ତା'ପରେ ବାନରମାନେ ରାମଙ୍କୁ ରାବଣର ନାମ-ଧାମ, ତଥା ଠିକଣା ବତାଇଦେଲେ ଏବଂ ସମସ୍ତେ ସୀତାଙ୍କୁ ଖୋଜିବାରେ ରାମଙ୍କୁ ସହାୟତା କଲେ।
ସେ ସମୟରେ ବାନରରାଜ ବଳି ଏବଂ ତାଙ୍କ ଅନୁଜ ସୁଗ୍ରୀବଙ୍କ ଭିତରେ ସିଂହାସନ ପାଇଁ ବିବାଦ ଚାଲିଥିଲା। ପରମ ଶକ୍ତିଶାଳୀ ରାମ ସୁଗ୍ରୀବଙ୍କୁ ସହାୟତା କଲେ ଓ ବଳିଙ୍କ ଠାରୁ ରାଜ୍ୟ ଛଡ଼ାଇ ନେଇ ନିର୍ବାସିତ ସୁଗ୍ରୀବଙ୍କୁ ଦେଇଦେଲେ। ଏହାଦ୍ୱାରା ସୁଗ୍ରୀବ କୃତଜ୍ଞ ହୋଇ ରାମଙ୍କୁ ସହାୟତା କାରବାର ବଚନ ଦେଲେ। ବାନର ଦଳ ସାରା ଦେଶ ବୁଲି ଖୋଜିବାକୁ ଲାଗିଲେ, କିନ୍ତୁ କେଉଁଠି ମଧ୍ୟ ସୀତାଙ୍କ ସନ୍ଧାନ ମିଳିଲା ନାହିଁ।
ଶେଷରେ କପି-ଶ୍ରେଷ୍ଠ, ପବନ-ସୂତ ହନୁମାନ ଗୋଟିଏ କୁଦାରେ ବିଶାଳ ସମୁଦ୍ର ପାର ହୋଇ ସୀତାଙ୍କୁ ଖୋଜିବା ପାଇଁ ଲଙ୍କାରେ ପ୍ରବେଶ କଲେ। ସେ ସର୍ବତ୍ର ଅନ୍ୱେଷଣ କରିବା ପରେ ମଧ୍ୟ କେଉଁଠି ସୀତା ଦେବୀଙ୍କ ସନ୍ଧାନ ମିଳିଲା ନାହିଁ।
ଆପଣମାନେ ଜାଣିଥିବେ, ରାକ୍ଷସରାଜ ରାବଣ ଦେବ-ମାନବାଦି ସମସ୍ତଙ୍କୁ ଏପରିକି ସକଳ ବ୍ରହ୍ମାଣ୍ଡ ଉପରେ ବିଜୟ ପ୍ରାପ୍ତ କରିଥିଲା। ସେ ବିଶ୍ୱର ସୁନ୍ଦର ଯୁବତୀଙ୍କୁ ବଳପୂର୍ବକ ନିଜର ଉପ-ପତ୍ନୀ କରି ରଖୁଥିଲା। ହନୁମାନ ଭାବିଲେ, ସେମାନଙ୍କ ସହ ସୀତା ଦେବୀ ରହୁଥିବା ଅସମ୍ଭବ। ସେମାନଙ୍କ ସହ ରହିବା ଅପେକ୍ଷା ମୃତ୍ୟୁକୁ ବରଣ କରିବା ଅଧିକ ଶ୍ରେୟସ୍କର ବୋଲି ସେ ନିଶ୍ଚୟ ଭାବିଥିବେ। ଅତଏବ ହନୁମାନ ସୀତାଙ୍କୁ ଅନ୍ୟ ସ୍ଥାନରେ ଖୋଜିବାକୁ ଲାଗିଲେ। ଶେଷରେ ସେ ଏକ ଗଛ ମୂଳେ ସୀତାଙ୍କୁ ଠାବ କଲେ।
କୃଶ-ଗାତ୍ରୀ ଓ ପାଣ୍ଡୁ ବର୍ଣ୍ଣ ସୀତା ତାଙ୍କୁ ଏ ଭୂମଣ୍ଡଳର ନବୋଦିତ ପ୍ରତିପଦାର ଶଶିକଳା ଭଳି ପ୍ରତୀତ ହେଲେ। ହନୁମାନ ଏକ କ୍ଷୁଦ୍ର ବାନର ରୂପ ଧାରଣ କରି ସେହି ବୃକ୍ଷ ପାଖରେ ପହଞ୍ଚି ଗଲେ। ସେଠାରେ ସେ ଦେଖିଲେ ଯେ, କିପରି ରାବଣ ଦ୍ୱାରା ପ୍ରେଷିତ ହୋଇଥିବା ରାକ୍ଷସୀଗଣ ସୀତାଙ୍କୁ ନାନା ପ୍ରକାର ଭୟ ଦେଖାଇ ବଶୀଭୂତ କରିବାର ଚେଷ୍ଟା କରୁଛନ୍ତି। କିନ୍ତୁ ସୀତା ଦୁଷ୍ଟ ରାବଣର ନାମ ପର୍ଯ୍ୟନ୍ତ କର୍ଣ୍ଣଗୋଚର ହେବାକୁ ଦେଉ ନ ଥିଲେ।
ସେମାନେ ସବୁ ଚାଲିଯିବା ପରେ ହନୁମାନ ସୀତାଙ୍କ ପାଖକୁ ଆସି କହିଲେ, "ଦେବୀ ! ପ୍ରଭୁ ରାମଚନ୍ଦ୍ର ଆପଣଙ୍କୁ ସନ୍ଧାନ କରିବା ପାଇଁ ମୋତେ ଦୂତ କରି ପଠାଇଛନ୍ତି।" ତା'ପରେ ହନୁମାନ ସୀତା ଦେବୀଙ୍କର ବିଶ୍ୱାସ ହେବା ପାଇଁ ରାମଚନ୍ଦ୍ରଙ୍କ ପ୍ରଦତ୍ତ ମୁଦି ଦେଖାଇଲେ। ତାହା ସହିତ ସେ କହିଲେ ଯେ ମୁଁ ଯାଇ ଆପଣଙ୍କ ଠିକଣା ପ୍ରଭୁଙ୍କୁ ଜଣାଇବା ପରେ ସେ ଏକ ବିଶାଳ ସେନା ନେଇ ଆସିବେ ଓ ରାକ୍ଷସଙ୍କୁ ପରାଜିତ କରି ଆପଣଙ୍କୁ ଉଦ୍ଧାର କରିବେ।
ଏ ସବୁ କଥା ନିବେଦନ କରିବା ପରେ ହନୁମାନ ପୁଣି କହିଲେ, "ଦେବୀ ! ଯଦି ଆପଣଙ୍କର ଆପତ୍ତି ନ ହେବ, ତେବେ ମୁଁ ମୋ ବିଶାଳ ଓ ସୁଦୃଢ଼ କାନ୍ଧରେ ବସାଇ ଗୋଟିଏ କୁଦାରେ ବିଶାଳ ସମୁଦ୍ର ପାର କରି ପ୍ରଭୁ ରାମଚନ୍ଦ୍ରଙ୍କ ପାଖରେ ଆପଣଙ୍କୁ ପହଞ୍ଚାଇ ଦେବି।"
କିନ୍ତୁ ସୀତା ଦେବୀ ତ ସ୍ୱୟଂ ସତୀତ୍ଵର ପ୍ରତିମା ଥିଲେ। ତାଙ୍କୁ ତ ପରପୁରୁଷଙ୍କ ସ୍ପର୍ଶର କଳ୍ପନା ମଧ୍ୟ ଅସହ୍ୟ ଥିଲା। ସେଥିପାଇଁ ସେ ସେଠାରେ ହିଁ ରହିଲେ; କିନ୍ତୁ ସେ ତାଙ୍କ କେଶରୁ ଏକ ମଣି ବାହାର କରି ହନୁମାନଙ୍କୁ ଦେଲେ ଓ ସେହି ମଣିକୁ ନେଇ ହନୁମାନ ପ୍ରଭୁ ରାମଚନ୍ଦ୍ରଙ୍କ ପାଖକୁ ଫେରି ଆସିଲେ।
କ୍ରମଶଃ....
୨୪. ୧. ୧୮

No comments:
Post a Comment