Sunday, 28 January 2018

*ନିର୍ବାସିତ ସୀତା*

ପ୍ରଭୁ ରାମଚନ୍ଦ୍ର ପ୍ରଜାମାନଙ୍କୁ ପୁତ୍ରପରି ପାଳନ କଲେ। ଏହିପରି କିଛି ବର୍ଷ ସେ ସୀତାଦେବୀଙ୍କ ସହ ସୁଖରେ ରହିଲେ। ଏହି ସମୟରେ ପୁଣି ଏକ ଲୋକାପବାଦର ଲହରୀ ସୃଷ୍ଟି ହେଲା। ଗୁପ୍ତଚର ଶ୍ରୀରାମଙ୍କୁ ସୂଚନା ଦେଲା ଯେ, ପ୍ରଜାଗଣ ସୀତାଙ୍କ ପବିତ୍ରତା ଉପରେ ସନ୍ଦେହ କରୁଛନ୍ତି। କାରଣ ସୀତାଙ୍କୁ ଏକ ରାକ୍ଷସ ହରଣ କରି ନେଇଥିଲା ଓ ଦରିଆ ପାରିରେ ଥିବା ତା'ର ନଗରୀରେ ରଖିଥିଲା। ତେଣୁ ଏହି ପ୍ରଜାଗଣ ସୀତାଙ୍କ ଅଗ୍ନି ପରୀକ୍ଷାରେ ସନ୍ତୁଷ୍ଟ ନ ଥିଲେ। ସେମାନେ ଚାହୁଁ ଥିଲେ ସମସ୍ତଙ୍କ ସମ୍ମୁଖରେ ଏକ ନୂଆ ପରୀକ୍ଷା ନିଆଯାଉ ନଚେତ ତାଙ୍କୁ ଦେଶରୁ ନିର୍ବାସିତ କରି ଦିଆଯାଉ।

ଜନତାଙ୍କ ସନ୍ତୋଷ ବିଧାନ ପାଇଁ ଶ୍ରୀରାମ ନିଜ ହୃଦୟକୁ କଠୋର କରି ପ୍ରାଣପ୍ରିୟ ସୀତାଙ୍କୁ ନିର୍ବାସନ ଦଣ୍ଡ ଦେଲେ। ଅଯୋଧ୍ୟାର ମହାରାଣୀ ସୀତା ପରିତ୍ୟକ୍ତା ହୋଇ ନିର୍ଜନ ଅରଣ୍ୟରେ ବିଳପିତ ହେଉଥିବା ବେଳେ ତାଙ୍କ ଉପରେ ମହର୍ଷି ବାଲ୍ମିକୀଙ୍କର ଦୃଷ୍ଟି ପଡ଼ିଲା। ସେ ତାଙ୍କ କରୁଣ କଥା ଶୁଣି ତାଙ୍କୁ ନିଜ ଆଶ୍ରମକୁ ନେଇଗଲେ। ସୀତା ଆସନ୍ନ ପ୍ରସବା ଥିଲେ ଓ କାଳାନ୍ତରରେ ଦୁଇଟି ଯାଆଁଳା ପୁତ୍ରଙ୍କୁ ଜନ୍ମଦେଲେ। ଆଦିକବି ବାଲ୍ମୀକି ସେହି ଦୁଇ ବାଳକଙ୍କୁ ତାଙ୍କର ଯଥାର୍ଥ ପରିଚୟ ଦେଲେ ନାହିଁ। ଉପଯୁକ୍ତ ବୟପ୍ରାପ୍ତ ହେବାପରେ ସେ ତାଙ୍କୁ ବ୍ରହ୍ମଚର୍ଯ୍ୟ ବ୍ରତ ଗ୍ରହଣ କରେଇବା ସହିତ ବିଧି ସମ୍ମତ ଶିକ୍ଷା ଦେବା ଆରମ୍ଭ କରିଦେଲେ।

ଏହି ସମୟରେ ମହର୍ଷି ରାମାୟଣ ମହାକାବ୍ୟ ରଚନା କରିଥିଲେ ଓ ତାକୁ ସ୍ୱର ତାଳ ସହିତ ଏକ ରୂପକ ଭାବେ ପ୍ରସ୍ତୁତ କରୁଥିଲେ।

ଭାରତରେ ନାଟକକୁ ଶିକ୍ଷା ଦେବାର ଏକ ପବିତ୍ର ମାଧ୍ୟମ ବୋଲି ବୁଝାଯାଉଥିଲା। ନାଦ ଓ ସଙ୍ଗୀତର ସାଧନାକୁ ଧର୍ମ ସାଧନା ବୋଲି ଲୋକ ମାନୁଥିଲେ।
ଲୋକଙ୍କ ଧାରଣା ଥିଲା ଯେ, କୌଣସି ବି ଗୀତ ସେ ପ୍ରେମ ସଙ୍ଗୀତ ବା ଇତର ସ୍ତରର ହୋଇଥାଉ, ଯଦି ତାକୁ ତନ୍ମୟତାର ସହ ବୋଲାଯାଏ ତେବେ ତା ଦ୍ୱାରା ଅବଶ୍ୟ ମୁକ୍ତିଲାଭ ହେବ। ଯେଉଁ ଫଳ ନିଷ୍ପତ୍ତି ଧ୍ୟାନ ଦ୍ୱାରା ପ୍ରାପ୍ତ ହୋଇଥାଏ ତାହା ଏହି ସଙ୍ଗୀତ ସାଧନାରୁ ମଧ୍ୟ ପ୍ରାପ୍ତ ହୋଇପାରିବ।

ମହର୍ଷି ବାଲ୍ମୀକି ତାଙ୍କ ରଚିତ ଏହି ରୂପକକୁ ରାମଙ୍କ ଦୁଇ ପୁତ୍ରଙ୍କୁ ସ୍ୱର, ତାଳ ଓ ଲୟ ପୂର୍ବକ ଗାଇବା ଶିଖାଇଲେ ଓ ତାଙ୍କ ଦ୍ଵାରା ସେହି ରୂପକର ଅଭିନୟ ମଧ୍ୟ କରାଇଲେ।

କ୍ରମଶଃ...

୨୮. ୧. ୧୮

No comments: