ଭାରତର ପ୍ରାଚୀନ ରାଜାମାନେ ଅଶ୍ୱମେଧ ଆଦି ବଡ଼ ବଡ଼ ଯଜ୍ଞ କରୁଥିଲେ। ପ୍ରଭୁରାମଚନ୍ଦ୍ର ମଧ୍ୟ ସେହି ଅନୁସାରେ ଅଶ୍ୱମେଧ ଯଜ୍ଞ କରିବାପାଇଁ ସଙ୍କଳ୍ପ କଲେ। କିନ୍ତୁ ଭାରତରେ କୌଣସି ଗୃହସ୍ଥଙ୍କୁ ପତ୍ନୀ ବିନା କୌଣସି ଧର୍ମାନୁଷ୍ଠାନ କରିବାର ଅଧିକାର ନାହିଁ। ପତ୍ନୀକୁ ଭାରତରେ ସହଧର୍ମିଣୀର ଗୌରବ ପ୍ରାପ୍ତ ହୋଇଛି। ଗୃହସ୍ଥଙ୍କୁ ଶହ ଶହ ଧର୍ମାନୁଷ୍ଠାନ କରିବାକୁ ହୋଇଥାଏ, କିନ୍ତୁ ଯେପର୍ଯ୍ୟନ୍ତ ତାଙ୍କ ସହଧର୍ମିଣୀ ତାଙ୍କ ସହ ବସି ତାଙ୍କୁ ସହଯୋଗ ନ ଦିଏ ସେ ପର୍ଯ୍ୟନ୍ତ ସେ ଅନୁଷ୍ଠାନକୁ ବିଧିପୂର୍ବକ ଅନୁଷ୍ଠାନ କୁହାଯାଏ ନାହିଁ।
ସୀତାଙ୍କୁ ନିର୍ବାସନ ଦଣ୍ଡ ଦିଆଯାଇଥିଲା। ଏଥିପାଇଁ ଲୋକମାନେ ଶ୍ରୀରାମଙ୍କୁ ଆଉ ଥରେ ବିବାହ କରିବା ପାଇଁ ପ୍ରାର୍ଥନା କଲେ। କିନ୍ତୁ ପ୍ରଭୁ ଶ୍ରୀରାମ ତ ପୁରୁଷୋତ୍ତମ ଥିଲେ। ଏକପତ୍ନୀ ବ୍ରତଧାରୀ ଥିଲେ। ଏହି ସମୟରେ ସେ ଜୀବନରେ ପ୍ରଥମ ଥର ଜନମତ ବିରୋଧରେ ଛିଡ଼ା ହେଲେ। ସେ କହିଲେ, "ଏହା ଅସମ୍ଭବ। ମୋ ଜୀବନ ତ ସୀତାଙ୍କ ପାଇଁ ସମର୍ପିତ ହୋଇ ସାରିଛି।" ଏଥିପାଇଁ ଶାସ୍ତ୍ର-ବିଧିର ଆଦର ଅତୁଟ ରଖିବା ପାଇଁ ସେ ସୀତାଙ୍କ ସ୍ଥାନରେ ତାଙ୍କର ପ୍ରତିନିଧିସ୍ୱରୂପ ଏକ ସ୍ୱର୍ଣ୍ଣ ପ୍ରତିମା ଆସୀନ କରିଦେଲେ। ଏହି ମହୋତ୍ସବରେ ଜନତାଙ୍କ ମଧ୍ୟରେ ଧର୍ମଭାବ ଏବଂ ଆନନ୍ଦବର୍ଦ୍ଧନ ପାଇଁ ନାଟକ ଓ ସଙ୍ଗୀତ ଆଦିର ଆୟୋଜନ କରାଗଲା। ରାମଙ୍କ ଦୁଇ ଅଜ୍ଞାତ ପୁତ୍ର ଲବ ଓ କୁଶଙ୍କୁ ସାଙ୍ଗରେ ନେଇ ମହାକବି ମହର୍ଷି ବାଲ୍ମୀକି ମଧ୍ୟ ଏଇ ଅବସରରେ ସେଠାକୁ ଆସିଥିଲେ। ସଭାସ୍ଥଳରେ ଏକ ରଙ୍ଗମଞ୍ଚ ଶୀଘ୍ର ତିଆରି କରିଦିଆଗଲା। ତା ଛଡ଼ା ଅନ୍ୟ ଆବଶ୍ୟକୀୟ ଆୟୋଜନ ମଧ୍ୟ ପୂର୍ଣ୍ଣ କରାଗଲା। ସଭାମଣ୍ଡପରେ ଶ୍ରୀରାମ ଓ ତାଙ୍କ ଭ୍ରାତୃଗଣ, ଆତ୍ମୀୟଵର୍ଗ ତଥା ଅଯୋଧ୍ୟାର ସମ୍ପୂର୍ଣ୍ଣ ଜନତା ଉପସ୍ଥିତ ଥିଲେ। ବାଲ୍ମୀକିଙ୍କ ନିର୍ଦ୍ଦେଶରେ ଲବ ଓ କୁଶ ମଧୁର ସ୍ୱରରେ ରାମାୟଣ ଗାଇଲେ ଓ ଅଭିନୟ କଲେ। ସାରା ଜନତା ତାଙ୍କ ମଧୁର ବାଣୀ ଓ ସୁନ୍ଦର ରୂପ ଦେଖି ମୁଗ୍ଧ ହୋଇଗଲେ। ଶ୍ରୀରାମ ଶୋକୋନ୍ମତ ହୋଇ ଯାଉଥିଲେ। ଯେତେବେଳେ ବୈଦେହୀଙ୍କ ବନବାସ ପ୍ରସଙ୍ଗ ଆସିଲା ସେତେବେଳେ ସେ ବିହ୍ଵଳ ତଥା କିଂକର୍ତ୍ତବ୍ୟବିମୂଢ଼ ହୋଇ ଛିଡ଼ା ହେଲେ। ସେହି ସମୟରେ ମହର୍ଷି ବାଲ୍ମୀକି ତାଙ୍କୁ କହିଲେ, "ହେ ରାଜନ ! ଶୋକ କର ନାହିଁ, ମୁଁ ଏହି କ୍ଷଣରେ ସୀତା ଦେବୀଙ୍କୁ ଆପଣଙ୍କ ସମ୍ମୁଖରେ ଉପସ୍ଥିତ କରାଇ ଦେଉଛି।" ସେତେବେଳେ ସୀତାଙ୍କୁ ସଭାମଞ୍ଚକୁ ଅଣାଗଲା। ଶ୍ରୀରାମ ନିଜର ପରିତ୍ୟକ୍ତା ପତ୍ନୀକୁ ପାଇ ଅତ୍ୟନ୍ତ ହର୍ଷିତ ହୋଇଥିଲେ। କିନ୍ତୁ ଏତିକିବେଳେ ସେହି ପୁରୁଣା ପ୍ରସଙ୍ଗ ପୁଣିଥରେ ଜନତାଙ୍କ ଭିତରେ ଉଙ୍କିମାରିଲା। ପୁଣି ଥରେ ଅସନ୍ତୋଷର ସ୍ୱର ଶୁଭିଲା। ପରୀକ୍ଷା ପରୀକ୍ଷାର ସ୍ୱର ଚତୁର୍ଦିଗରୁ ଆସିଲା। ଦରିଦ୍ର ସୀତା ବାରମ୍ବାର ହେଉଥିବା ନିଜର ଶୁଦ୍ଧତାର ପରୀକ୍ଷା ତଥା ଏଭଳି କଠୋର ଓ ଅପମାନପୂର୍ଣ୍ଣ ସନ୍ଦେହ ଦ୍ୱାରା ଏତେ ଆହତ ଓ କାତର ହୋଇଯାଇଥିଲେ ଯେ ଏବେ ଏହା ତାଙ୍କ ପାଇଁ ଅସହ୍ୟ ହୋଇ ଉଠିଲା। ଏବେ ସେ ନିଜର ପଵିତ୍ରତାର ପ୍ରମାଣ ଦେବାପାଇଁ କାତର ସ୍ୱରରେ ଦେବଗଣଙ୍କୁ ପ୍ରାର୍ଥନା କଲେ। ଏହି ସମୟରେ ପୃଥିବୀ ଦୁଇ ଭାଗ ହୋଇଗଲା। ଦେବୀ ସୀତା ଉଚ୍ଚ ସ୍ୱରରେ କହିଲେ, "ନିଅ ମୋ ପରୀକ୍ଷା" - ଏତିକି କହି ସେହି ପୃଥିବୀ-ତନୟା ସୀତା ସବୁଦିନ ପାଇଁ ନିଜ ଜନନୀ କୋଳରେ ଶୋଇ ପଡ଼ିଲେ। ଏ ଦୃଶ୍ୟ ଦେଖି ଲୋକେ ଦୁଃଖରେ ଅବସନ୍ନ ହେଲେ ଓ ରାମ ଚନ୍ଦ୍ର ଶୋକରେ ମ୍ରିୟମାଣ ହୋଇଗଲେ।
ସୀତାଙ୍କ ଅନ୍ତର୍ଦ୍ଧାନର କିଛିଦିନ ପରେ ଦେବତାମାନଙ୍କର ଏକ ଦୂତ ରାମଙ୍କ ପାଖକୁ ଆସି କହିଲେ, " ପ୍ରଭୁ ! ପୃଥିବୀରେ ଆପଣଙ୍କର କାର୍ଯ୍ୟ ଏବେ ସମାପ୍ତ ହୋଇଛି। ଏଥିପାଇଁ ଆପଣ ନିଜ ଧାମ ବୈକୁଣ୍ଠକୁ ଚାଲନ୍ତୁ।" ଏହା ଶୁଣି ରାମଙ୍କର ନିଜ-ସ୍ୱରୂପର ସ୍ମୃତି ଜାଗ୍ରତ ହେଲା। ଅଯୋଧ୍ୟା ନିକଟରେ କୁଳୁକୁଳୁ ନାଦରେ ବହି ଯାଉଥିବା ସରଜୁ ଜଳରେ ଦେହ ବିସର୍ଜନ କରି ରାମ ବୈକୁଣ୍ଠରେ ଯାଇ ସୀତାଙ୍କ ସହ ମିଶିଲେ।
କ୍ରମଶଃ....
୨୯. ୧. ୧୮

No comments:
Post a Comment