Sunday, 7 January 2018

*ଅବକ୍ଷୟକୁ ପ୍ରତିହତ କରିବା*

ସ୍ୱାଧୀନତା ପୂର୍ବରୁ ଆମର ଅଭିବ୍ୟକ୍ତି ଥିଲା "ଆମେ କରିବା।" ଏବେ ଆମର ଅଭିବ୍ୟକ୍ତି ହୋଇଯାଇଛି "ଆପଣମାନେ କରନ୍ତୁ।"

ଆମର ଥିଲା ହବନ ସଂସ୍କୃତି
ଏବେ ହୋଇଗଲା ଭବନ ସଂସ୍କୃତି

ଆହୁତି ଦେଉଥିବା ହାତ 
ଆହୁତି ନେବାରେ ଲାଗିଛି

ସ୍ୱଦେଶୀ ଓ ସଂଯମିତ ଉପଭୋଗ
ଆମଠାରୁ ଦୂରେଇ ଯାଇଛି।

ସାମାଜିକ, ଆର୍ଥିକ, ସାଂସ୍କୃତିକ, ପାରିବାରିକ ଓ ବ୍ୟକ୍ତିଗତ ସ୍ତରରେ ବିଘଟନ ଓ ଭେଦଭାବ ବଢ଼ିଛି

ବସୁଧା ଏକ କୁଟୁମ୍ବ
ଏହାର ଅର୍ଥ କିଛି ବୁଝା ପଡୁନି

ଆମର ସମ୍ବେଦନାର କ୍ଷେତ୍ର ସଙ୍କୁଚିତ ହୋଇ ଜାତି, ପରିବାର, ନ ହେଲେ ନିଜ ପାଖରେ ଅଟକିଗଲାଣି।

କି ଶିକ୍ଷା ଆମକୁ ମିଳିଛି କେଜାଣି, ଯିଏ ଯେତେ ଅଧିକ ପଢୁଛି ତା ଭିତରେ ଜାତିବାଦ, କ୍ଷେତ୍ରବାଦ ପ୍ରବୃତ୍ତି ସେତିକି ବଢୁଛି। କାରଣ ଏ ଯେତେ ସବୁ ଜାତିବାଦ କିମ୍ବା କ୍ଷେତ୍ରବାଦର ଆନ୍ଦୋଳନ ହେଉଛି ଏହାକୁ କୌଣସି ମୁର୍ଖ କିମ୍ବା ଅପାଠୁଆ ପରିଚାଳନା କରୁନାହାନ୍ତି।

ଏଭଳି ପରିସ୍ଥିତିରେ ସମାଜ ହିତ ଚାହୁଁଥିବା ବିଶେଷକରି ସାହିତ୍ୟିକର ଭୂମିକା କଣ ହେବା ଉଚିତ ?

ଅଳିଆ ସଫା କରିବା ସାହିତ୍ୟର ଧର୍ମ ହେବା ଉଚିତ ନା ସେମାନଙ୍କ ସହ ମିଶି ଅଳିଆ ଜମା କରିବା  ?

ଅବକ୍ଷୟ କାଳରେ ଉଭୟ ଦେଖିବାକୁ ମିଳୁଛି

ନିଜର ପ୍ରତିଭାକୁ ଭ୍ରଷ୍ଟ ରାଜନେତାଙ୍କ ପ୍ରଶସ୍ତିଗାନରେ ଲଗାଇ ଦିଆ ଯାଉଛି।
ଏପରି କରି ଆମେ ଆମର ଅସ୍ତ୍ରକୁ ଧାର ବିହୀନ କରିଦେଉନୁ ତ ?

ଆମର ସାହିତ୍ୟ ଲୋକାଭିମୁଖୀ ହେବା ବଦଳରେ କେବଳ କେତେ ତଥାକଥିତ ବଡ଼ ବଡ଼ିଆଙ୍କ ପ୍ରଶଂସାଗାନରେ ସୀମିତ ରହି ଯାଉନି ତ ?

ଲୋକତାନ୍ତ୍ରିକ ଶାସନ ପଦ୍ଧତି ଆମେ ଆପଣାଇଛନ୍ତି, କିନ୍ତୁ ଆମ ଲେଖାରେ ଆମେ ସାଧାରଣ ଲୋକଙ୍କୁ ଅଲଗା କରିଦେଲୁ। ବହୁଜନ ହିତାୟ ଜାଗାରେ ଆମର ଲେଖା ସବୁ ଅଳ୍ପଜନ ସୁଖାୟ ହୋଇଗଲା।
ଭାଷଣରେ ଆମେ ବହୁଜନ ହିତାୟ କଥା କହୁଛୁ, କିନ୍ତୁ ଆମ ଲେଖାରେ ବହୁଜନଙ୍କ ଦୁଃଖକୁ ଘୋଡ଼େଇ ଦେଲୁ।

ଏଥିପାଇଁ କେବଳ ଏଥିପାଇଁ ସାଧାରଣ ଲୋକ ଆମ ସାହିତ୍ୟକୁ ପଢୁ ନାହିଁ। କାରଣ ସେ ଯେମିତି ଅବହେଳିତ ଶୋଷିତ ବଞ୍ଚିତ ଥିଲା ଆଜି ବି ସେ ସେହିପରି ରହିଛି। ଆମେ ଦିନେ କେହି ତାକୁ ଦେଖିବାକୁ ଗଲୁ ନା ତା କଥା ଚିନ୍ତା କଲୁ ? ଆମର ଏହା ଗୋଟିଏ ସମାଜ। ଗୋଟିଏ ସମାଜ ଅର୍ଥାତ୍ ଏହା ଗୋଟିଏ  ଶରୀର ଭଳି । ମୁନି ଋଷିମାନେ ଏହାକୁ ସହସ୍ର ଶୀର୍ଷା ପୁରୁଷାଃ ବୋଲି ବର୍ଣ୍ଣନା କରିଛନ୍ତି। ଏହି ସମାଜରେ ସେ ବି ଏକ ଅଙ୍ଗ ଅଛି। ତା'ର ସୁଖ ଦୁଃଖରେ ଏ ସମାଜ ଛିଡ଼ା ହୋଇଛି। ଏପରି ବିଶ୍ୱାସ ଏପରି ଲେଖା ପାଇଲେ ସେ କେବଳ ଏପରି ଲେଖାକୁ ପଢ଼ନ୍ତା ନାହିଁ ବରଂ ଗଳାର ହାର କରି ତା'ର ସାହିରେ ଆଉ ଦଶଟି ସାଙ୍ଗଙ୍କୁ ପଢ଼ାନ୍ତା।
କିନ୍ତୁ କାହିଁ ଆମ ସାହିତ୍ୟ ତାର ମନକୁ ଛୁଉଁ ନାହିଁ।

ଆମେ ଆଜି ଏତେ ଚତୁର ହୋଇଯାଇଛୁ
କର୍ପୋରେଟ ଜଗତରୁ ଅର୍ଥ ଉଠାଉଛୁ ଲକ୍ଷେ ବହି ପାଇଁ, କିନ୍ତୁ ଛପାଉଛୁ ଶହେ ।

କୌଣସି ସ୍ଥାନ ଖାଲି ଅର୍ଥାତ୍ ବାୟୁ ବିହୀନ ରୁହେ ନାହିଁ।

ଅନ୍ୟ ସ୍ଥାନର ବାୟୁ ଆସି ସେ ଖାଲି ସ୍ଥାନକୁ ଭରି ଦେଇ ଥାଏ।
ସାହିତ୍ୟ ଜଗତରେ ମଧ୍ୟ ସେହିପରି ଅବସ୍ଥା।
ଭଲ ନ ଥିଲେ ଖରାପ ତା ସ୍ଥାନ ପୂରା କରିବ।

ଜରୁରୀକାଳୀନ ପରିସ୍ଥିତିରେ ଲେଖା ହୋଇ ଆସିଥିବା ସାହିତ୍ୟ ବହିକୁ ଆମର ପରିଷଦମାନେ, ଆମର ଅକାଦେମୀର ମୁଖିଆମାନେ, ଆମର ସମୀକ୍ଷକମାନେ ସାହିତ୍ୟ ହିସାବରେ ଗଣିଲେ ନାହିଁ। କାରଣ ତାହା ସାଧାରଣ ଲୋକଙ୍କର ସ୍ୱର ଥିଲା।

୭. ୧. ୧୮

No comments: