Thursday, 18 January 2018

*ରାମାୟଣ*

ଏବେ ସ୍ୱାମୀଜୀ ରାମାୟଣ କଥା ଆରମ୍ଭ କଲେ..

ଭାରତବର୍ଷରେ ଅଯୋଧ୍ୟା ନାମରେ ଏକ ସୁନ୍ଦର ନଗରୀ ଥିଲା, ଯାହା ଆଜି ମଧ୍ୟ ବିଦ୍ୟମାନ । ଭାରତ ମାନଚିତ୍ରରେ ଆପଣମାନେ ଦେଖିଥିବେ, ଯେଉଁ ପ୍ରାନ୍ତରେ ଏଇ ନଗରୀର ସ୍ଥାନ ନିର୍ଦ୍ଦେଶ କରାଯାଇଛି, ତାହାକୁ ଆଜି ମଧ୍ୟ ଅବଧ କୁହାଯାଉଛି। ତାହା ପ୍ରାଚୀନ ଅଯୋଧ୍ୟା ଥିଲା। ସେଠାରେ ପୁରାତନ କାଳରେ ରାଜା ଦଶରଥ ରାଜ୍ୟ ଶାସନ କରୁଥିଲେ। ତାଙ୍କର ଅନ୍ତଃପୁର ତିନି ରାଣୀରେ ସୁଶୋଭିତ ଥିଲା, କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କର ପୁତ୍ର ମୁଖ ଦର୍ଶନ କରିବାର ସୌଭାଗ୍ୟ ଜୁଟି ନ ଥିଲା। ଏଥିପାଇଁ ଧର୍ମପରାୟଣ ହିନ୍ଦୁଙ୍କ ଭଳି ରାଜା ନିଜର ତିନି ରାଣୀଙ୍କ ସହ ପୁତ୍ରଲାଭ ପାଇଁ ବ୍ରତୋପାସନା ଓ ଦେବ ଆରାଧନା କରି ଦିନ ବିତାଉ ଥିଲେ। କାଳାନ୍ତରରେ ରାଜାଙ୍କୁ ଚାରିଟି ପୁତ୍ର ରତ୍ନ ପ୍ରାପ୍ତ ହେଲା। ତାଙ୍କ ମଧ୍ୟରୁ ସବୁଠୁ ବଡ଼ ଥିଲେ ରାମ। ଚାରିଜଣଯାକ ରାଜକୁମାର ଅତ୍ୟନ୍ତ ବୁଦ୍ଧିମାନ ଥିଲେ। ସେମାନେ ବହୁତ ଶୀଘ୍ର ସବୁ ବିଦ୍ୟାରେ ପ୍ରବୀଣ ହୋଇଯାଉଥିଲେ।

ସେହି ସମୟରେ ଜନକ ନାମରେ ଆଉ ଜଣେ ରାଜା ଥିଲେ। ତାଙ୍କର ସୀତା ନାମରେ ଏକ ଅନିନ୍ଦ୍ୟ ସୁନ୍ଦରୀ କନ୍ୟା ଥିଲା। ସୀତା ଏକ କ୍ଷେତରୁ ପ୍ରାପ୍ତ ହୋଇଥିଲା। ସେ ସର୍ବସହା ପୃଥିବୀ ମାତାର ପୁତ୍ରୀ ଥିଲା। ତାଙ୍କର ଜନ୍ମଦାତା କେହି ନ ଥିଲେ। ପ୍ରାଚୀନ ସଂସ୍କୃତରେ "ସୀତା" ଶବ୍ଦର ଅର୍ଥ ହେଲା - ହଳ ହୋଇଥିବା କ୍ଷେତ। ଭାରତର ପ୍ରାଚୀନ ପୁରାଣ ମାନଙ୍କରେ ଏଇଭଳି ଅଲୌକିକ ଜନ୍ମର ଅନେକ ପ୍ରସଙ୍ଗ ମିଳେ। ପୁରାଣରେ ସର୍ବତ୍ର ଏପରି ବ୍ୟକ୍ତିଙ୍କ ବିଷୟରେ ଵର୍ଣ୍ଣନ ହୋଇଥାଏ ଯାହାଙ୍କ ଜନ୍ମ କେବଳ ପିତାଙ୍କଠାରୁ, ନ ହେଲେ କେବଳ ମାତାଙ୍କ ଠାରୁ, ନ ହେଲେ ଏମିତି ବି ବ୍ୟକ୍ତି ମିଳନ୍ତି ଯାହାଙ୍କର ପିତା ମାତା ଉଭୟ ନ ଥାନ୍ତି, ଯାହାଙ୍କ ଜନ୍ମ ମଖାଗ୍ନି କିମ୍ବା ହଳ କ୍ଷେତରୁ ହୋଇଥାଏ ସତେ ଯେପରି ଏହି ଵ୍ୟକ୍ତି ଆକାଶଗାମୀ ବାଦଲରୁ ଖସି ପୃଥିବୀରେ ଆବିର୍ଭାଵ ହୋଇଯାଇଥାନ୍ତି।

ସୀତା ପୃଥିବୀର ପୁତ୍ରୀ ଥିଲେ । ଅତଏବ ସେ ନିଷ୍କଳଙ୍କ ଓ ଶୁଦ୍ଧ ଥିଲେ। ରାଜା ଜନକ ତାଙ୍କର ଲାଳନ-ପାଳନ କଲେ। ଯେତେବେଳେ ସୀତା ଦେବୀ ବଡ଼ ହୋଇଗଲେ  ରାଜା ତାଙ୍କ ପାଇଁ ସୁଯୋଗ୍ୟ ବର ଖୋଜିଲେ।
କ୍ରମଶଃ..

୧୮. ୧. ୧୮

No comments: