂର୍ତ୍ତି ନିର୍ମାଣ ଆଦି ବିଶିଷ୍ଟ କ୍ଷେତ୍ରରେ ମଧ୍ୟ ଏହି ବିକୃତି ଦେଖିବାକୁ ମିଳୁଛି। ନାରୀ ଦେହର ଅଶ୍ଳୀଳ ପ୍ରଦର୍ଶନ, ନାୟକ ନିୟିକାଙ୍କ ଆପତ୍ତିଜନକ ଅବସ୍ଥା, ବେଡ଼ ରୁମର ଦୃଶ୍ୟ, ହିଂସା, ବଲାତ୍କାରକୁ ଆନିମେସନ କରି ନିକୃଷ୍ଟ ଚଳଚିତ୍ର ମାଧ୍ୟମରେ ପ୍ରସ୍ତୁତି କରି ଦେଶରେ ଅଗଣିତ ଶିଶୁ କିଶୋର ମାନଙ୍କର ନୈତିକ ଚାରିତ୍ରିକ ପତନକୁ ନିମନ୍ତ୍ରିତ କରାଯାଉଛି।
ବୈଚାରିକ ଅଭିବ୍ୟକ୍ତି, ସମାଲୋଚନାତ୍ମକ ଆଧାରରେ ସାର୍ବଜନିକ ଜୀବନ ସହ ସମ୍ବନ୍ଧିତ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ବିଶ୍ଳେଷଣ କରିବା ଜାଗାରେ ତାର ନିନ୍ଦା କରିବାର ଅସ୍ତ୍ର ହୋଇଯାଇଛି। ଅନର୍ଗଳ ଅପଶବ୍ଦ ଉଦ୍ଗାରିବା, ଅଭିଯୋଗ କରିବା ଭଳି ଚରିତ୍ର ନଷ୍ଟ କରିବାର ଘୃଣିତ ଚେଷ୍ଟା ମାନବୀୟ ବ୍ୟକ୍ତିତ୍ୱର ଗରିମା ପ୍ରତି ଆଘାତ ନୁହେଁ କି ? ଏବେ ଦେଖାଯାଉଥିବା ସାମ୍ପ୍ରଦାୟିକ ଉତ୍ତେଜନା ଓ ଧାର୍ମିକ ବିଦ୍ୱେଷ ଏ ସବୁ ବୈଚାରିକ ଅଭିବ୍ୟକ୍ତିର ଦୁରୂପଯୋଗର ପରିଣାମ ଅଟେ।
ସୌନ୍ଦର୍ଯ୍ୟ ପ୍ରଦର୍ଶନ ନାରୀର ସହଜ ଗୁଣ ଅଟେ। କଣ ଗରିମାମୟୀ ପୋଷାକରେ ନାରୀ ନିଜର ଭାବାତ୍ମକ ତଥା ବୌଦ୍ଧିକ ସୌନ୍ଦର୍ଯ୍ୟ ସାହାଯ୍ୟରେ ଆକର୍ଷକ ଦେଖାଯାନ୍ତି ନାହିଁ ? କଣ ସୌନ୍ଦର୍ଯ୍ୟ ନଗ୍ନତାର ବୈଶାଖୀ ଉପରେ ଛିଡ଼ା ହୋଇଛି ?? ଏପରି କଣ ଆବଶ୍ୟକତା ପଡ଼ିଛି ଯେ ଯେଉଁ ସୋନ୍ଦର୍ଯ୍ୟ ଯୁବତୀ ମାନଙ୍କୁ ନ୍ୟୂନତମ ପରିଧାନରେ ଅଙ୍ଗ ପ୍ରଦର୍ଶନ କରିବାକୁ ବାଧ୍ୟ କରୁଛି ??? କଣ ଏହା ଭାରତୀୟ ନାରୀର ଅସ୍ମିତାକୁ ନଷ୍ଟ କରିବା ପାଇଁ ଅପସଂସ୍କୃତିର ସୁନିୟୋଜିତ ଚେଷ୍ଟା ନୁହେଁ ତ ????
ପ୍ରେମର ଅଭିବ୍ୟକ୍ତି ମଧ୍ୟ ଅଭିବ୍ୟକ୍ତିର ଗୋଟିଏ ସ୍ବରୂପ। ଏହା ପ୍ରିୟପାତ୍ର ପ୍ରତି ଆମ କୋମଳ ଭାବନାର ପ୍ରାକଟୀକରଣ ଅଟେ। କିନ୍ତୁ ଲଜ୍ଜ୍ୟାହୀନ ହୋଇ ସାର୍ବଜନୀନ ସ୍ଥାନରେ ଚୁମ୍ବନ, ଆଲିଙ୍ଗନ, ଯୌନାଚାର ଆଦି ପ୍ରେମାଭିବ୍ୟକ୍ତି ତ ଅଶ୍ଲୀଳତାକୁ ଭଡ଼ାରେ ଆଣିବା ଭଳି କଥା। ଏହାର ପ୍ରଦର୍ଶନ ଦ୍ୱାରା ଆମେ ଆମର ସନ୍ତାନ ସନ୍ତତିଙ୍କୁ ନୈତିକ ଓ ଚାରିତ୍ରିକ ପତ୍ତନର ଅନ୍ଧକୂପରେ ପକାଇ ଦେଉ ନାହାନ୍ତି ତ ?
୫. ୧. ୧୮

No comments:
Post a Comment