ଦେଶ ବିଭାଜନ ପୂର୍ବରୁ ସଙ୍ଘ କାର୍ଯ୍ୟ ଜମ୍ମୁ କାଶ୍ମୀର ପ୍ରଦେଶରେ ମଧ୍ୟ ପହଞ୍ଚି ଯାଇଥିଲା। ତେଣୁ ପ୍ରାରମ୍ଭରୁ ସଙ୍ଘ ଉଦ୍ୟମ କରିଆସିଥିଲା ଏହି ପ୍ରଦେଶର ବିଲୟ ଭାରତ ସହିତ ହେବା ପାଇଁ। ସେତେବେଳେ ସଙ୍ଘର ଧ୍ୟାନରେ ଆସିଲା ଯେ ମହାରାଜାଙ୍କ ପ୍ରଧାନମନ୍ତ୍ରୀ ରାମଚନ୍ଦ୍ର କାକ ଏହି ପ୍ରାନ୍ତକୁ ଅଲଗା ରଖିବାକୁ ସବୁ ଯୋଜନା କରିସାରିଛନ୍ତି। ତେଣୁ ତାଙ୍କ ବିରୋଧରେ ବା ଏଇ ଅଲଗା ରହିବା ପ୍ରସ୍ତାବ ବିରୋଧରେ ସ୍ଥାନେ ସ୍ଥାନେ ସଭା, ଶୋଭାଯାତ୍ରା କରି ସଙ୍ଘ ମହାରାଜାଙ୍କୁ ଭେଟିବା ପାଇଁ ପ୍ରତିନିଧି ମଣ୍ଡଳ ପଠାଇଲା। ପ୍ରତିନିଧି ମଣ୍ଡଳ ରାଜାଙ୍କୁ ଭେଟି ତାଙ୍କ ସମ୍ମୁଖରେ କାକ କରିଥିବା ଷଡ଼ଯନ୍ତ୍ରର ପ୍ରମାଣ ସହ ଉପସ୍ଥାପନ କରିଥିଲା। ଫଳତଃ କାକକୁ ମହାରାଜା ପଦଚ୍ୟୁତ କଲେ ଓ ବିଲୟ ପାଇଁ ମନ ତିଆରି କଲେ। ସଙ୍ଘ ବିଲୟ ସପକ୍ଷରେ ବ୍ୟାପକ ଦସ୍ତଖତ ଅଭିଜାନ, ଜନ ଜାଗରଣ ଆଦି ନାନା ପ୍ରକାର ଚେଷ୍ଟା ଚଳାଇଥିଲା। ଜମ୍ମୁର ସଙ୍ଘଚାଳକ ପ. ପ୍ରେମନାଥ ଡୋଗରାଙ୍କ ନେତୃତ୍ୱରେ ଦସ୍ତଖତ ଯୁକ୍ତ ଜ୍ଞାପନ ପତ୍ର ମହାରାଜାଙ୍କୁ ଦିଆ ଯାଇଥିଲା ଓ ଜମ୍ମୁ ଜନତାଙ୍କର ଇଚ୍ଛା ଭାରତରେ ମିଶିବା ସପକ୍ଷରେ ବୋଲି କୁହାଯାଇଥିଲା। ଭୟର କୌଣସି କାରଣ ନାହିଁ ବୋଲି ରାଜାଙ୍କୁ ବୁଝା ଯାଇଥିଲା।
ରାୟ ବାହାଦୂର ବଦ୍ରିଦାସ ପଞ୍ଜାବ ପ୍ରାନ୍ତର ସଙ୍ଘଚାଳକ ଥିଲେ। ସେ ଜଣେ ଖ୍ୟାତନାମା ଓକିଲ ଥିଲେ। ତାଙ୍କୁ ରାଜା ବହୁତ ସମ୍ମାନ ଦେଉଥିଲେ। କାରଣ ସେ ରାଜାଙ୍କର ଅନେକ ମକଦ୍ଦମା ଲଢ଼ିଥିଲେ। ସେ ମଧ୍ୟ ସେପ୍ଟେମ୍ବର ମାସରେ ରାଜାଙ୍କୁ ଭେଟି ଭାରତରେ ବିଲୟ ପାଇଁ ରାଜାଙ୍କ ମନ ତିଆରି କରିଥିଲେ।
ଉତ୍ତର ପ୍ରଦେଶର ସଙ୍ଘଚାଳକ ବାରିଷ୍ଟର ନରେନ୍ଦ୍ରଜିତ ସିଂହଙ୍କ ଶ୍ୱଶୁର ଘର ଲୋକ ରାଜାଙ୍କ ପ୍ରମୁଖ ଦିୱାନ ଥିଲେ। ତେଣୁ ସେ ବି ମହାରାଜାଙ୍କୁ ଭେଟିଥିଲେ।
ଏହି ସବୁ କାର୍ଯ୍ୟ ସଙ୍ଘର ତତ୍କାଳୀନ ସରସଙ୍ଘଚାଳକ
ପୂଜ୍ୟ ଶ୍ରୀଗୁରୁଜୀଙ୍କ ନିର୍ଦ୍ଦେଶରେ ହେଉଥିଲା।
ପ୍ରଫେସର ବଲରାଜ ମାଧକ ମଧ୍ୟ ସମାନ ଚେଷ୍ଟା କରିଥିଲେ। ଲାଭ କ୍ଷତିର ଆକଳନ ଓ ପରିଣାମ କଣ ସବୁ ହେବ ବିଭିନ୍ନ ଉପାୟରେ ବିଭିନ୍ନ ମାଧ୍ୟମରେ ମହାରାଜଙ୍କୁ ବୁଝା ଯାଇଥିଲା। ପାକିସ୍ତାନ କେଉଁପଟେ କେତେବେଳେ ଆକ୍ରମଣ କରୁଛି ଓ ତାଙ୍କୁ ଏଠିକାର ମୁସଲମାନ ସମାଜ କିପରି ସମର୍ଥନ କରୁଛି ଏ ସବୁ ତଥ୍ୟ ପ୍ରମାଣ ସହ ରାଜାଙ୍କୁ ଦିଆଯାଉଥିଲା।
ପ୍ରକୃତରେ ରାଜାଙ୍କର ଇଚ୍ଛା ଥିଲା ଭାରତରେ ମିଶିବା, କିନ୍ତୁ ତାଙ୍କ ପ୍ରଧାନମନ୍ତ୍ରୀ କାକ୍ ଲର୍ଡ଼ ମାଉଣ୍ଟବେଟେନଙ୍କ କଥାରେ ପଡ଼ି ଅଲଗା ରହିବା ସବୁଠୁ ଭଲ ବୋଲି ରାଜାଙ୍କୁ ପୂରାପୂରି ପ୍ରସ୍ତୁତ କରାଇଥିଲେ। ଭାରତରେ ମିଶିଲେ କେଉଁପ୍ରକାର ବିପତ୍ତି ଆସିବ ତାହା ସେମାନେ ରାଜାଙ୍କୁ ବୁଝାଇ ଥିଲେ । ତେଣୁ ରାଜା ବିଚଳିତ ଥିଲେ।
ପୂର୍ବ ଶତ୍ରୁତା
ଶେଖ ଅବ୍ଦୁଲ୍ଲା ଓ ଜବାହରଲାଲ ନେହେରୁ ରାଜାଙ୍କର ପରମ ଶତ୍ରୁ ଥିଲେ। ନେହେରୁ ଚାହୁଁ ଥିଲେ କାଶ୍ମୀରର ନେତୃତ୍ୱ ଶେଖ ହାତରେ ରହୁ। ୧୯୪୬ ରେ ରାଜା ନେହେରୁଙ୍କୁ କାଶ୍ମୀରରେ ପ୍ରବେଶ କରେଇଦେଇ ନ ଥିଲେ। ୧୦ ମେ ୧୯୪୬ରେ ଶେଖ ଅବ୍ଦୁଲ୍ଲା ହରି ସିଂହଙ୍କ ବିରୋଧରେ କାଶ୍ମୀର ଛୋଡୋ ଆନ୍ଦୋଳନ କରିଥିଲେ। ୨୦ ମେ ୧୯୪୬ ରେ ରାଜା ଅବ୍ଦୁଲ୍ଲାକୁ ବନ୍ଦୀ କରିଥିଲେ। ଏଥିରେ ବିଚଳିତ ହୋଇ ନେହେରୁ ରାଜାଙ୍କୁ ଚିଠି ଲେଖିଲେ ଅବ୍ଦୁଲ୍ଲାକୁ ତୁରନ୍ତ ଛାଡ଼ିଦେବା ପାଇଁ। ଚିଠିରେ ସନ୍ତୁଷ୍ଟ ନ ହୋଇ ସେ ତୁରନ୍ତ ଶ୍ରୀନଗର ଚାଲିଗଲେ ଅବ୍ଦୁଲ୍ଲାକୁ ସମର୍ଥନ କରିବା ପାଇଁ । କଂଗ୍ରସର ନେତାମାନେ ତାଙ୍କୁ ନ ଯିବା ପାଇଁ ପ୍ରବର୍ତ୍ତାଇ ଥିଲେ। ମହାରାଜା ନେହେରୁଙ୍କୁ କହିଥିଲେ ଶେଖ ଅବ୍ଦୁଲ୍ଲା ମାଉଣ୍ଟ ବେଟେନଙ୍କ ଇଙ୍ଗିତରେ ଏତେ ସାହସ କରୁଛି ଆପଣ ଆସନ୍ତୁ ନାହିଁ। ନା କଂଗ୍ରେସ, ନା ମହାରାଜା କାହାରି ପ୍ରଭାବ ନେହେରୁଙ୍କ ଉପରେ ପଡ଼ିଲା ନାହିଁ । ଅବ୍ଦୁଲ୍ଲା ଭକ୍ତି ତାଙ୍କୁ ଟାଣି ନେଲା କାଶ୍ମୀର। ରାଜାଙ୍କ ଦ୍ଵାରା ସେ କାଶ୍ମୀରରେ ବନ୍ଦୀ ହେଲେ। ଏହି କ୍ରୋଧ ମଧ୍ୟ କାଶ୍ମୀର ବିଲୟର ବଡ଼ ବାଧକ ଥିଲା।
କ୍ରୋଧ କେତେ ମାତ୍ରାରେ ଥିଲା ?
ସଙ୍ଘର ମାନ୍ୟବର ଅଧିକାରୀ ଓ ସାଧାରଣ ସ୍ୱୟଂସେବକ ମାନଙ୍କର କ୍ରମବଦ୍ଧ ଚେଷ୍ଟା ସବୁ ପରିଣାମକାରକ ହେଲା। ରାଜାଙ୍କ ହୃଦୟ ପରିବର୍ତ୍ତନ ହେଲା । ରାଜା ସବୁ ପଛ କଥା ଭୁଲି ବିଲୟ ପାଇଁ ଖାଲି ମନ ତିଆରି କଲେ ନାହିଁ, ଅଧିକନ୍ତୁ ସେ ତାଙ୍କ ଦୂତ ଭାବରେ ହରନାମ ସିଂହ ପଠାନିୟାଙ୍କୁ ବିଲୟ ପତ୍ର ଦେଇ ଦିଲ୍ଲୀ ପଠାଇଥିଲେ। ନେହେରୁ ହରନାମ ସିଂହଙ୍କ ମୁହଁ ଚାହିଁଲେ ନାହିଁ । ବିଲୟ ପ୍ରସ୍ତାବକୁ ଅନାବଶ୍ୟକ ବୋଲି କହିଲେ।
ମହାରାଜା ପୁଣି ଥରେ ଶେଷ ଚେଷ୍ଟା କଲେ । ପୁଣି ସେହି ହରନାମ ସିଂହଙ୍କୁ ଦିଲ୍ଲୀ ପଠାଇଲେ। ସେ ଅକ୍ଟୋବର ୧୦ ରୁ ୧୩ ଯାଏ ଦିଲ୍ଲୀରେ ରହିଲେ। ପରିଣାମ କିଛି ହେଲା ନାହିଁ।
ଏହି ସବୁ କାରଣରୁ ମହାରାଜା ଆଉ ବିଲୟ ପ୍ରକ୍ରିୟା ପାଇଁ ଆଗ୍ରହୀ ହେଲେ ନାହିଁ।
ଶେଷରେ ସଙ୍ଘ ଯୋଜନା ଅନୁସାରେ ଶ୍ରୀଗୁରୁଜୀ ବିମାନ ଯୋଗେ ଯାଇ ୧୭ ଅକ୍ଟୋବର ୧୯୪୭ ରେ ଶ୍ରୀନଗରରେ ପହଞ୍ଚିଲେ। ସଙ୍ଘ ଯୋଜନା ଅନୁସାରେ ବାରିଷ୍ଟର ନରେନ୍ଦ୍ରଜିତ ସିଂହଙ୍କ ଶ୍ୱଶୁର ଘରେ ତାଙ୍କର ନିବାସ ବ୍ୟବସ୍ଥା କରାଯାଇଥିଲା। ବାରିଷ୍ଟର ସାହେବ ମଧ୍ୟ ଶ୍ରୀଗୁରୁଜୀଙ୍କ ସାଙ୍ଗରେ ଥିଲେ। ଏହା ଛଡ଼ା ଦିଲ୍ଲୀ ପ୍ରାନ୍ତ ପ୍ରଚାରକ ବସନ୍ତରାଓ ଓକ୍ , ପଞ୍ଜାବ ପ୍ରାନ୍ତ ପ୍ରଚାରକ ମାଧବରାଓ ମୂଳେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।
ଶ୍ରୀଗୁରୁଜୀଙ୍କ ସୁରକ୍ଷା ଦାୟିତ୍ବରେ ଥିଲେ ହରିଶ ଭନୋଟ। ସେ ଜଳନ୍ଧରର ପ୍ରଚାରକ ଥିଲେ। ୨୬ ସେପ୍ଟେମ୍ବରରେ ତାଙ୍କୁ ନିର୍ଦ୍ଦେଶ ଥିଲା ଶ୍ରୀନଗର ଯାଇ ଗୁରୁଜୀଙ୍କ ବ୍ୟବସ୍ଥା କଥା ବୁଝିବା ପାଇଁ। ଜମ୍ମୁ କାଶ୍ମୀରର ବିଭାଗ ପ୍ରଚାରକ ଜଗଦୀଶ ଅବ୍ରୋଲ ମଧ୍ୟ ପହଞ୍ଚି ଯାଇଥିଲେ।
ଦ୍ଵିତୀୟ ଦିନ ଅର୍ଥାତ ୧୮ ଅକ୍ଟୋବରକୁ ଶ୍ରୀଗୁରୁଜୀ କାରରେ ଯାଇ ମହାରାଜଙ୍କ ନିବାସ "କର୍ଣ ମହଲ"ରେ ପହଞ୍ଚିଲେ। ମହାରାଜା ଓ ମହାରାଣୀ ଉଭୟଙ୍କର ଶ୍ରୀଗୁରୁଜୀଙ୍କ ପ୍ରତି ଅପାର ଶ୍ରଦ୍ଧା ଥିଲା। ପୂର୍ବର ଘଟଣା କ୍ରମ ଓ ପ୍ରତିଦିନ ଚାଲିଥିବା ଯୁଦ୍ଧରେ ସ୍ୱୟଂସେବକ ମାନଙ୍କର କାର୍ଯ୍ୟ ଶୁଣି ଶୁଣି ତାଙ୍କର ଭରସା ହୋଇଯାଇଥିଲା ଯେ ସଙ୍କଟ କାଳରେ ସ୍ୱୟଂସେବକମାନେ ରାଜ୍ୟ ରକ୍ଷାରେ ସହଯୋଗୀ ହୋଇପାରିବେ। ଏଥିପାଇଁ ମହାରାଜା ହରିସିଂହ ଓ ମହାରାଣୀ ତାରା ଉଭୟ ଶ୍ରୀଗୁରୁଜୀଙ୍କୁ ସ୍ୱାଗତ କରିବା ପାଇଁ ଦୁଆର ମୁହଁରେ ଅପେକ୍ଷା କରିଥିଲେ। ମହାରାଜା ଶ୍ରୀଗୁରୁଜୀଙ୍କ ଚରଣ ସ୍ପର୍ଶ କରିବାକୁ ହାତ ତଳକୁ କରିବା ମାତ୍ରେ ଶ୍ରୀଗୁରୁଜୀ ତୁରନ୍ତ ତାଙ୍କ ହାତ ଧରି ପକାଇଲେ।
ସାଢ଼େ ଦଶଟା ବେଳେ ଚର୍ଚ୍ଚା ଆରମ୍ଭ ହେଲା। ଏହି ସମୟରେ ମହାରାଜା ଓ ଗୁରୁଜୀଙ୍କ ବ୍ୟତୀତ ସେଠାରେ ଆଉ କେହି ଉପସ୍ଥିତ ନ ଥିଲେ।
ତେଣୁ କଣ ଚର୍ଚ୍ଚା ହେଲା ତାହା ଉପଲବ୍ଧ ନାହିଁ।
ଚର୍ଚ୍ଚାର ପରିଣାମ ଜଣାପଡ଼େ ଚର୍ଚ୍ଚା ସରିବା ବେଳେ ଚର୍ଚ୍ଚାରେ ଭାଗନେଇଥିବା ପ୍ରତିଭାଗୀଙ୍କ ମନୋଦଶାରୁ ଓ ପରବର୍ତ୍ତୀ ପରିଣାମରୁ।
ଏ ଉଭୟ ମାପରେ ଶ୍ରୀଗୁରୁଜୀ ସିଦ୍ଧି ପ୍ରାପ୍ତ କରିଥିଲେ।
କାରଣ ଶ୍ରୀଗୁରୁଜୀଙ୍କୁ ବିଦାୟ ଦେବା ବେଳେ ରାଜା କହିଲେ ଆପଣଙ୍କ ପ୍ରସ୍ତାବ ଉପରେ ଅବଶ୍ୟ ବିଚାର କରିବି ଏବଂ ସେ ଶ୍ରୀଗୁରୁଜୀଙ୍କୁ ଦୁଇଟି ବହୁମୂଲ୍ୟ କାଶ୍ମୀର ସାଲ ଉପହାର ଦେଇଥିଲେ। ବିଦାୟ ନେବା ସମୟରେ ଶ୍ରୀଗୁରୁଜୀ ରାଜାଙ୍କୁ କହିଲେ, "ଯୁବରାଜଙ୍କୁ ଜମ୍ମୁ ପଠାଇ ଦିଅନ୍ତୁ ଓ ଆପଣ ଏଠି ରୁହନ୍ତୁ ଏହା ଦ୍ୱାରା ଜନତାଙ୍କର ମନୋବଳ ବଢ଼ିବ । ଏଠାରେ ସ୍ୱୟଂସେବକମାନେ ଆପଣଙ୍କ ସୁରକ୍ଷାର ବ୍ୟବସ୍ଥା କରିବେ। ପରଦିନ ୧୯ ତାରିଖରେ ଫେରିବା ସମୟରେ ସେ ସଙ୍ଘ ଅଧିକାରୀ ମାନଙ୍କୁ କହିଲେ ଯେ, ମହାରାଜାଙ୍କ ସହ ଅତୁଟ ସମ୍ପର୍କ ରଖ। ତାଙ୍କୁ ସବୁପ୍ରକାର ସହଯୋଗ କର ଯଦ୍ୱାରା ସେ ନିଜକୁ କେବେ ଏକୁଟିଆ ଅନୁଭବ କରିବେ ନାହିଁ। ସେ କହିଲେ ଚର୍ଚ୍ଚା ସୁଖଦ ଥିଲା। ମୋତେ ଆଶାର କିରଣ ଦେଖାଯାଉଛି।
ଚର୍ଚ୍ଚା ପରେ ସେହି ଦିନ ୧୮ ଅକ୍ଟୋବରରେ ଲାଲଚୌକ ପାଖ ମଙ୍ଗଳାବାଗ ସ୍ଥିତ ଡିଏଭି କଲେଜ ପଡ଼ିଆରେ ପୂର୍ବ ଯୋଜନା ଅନୁସାରେ ପ୍ରମୁଖ ସ୍ୱୟଂସେବକ ମାନଙ୍କର ଏକତ୍ରିକରଣ ହେଲା। ସଂଖ୍ୟା ୫୦୦ ଥିଲା। ନଗରର ପ୍ରମୁଖ ନାଗରିକ ବି ଉପସ୍ଥିତ ଥିଲେ। ସେଠି ଶ୍ରୀଗୁରୁଜୀଙ୍କର ବୌଦ୍ଧିକ ହେଲା। କିନ୍ତୁ ଚର୍ଚ୍ଚା କଣ ହୋଇଥିଲା ସେ ବୌଦ୍ଧିକରେ ଶ୍ରୀଗୁରୁଜୀ କିଛି କହି ନ ଥିଲେ।
ଶ୍ରୀଗୁରୁଜୀ ଶ୍ରୀନଗରରୁ ଫେରି ଦିଲ୍ଲୀରେ ସର୍ଦ୍ଦାର ପଟେଲଙ୍କୁ ସବୁକିଛି ଅବଗତ କରାଇଲେ। ସେତେବେଳକୁ ମେହେରଚନ୍ଦ ମହାଜନ ଜମ୍ମୁ କାଶ୍ମୀରର ମହାରାଜାଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତି ହୋଇଯାଇଥିଲେ। ସେ ଗୁରୁଜୀଙ୍କୁ ବଡ଼ ଶ୍ରଦ୍ଧା କରୁଥିଲେ ଓ ଭାରତ ସହ ଜମ୍ମୁ କାଶ୍ମୀର ବିଲୟର ପ୍ରବଳ ସମର୍ଥକ ଥିଲେ। ତେଣୁ ସେ ବିଲୟ ପ୍ରକ୍ରିୟାକୁ କାର୍ଯ୍ୟରେ ପରିଣତ କଲେ। ୨୨ ଅକ୍ଟୋବରର ପାକିସ୍ତାନ ଆକ୍ରମଣ ଏ ପ୍ରକ୍ରିୟାକୁ ସହଜ କରିଦେଇ ଥିଲା। ୨୬ ଅକ୍ଟୋବର ୧୯୪୭ରେ ଜମ୍ମୁ କାଶ୍ମୀର ଭାରତରେ ପୂର୍ଣ୍ଣ ବିଲୟ ହେଲା।
୧୯.୧୦.୧୭

No comments:
Post a Comment